ଭୁବନେଶ୍ୱର ୧୭।୧୦: ବାବୁଙ୍କୁ ମିଳିଥିଲା ଦଶହରା ଭେଟି । ନେଇ ଫେରୁଥିଲେ ସରକାରୀ ଗାଡିରେ । ଏଜି ଛକରେ ମାଡିବସିଲା ଭିଜିଲାନ୍ସ । ସରକାରୀ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ବାବୁଙ୍କ ଭଡା ଘରୁ ମିଳିଲା ୫୦୦ ଟଙ୍କିଆ ବଣ୍ଡଲ୍ । ସେ ପୁଣି କିଛି ଅଳ୍ପ ପରିମାଣର ନୁହେଁ । ବାବୁଙ୍କ ପାଖରୁ ମୋଟ୍ ମିଳିଲା ୨୨ ଲକ୍ଷରୁ ଅଧିକ ଟଙ୍କା । ଏବେ ଦଶହର ଭେଟି ସବୁ ରହିଗଲା ଭିଜିଲାନ୍ସ ପାଖରେ । ଏ ଥିଲା ଭିଜିଲାନ୍ସର 'ଫିଲ୍ମି ଷ୍ଟାଇଲ୍' ରେଡ୍ । ଯାହା ଥିଲା ମୂଷା-ବିଲେଇର ଲୁଚ କାଳି ଖେଳ । ଜଗତପୁରରୁ ଆରମ୍ଭ ହୋଇ ସରିଥିଲା ଏଜି ଛକରେ ।

ବାବୁ ଜଣଙ୍କ ହେଉଛନ୍ତି ଜଗତପୁର ମହାନଦୀ ଉତ୍ତର ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ବାବୁଙ୍କ ସରକାରୀ ଗାଡ଼ିରେ ଥିଲା ଶାରଦୀୟ ଦୁର୍ଗା ପୂଜାର ଗିଫ୍ଟ । ଆହୁରି ବି ଗାଡ଼ିରୁ ମିଳିଥିଲା ନଗଦ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା । ଯାହାକୁ ଜବତ କରିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବାବୁ କୁଆଡେ କଟକରୁ ଟଙ୍କା ନେଇ ଫେରୁଥିଲେ । ସେ ପୁଣି ଜନୈକ ଠିକାଦାରଙ୍କ ଠାରୁ । ଠିକାଦାର ବାବୁଙ୍କୁ କାମ ଦେବା ଆଳରେ ବାବୁ ନେଇଥିଲେ ଲାଞ୍ଚ । ବାବୁଙ୍କୁ ପିଛା କରି କରି ଭୁବନେଶ୍ବର ଏଜି ଛକରେ ଶୁକ୍ରବାର ରାତିରେ ମାଡି ବସିଲା ଭିଜିଲାନ୍ସ ବିଭାଗ ।

ରାତି ପ୍ରାୟ ୧୨ଟା ବେଳକୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ଏକ ଆପାର୍ଟମେଣ୍ଟରର ଭଡ଼ାଘର ଏବଂ ବରଗଡ଼ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଭଡ଼ାଘର ତଲାସୀ ସମୟରେ ମିଳିଥିଲା ନଗଦ ୫୦୦ ଟଙ୍କିଆ ବଣ୍ଡଲ୍ । ସେଥିରେ ମୋଟ୍ ୧୪,୬୦,୦୦୦ ଟଙ୍କା ଏହିପରି ଭାବରେ ମୋଟ୍ ୨୧, ୮୮, ୬୨୦ ଟଙ୍କା ନଗଦ ଜବତ କରାଯାଇଛି ।

ଭିଜିଲାନ୍ସ ପକ୍ଷରୁ ଏ ରେଡ୍ ଥିଲା ପୁରା ଫିଲ୍ମ ଷ୍ଟାଇଲରେ । ଜଗତପୁରରୁ ଆରମ୍ଭ ହୋଇଥିଲା ମୂଷା-ବିଲେଇ ଖେଳ । ବାବୁଙ୍କ ନାମରେ ଅଭିଯୋଗ ଥିଲା ଯେ, ଠିକାଦାରଙ୍କ ଠାରୁ ନିଅନ୍ତି ଲାଞ୍ଚ । ସେହି ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିଲା । ଆହୁରି ସୂଚନା ଥିଲା ଯେ, ଜଗତପୁର ଇରିଗେସନ୍ ଇନ୍ସପେକ୍ସନ୍ ବଙ୍ଗଳାରେ ଠିକାଦାରଙ୍କୁ ବାବୁ ଭେଟିବାର । ଖବର ପାଇବା ପରେ କଟକ ଏବଂ ଭୁବନେଶ୍ୱରର ଭିଜିଲାନ୍ସ ଟିମ୍ ସତର୍କ ହୋଇଯାଇଥିଲେ । କିନ୍ତୁ ଅଭିଯୁକ୍ତ ଶ୍ରୀ ଦାସ ବାରମ୍ବାର ନିଜର ସ୍ଥାନ ଏବଂ ଗାଡ଼ି ବଦଳାଇ ଭିଜିଲାନ୍ସକୁ ଚକମା ଦେବାକୁ ଚେଷ୍ଟା କରୁଥିଲେ । ସେ କଟକରୁ ଆସିଥିଲେ ଭୁବନେଶ୍ବର ଡେଲ୍ଟା ଛକକୁ ।

