ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସ୍କୁଲ ଶିକ୍ଷାରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ତେବେ ସାମ୍ପ୍ରତିକ ସମୟରେ ଷ୍ଟେମ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମେଟିକ୍ସ) ଶିକ୍ଷାରେ ଦେଶର ଝିଅମାନଙ୍କର ବଢୁଥିବା ସହଭାଗିତା ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଶକ୍ତି ପାଲଟିଛି ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ଦୈନିକ ଜାଗରଣ ଗ୍ରୁପ୍ ପକ୍ଷରୁ ଆୟୋଜିତ ଷଷ୍ଠ ‘ଭାରତ ଶିକ୍ଷା ସମ୍ମିଳନୀ’ କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ‘ଜାତୀୟ ଶିକ୍ଷା ନୀତି - ୨୦୨୦’ ମାଧ୍ୟମରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରାଯାଉଛି । ଏହି ନୂତନ ନୀତିରେ ପ୍ରାରମ୍ଭିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବା ସହ ଶିଶୁମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଇନୋଭେସନକୁ ପ୍ରୋତ୍ସାହିତ କରାଯାଉଛି।

ମହର୍ଷି ବାଲ୍ମୀକିଙ୍କ ପରମ୍ପରାର ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ, ପ୍ରଭାବଶାଳୀ ଏବଂ ବ୍ୟାପକ ଭାବେ ସମାଜ ପାଖରେ ପହଞ୍ଚିଥାଏ । ଏହି ଦୃଷ୍ଟିକୋଣ ‘ମ୍ୟାକଲେ ମାନସିକତା’ରୁ ବାହାରି ଭାରତୀୟ ଜ୍ଞାନ ପରମ୍ପରାକୁ ପୁନଃ ପ୍ରତିଷ୍ଠିତ କରିବା ପାଇଁ ବାଟ ଫିଟାଇଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜିର ଏଆଇ ଯୁଗରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ମାଧ୍ୟମରେ ଦକ୍ଷତା-ଭିତ୍ତିକ, ପ୍ରତିଯୋଗିତାମୂଳକ, ବହୁ-ବିଷୟକ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଉଛି। ଏହାଦ୍ୱାରା ଆମର ଯୁବପିଢ଼ି ବୈଶ୍ୱିକ ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବେ। ଆମେ ଶିକ୍ଷା ବ୍ୟବସ୍ଥାକୁ କେବଳ ‘ଡିଗ୍ରୀ ଆଧାରିତ’ ନକରି ‘ଦକ୍ଷତା ଆଧାରିତ’ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ସାମଗ୍ରିକ ଦୃଷ୍ଟିକୋଣ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛୁ। ଆଜି 'ବସୁଧୈବ କୁଟୁମ୍ବକମ୍' ଭାବନା ସହିତ ଭାରତ ବିଶ୍ୱ ଦରବାରରେ ନିଜର ଭୂମିକାକୁ ଅଧିକ ମଜବୁତ କରୁଛି ଏବଂ ‘ଗ୍ଲୋବାଲ ସାଉଥ୍’ ପ୍ରତି ନିଜର ଦାୟିତ୍ୱ ମଧ୍ୟ ସଫଳତାର ସହ ନିର୍ବାହ କରୁଛି।