କୋଲକାତା: ସାରା ଦେଶରେ ଏବେ ପାର୍ବଣର ପରିବେଶ। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଦୂର୍ଗାପୂଜା ଧୂମଧାମରେ ପାଳିତ ହେଉଛି। ଏହି କ୍ରମରେ ଶନିବାର ମହାସପ୍ତମୀ ଲାଗି ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଉତ୍ତର କୋଲକାତା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଅତ୍ୟଧିକ ଜନସମାଗମ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଛି। ସନ୍ଧ୍ୟାରେ ଦର୍ଶନାର୍ଥୀଙ୍କ ଭିଡ ବଢିବା ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ବେଳେ ଦଳାଚକଟାରେ ଅନୁନ୍ୟ ୪୦ ଜଣ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ କଲେଜ ହସ୍ପିଟାଲ ପହଞ୍ଚା ଯାଇଛି।

ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତ୍ତର ଥିବା ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି। ଆଶଙ୍କା କରାଯାଉଛି ଆହତଙ୍କ ସଂଖ୍ୟା ବଢିପାରେ। ପୂଜା ମଣ୍ଡପରେ ଦଳାଚକଟା ଖବର ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଛନ୍ତି। ଘଟଣା କାଳରେ ଭୀଷଣ ବର୍ଷା ହେଥିଲା। ଏଣୁ ଦର୍ଶନାର୍ଥୀ ବର୍ଷାରୁ ବର୍ତ୍ତିବା ପାଇଁ ପୂଜା ପେଣ୍ଡାଲକୁ ମୁହାଁଇଥିଲେ। ଏଣୁ ପୂଜା ପରିସରରେ କ୍ଷମତାଠାରୁ ଅଧିକ ଲୋକେ ପଶି ଆସିବା ଯୋଗୁ ଭିଡ ଅନିୟନ୍ତ୍ରିତ ହୋଇପଡିଥିଲା। କୁହାଯାଉଛି ଅତ୍ୟଧିକ ଭିଡ ଯୋଗୁ ପେଣ୍ଡାଲର ନିର୍ମାଣ ଭାଙ୍ଗିପଡିଥିଲା। ଏଣୁ ପରିସ୍ଥିତି ଜଟିଳ ହୋଇଥିଲା।

ଘଟଣା ପରେ ପୂଜା ମଣ୍ଡପର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ଓ ମଣ୍ଡପୁରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ ବନ୍ଦ କରିଦିଆଯାଇଛି। ଏବେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ପୂଜା ଆୟୋଜକ ବିକାଶ ଦାସ କହିଛନ୍ତି ଯେ ଘଟଣା କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ସେ ପ୍ରାଥମିକତା ଦେଉଛନ୍ତି। ସେ କହିଛନ୍ତି ଯେ ଭିଡ କାରଣରୁ ଲୋକେ ଦଳି ହୋଇଯାଇଛନ୍ତି। ଘଟଣାସ୍ଥଳକୁ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିବା ଜଣାପଡିଛି।