ନୂଆଦିଲ୍ଲୀ: ଭାରତୀୟ ସାଟେଲାଇଟ୍ ଇଣ୍ଟରନେଟ୍ ବଜାରରେ ଏବେ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କ କମ୍ପାନି ‘ଷ୍ଟାରଲିଙ୍କ୍’ ଏବଂ ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ‘ରିଲାଏନ୍ସ ଜିଓ’ ମଧ୍ୟରେ ଦେଖିବାକୁ ମିଳିଛି ଟକ୍କର । ଭାରତରେ ହାଇ-ସ୍ପିଡ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ଲାଇସେନ୍ସ ମିଳିବାରେ ବିଳମ୍ବ ହେଉଥିବାରୁ ଏଲନ ମସ୍କ ସିଧାସଳଖ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ରିଲାଏନ୍ସ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ଆଉ ଏହାରି ମଧ୍ୟରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ମଧ୍ୟ ଏକ ପୋଷ୍ଟରେ କହିଛି, ଆମେ ପାଞ୍ଚ ବର୍ଷ ଧରି ଚେଷ୍ଟା ଜାରି ରଖିଛୁ, ଭାରତରେ ସେବା ଆରମ୍ଭ ପାଇଁ ଆମେ ପୂରା ପ୍ରସ୍ତୁତ ।

ପ୍ରକୃତରେ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅମ୍ବାନୀଙ୍କୁ ଟାର୍ଗେଟ କରି କେତେକ ବିବାଦୀୟ ପୋଷ୍ଟ କରିଛନ୍ତି। ମସ୍କ କହିଛନ୍ତି, " ଅମ୍ବାନୀ କ’ଣ ଭାରତର ଅସଲି ବସ୍ ? ବିଶ୍ୱର ୧୬୫ରୁ ଅଧିକ ଦେଶରେ ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିସାରିଛି ଏବଂ ଆମେ ୫ ବର୍ଷ ହେବ ଭାରତର ସବୁ ନିୟମ ମାନି ଚାଲିଛୁ, ତଥାପି ଆମକୁ ଲାଇସେନ୍ସ କାହିଁକି ମିଳୁନାହିଁ ? " ଏପରିକି ସେ ଅମ୍ବାନୀଙ୍କୁ ‘ପ୍ରାଇମ୍ ମିନିଷ୍ଟର ଅମ୍ବାନୀ’ ବୋଲି ବ୍ୟଙ୍ଗ କରିବା ସହ ସେ ବଜାରରେ ନିଜର ଏକଛତ୍ରବାଦ ବଜାୟ ରଖିବାକୁ ଚାହୁଁଛନ୍ତି ବୋଲି ଆରୋପ ଲଗାଇଛନ୍ତି। ଭାରତର କିଛି ବ୍ୟବସାୟୀ ଷ୍ଟାରଲିଙ୍କକୁ ଅଟକାଉଛନ୍ତି, ଯାହା ଜନତାଙ୍କ ପ୍ରତି ଏକ ଅପରାଧ ବୋଲି ମସ୍କ କହିଛନ୍ତି।

ରିଲାଏନ୍ସର ଜବାବ 'ଆମେ ପ୍ରତିଯୋଗିତାକୁ ଡରୁନାହୁଁ'

ମସ୍କଙ୍କ ଏହି ଅଭିଯୋଗ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। କମ୍ପାନି କହିଛି ଯେ, ଭାରତରେ ଆଇନର ଶାସନ ଚାଲେ ଏବଂ ସମସ୍ତଙ୍କ ପାଇଁ ସମାନ ନିୟମ ରହିଛି। ଭାରତ ସରକାର ସ୍ବଦେଶୀ ହୁଅନ୍ତୁ କି’ ବିଦେଶୀ, ସମସ୍ତ ଆବେଦନକାରୀଙ୍କ ପାଇଁ ଗୋଟିଏ ପ୍ରକ୍ରିୟା ଆପଣାନ୍ତି। ନିଜେ ଜିଓର ସାଟେଲାଇଟ୍ ସର୍ଭିସ୍ ମଧ୍ୟ ଏବେ ସରକାରୀ ମଞ୍ଜୁରୀକୁ ଅପେକ୍ଷା କରିଛି। ରିଲାଏନ୍ସ କହିଛି, "ଆମେ ପ୍ରତଯୋଗିତାକୁ ଭୟ କରୁନାହୁଁ, ଷ୍ଟାରଲିଙ୍କ୍ ସମେତ ସବୁ କମ୍ପାନିଙ୍କୁ ସ୍ୱାଗତ। କିନ୍ତୁ ସମସ୍ତଙ୍କୁ ଦେଶର ଆଇନ ମାନିବାକୁ ହେବ"।" ଅନ୍ୟପଟେ ସଞ୍ଚାର ମନ୍ତ୍ରଣାଳୟ ମଧ୍ୟ ଭାରତର ନିୟମ ସମ୍ପୂର୍ଣ୍ଣ ନିରପେକ୍ଷ ବୋଲି ସଫେଇ ଦେଇଛି।

