ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ଅର୍ଥାତ ‘ପିଏମ ଅଜୟ’ରେ ସାରା ଦେଶର ୧୮୦୯୩ ଗାଁକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି। ଅନ୍ୟପଟେ ଯୋଜନାରେ ୭୮୫ ଛାତ୍ରାବାସର ନିର୍ମାଣ କାମ ପୁରା ହୋଇ ସାରିଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନୁଯାୟୀ ଆଦର୍ଶଗ୍ରାମ ଅଂଶ ଅଧିନରେ ୪୭,୨୦୦ରୁ ଅଧିକ ଗ୍ରାମକୁ ସାମିଲ କରାଯାଇଛି, ଯାହାଦ୍ୱାରା୪୭.୭୯ଲକ୍ଷରୁ ଅଧିକ ନାଗରିକ ଉପକୃତ ହୋଇଛନ୍ତି। ଯୋଜନାରେ ଏ ପର୍ଯ୍ୟନ୍ତ ୪୬,୯୪୪ ବିକାଶ କାର୍ଯ୍ୟ ପୁରା କରାଯାଇଛି ଓ ୨୭,୦୩୨ ଗ୍ରାମ ନିମନ୍ତେ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି।

ଏହି ଯୋଜନାର ଉଦ୍ଦେଶ୍ୟ ଅନୁସୂଚିତ ଜାତି ବହୁଳ ଗ୍ରାମମାନଙ୍କର ଭିତ୍ତିଭୂମି, ଆବଶ୍ୟକ ସେବା ଓ ଜୀବିକା ସୁଯୋଗର ଉନ୍ନତି ଆଣି ସେଗୁଡିକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବା। ଏହାର ୩ଟି ମୁଖ୍ୟ ଉପାଦାନ ରହିଛି ଯଥା ଆଦର୍ଶ ଗ୍ରାମ ବିକାଶ, ସାମାଜିକ-ଅର୍ଥନୈତିକ ପ୍ରକଳ୍ପ ପାଇଁ ଅନୁଦାନ ଓ ଛାତ୍ରାବାସ ନିର୍ମାଣ ଏବଂ ମରାମତି। ମନ୍ତ୍ରାଳୟ କହିଛି ଯେ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଅନୁଦାନ ଅଂଶ ଅଧିନରେ ରାଜ୍ୟଗୁଡିକୁ ୧,୭୩୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହା ୨.୫ଲକ୍ଷରୁ ଅଧିକ ଲୋକଙ୍କୁ ଓ ଗୋଷ୍ଠୀଙ୍କୁ ଦକ୍ଷତା ବିକାଶ ଏବଂ ଜୀବିକା ନିର୍ବାହର ସୁଯୋଗ ପ୍ରଦାନ କରିଥିଲା।

ଏହି କାର୍ଯ୍ୟକ୍ରମରେ ସେପ୍ଚେମ୍ବର ୨୦୨୬ ସୁଦ୍ଧା ୭୮୫ଟି ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲା। ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ୨ଟି ଛାତ୍ରବାସ ପ୍ରକଳ୍ପ ଲାଗି ୬୧.୪୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଆବଣ୍ଟିତ ହୋଇଛି। ଏଥିରୁ ଗୋଟିଏ ଛାତ୍ରାବାସ ବାଳିକାମାନଙ୍କ ନିମନ୍ତେ ହୋଇଥିବା ବେଳେ ଅନ୍ୟଟି ବାଳକଙ୍କ ନିମନ୍ତେ ହେବ, ଯେଉଁଥିରେ ମୋଟ ୨୬୪ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା ରହିଛି।