ଶେଷରେ ମୋବାଇଲ୍ ଟ୍ରାକିଂ ମାଧ୍ୟମରେ ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଲା ଯେ ସେ ଭୁବନେଶ୍ୱରର ଡେଲ୍ଟା ଛକ ନିକଟସ୍ଥ ଡେଲ୍ଟା ଇରିଗେସନ୍ IBରେ ଚାଲିଥିବା ଏକ 'ଭୋଜି'ରେ ଯୋଗ ଦେଇଛନ୍ତି । ସେତେବେଳକୁ ସେ ନିଜର ଭଡ଼ାଗାଡ଼ି ମଧ୍ୟ ବଦଳାଇସାରିଥିଲେ । ପକ୍କା ପ୍ରମାଣ ପାଇ ଭିଜିଲାନ୍ସର ଦୁଇ ଜଣ କର୍ମଚାରୀ ସାଧା ପୋଷାକରେ ସେଠାରେ ପହଞ୍ଚି ସିଧାସଳଖ ସାଧା ପୋଷାକରେ ଭୋଜି ଭିତରେ ପଶିଯାଇ ତାଙ୍କ ଉପରେ ନଜର ରଖିଥିଲେ । ଭୋଜି ସରିବା ପରେ ଅଭିଯୁକ୍ତ ଶ୍ରୀ ଦାସ ନିଜର ସରକାରୀ ବୋଲେରୋ ଗାଡ଼ିରେ ବସି ଅନ୍ୟ ଜଣେ ଠିକାଦାରଙ୍କୁ ଭେଟିବାକୁ ବାହାରିଲେ । ସେହି ସମୟରେ ଭୁବନେଶ୍ୱରର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇ ତଲାସି ନେଇଥିଲା । ତାଙ୍କ ପାଖରୁ ନଗଦ ୭ ଲକ୍ଷ ୩୮ ହାଜର ଟଙ୍କା ବାହାରିଥିଲା ।

ଚାଲନ୍ତୁ ଦେଖିବା ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ କ୍ୟାରିଅର୍ ଗ୍ରାଫ୍

୧୮.୦୩.୨୦୧୬: ଭୁବନେଶ୍ୱର ଅଧୀନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ସରକାରୀ ଚାକିରିରେ ଯୋଗଦେଲେ ।

୧୦.୦୬.୨୦୧୬: AEE, ଡିଜାଇନ୍, ଓଡ଼ିଶା, ଭୁବନେଶ୍ୱରରେ ଅବସ୍ଥାପିତ ହେଲେ ।

୩୧.୧୨.୨୦୨୧/୧୦.୦୧.୨୦୨୨: ବଦଳି ହୋଇ AEE, କେନାଲ୍ ସବ୍-ଡିଭିଜନ୍, ବରଗଡ଼ରେ ଯୋଗଦେଲେ ।

୨୯.୦୭.୨୦୨୨: ପଦୋନ୍ନତି ପାଇ ନିର୍ବାହୀ ଯନ୍ତ୍ରୀ ଭାବେ ଗଙ୍ଗାଧର ମେହେର ଲିଫ୍ଟ ଇରିଗେସନ୍ ଡିଭିଜନ୍-୧, ବିଜେପୁରରେ ନିଯୁକ୍ତି ପାଇଲେ ।

୦୫.୦୬.୨୦୨୬/୧୦.୦୬.୨୦୨୬: ପୁଣି ପଦୋନ୍ନତି ପାଇ ମହାନଦୀ ଉତ୍ତର ବିଭାଗ, କଟକ (ଜଳସମ୍ପଦ ବିଭାଗ, ଜଗତପୁର)ର ଅଧୀକ୍ଷଣ ଯନ୍ତ୍ରୀ ଭାବେ ଯୋଗଦେଲେ ଏବଂ ଆଜି ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟରତ ଥିଲେ ।

ସବୁଠାରୁ ବଡ଼ କଥା ହେଲା, ପ୍ରସନ୍ନଜିତ ଦାସ ଯେତେବେଳେ ଚାକିରି ଆରମ୍ଭ କରିଥିଲେ, ତାଙ୍କର ପ୍ରାରମ୍ଭିକ ମାସିକ ଦରମା ମାତ୍ର ପ୍ରାୟ ୨୫,୦୦୦/- ଟଙ୍କା ଥିଲା । ଏବେ କିନ୍ତୁ ସେ ୧୪ ଲକ୍ଷ ଟଙ୍କାର କିଣିଛନ୍ତି ନୂଆ କାର୍ ।