ଷ୍ଟାରଲିଙ୍କ୍ କହିଲା: ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ, କେବଳ ଗ୍ରୀନ୍ ସିଗନାଲ୍ ବାକି

ବିବାଦ ଭିତରେ ଷ୍ଟାରଲିଙ୍କ୍ କହିଛି ଯେ, ସେମାନେ ଗତ ୫ ବର୍ଷ ହେବ ଭାରତୀୟ ନିୟାମକ ଓ ଅପରେଟର୍ସଙ୍କ ସହ ମିଶି କାମ କରୁଛନ୍ତି। ଭାରତୀୟ ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ଦେଶ ଭିତରେ ହିଁ ଗେଟୱେ ଓ ସ୍ବତନ୍ତ୍ର ସିଷ୍ଟମ ପ୍ରସ୍ତୁତ କରାଯାଇଛି। ଲାଇସେନ୍ସ ମିଳିବା ମାତ୍ରେ କମ୍ପାନି ଭାରତର ସୁଦୂର ଗ୍ରାମାଞ୍ଚଳରେ ତୁରନ୍ତ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇଦେବ।

Also Read: ଅଟୋମୋବାଇଲ୍ ସେକ୍ଟରରେ ଏଲନ ମସ୍କଙ୍କ ଚମତ୍କାର ! ଉଡ଼ନ୍ତା କାର୍ର ଡେମୋ ଦେଖାଇଲା ଟେସ୍ଲା

ସରକାରଙ୍କ ଆଭିମୁଖ୍ୟ: ୩ କମ୍ପାନିଙ୍କୁ ମିଳିଛି ଲାଇସେନ୍ସ, କିନ୍ତୁ...

'ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୬' ଅବସରରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ୩ଟି କମ୍ପାନିକୁ ଲାଇସେନ୍ସ ପ୍ରଦାନ କରାଯାଇସାରିଛି। ସେଗୁଡ଼ିକ ହେଲା, ରିଲାଏନ୍ସ ଜିଓ ସ୍ୟାଟକମ୍, ଭାରତୀ ଏୟାରଟେଲ୍ ସମର୍ଥିତ ୟୁଟେଲସାଟ୍ ୱାନୱେବ୍, ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍ ।

ତେବେ ଲାଇସେନ୍ସ ମିଳିଥିଲେ ମଧ୍ୟ ଏହି ସବୁ କମ୍ପାନିର ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା ଏବେ ବି ବାକି ଅଛି। ଏହା ସହିତ ସାଟେଲାଇଟ୍ ସ୍ପେକ୍ଟ୍ରମର ମୂଲ୍ୟ ନିର୍ଦ୍ଧାରଣ ଫ୍ରେମୱର୍କ ଉପରେ କାମ ଚାଲିଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଯେପରି ନେଟୱର୍କ ଉପରେ ନଜର ରଖିପାରିବେ ଏବଂ ଭାରତୀୟ ଆଇନ ଉଲ୍ଲଂଘନ ହେବ ନାହିଁ, ସରକାର ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି। ସମସ୍ତ ସର୍ତ୍ତ ପୂରଣ ହେବା ପରେ ହିଁ ଭାରତୀୟ ଆକାଶରେ ସାଟେଲାଇଟ୍ ଇଣ୍ଟରନେଟ୍ କାର୍ଯ୍ୟକ୍ଷମ ହେବ।