କଟକ: କଟକରେ ଚାଞ୍ଚଲ୍ୟ । କେନାଲରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ । କଟକ ସଦର ଥାନା ଅନ୍ତର୍ଗତ ଉରାଳି ପଞ୍ଚାୟତର ନରସିଂହପୁର ଗାଁର ଜଣେ ନାବାଳିକାଙ୍କ ମୃତଦେହ ଗୋବିନ୍ଦପୁର ଅଞ୍ଚଳର ଏକ କେନାଲରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ, ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଗତକାଲି ମଧ୍ୟାହ୍ନରୁ ନିଖୋଜ ଥିଲେ। ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ତାଙ୍କର ଜଣେ ପୁରୁଷ ବନ୍ଧୁ ଫୋନ୍ କରି ତାଙ୍କୁ ଡାକିଥିଲେ। ତେବେ ନାବାଳିକା ଜଣକ ଅପରାହ୍ନ ସୁଦ୍ଧା ଘରକୁ ଫେରନଥିଲେ ଏବଂ ବାରମ୍ବାର ଚେଷ୍ଟା ସତ୍ତ୍ବେ ବି ଫୋନ୍ ଲାଗିନଥିଲା । ଏମିତିକି ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ଫୋନ୍ କରିଥିଲେ। କିନ୍ତୁ ଉଭୟଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଶେଷରେ ପରିବାର ଲୋକେ ରାତିରେ କଟକ ସଦର ଥାନାରେ ଏତଲା ଦେଇଥିଲେ।

ଏପଟେ ଶନିବାର ଗୋବିନ୍ଦପୁର ଅଞ୍ଚଳର ଏକ କେନାଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାରେ ଗୋବିନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ତେବେ ଏନେଇ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । କିନ୍ତୁ ପରିବାର ଲୋକେ ପୋଲିସ ଠିକ୍ ସମୟରେ ଖୋଜାଖୋଜି ପାଇଁ ପଦକ୍ଷେପ ନେଇନଥିବା ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ସେମାନେ ମୃତଦେହକୁ କଟକ ସଦର ଥାନା ସମ୍ମୁଖରେ ରଖି ଧାରଣାରେ ବସିଥିଲେ।

Also Read: ଦୁର୍ଗାମେଢ଼ ତିଆରି ବେଳେ ଅଘଟଣ, ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ଖବର ପାଇ ପୋଲିସର ଉଚ୍ଚ ଅଧିକାରୀମାନେ ଥାନାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏଥିସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ସୂଚନା ଦେବା ପରେ ପରିବାର ଲୋକେ ଧାରଣାରୁ ଓହରିଛନ୍ତି। ତେବେ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ଏହା ପଛରେ ହତ୍ୟାର କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ।