ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଅସାଧୁ ବ୍ୟବସାୟୀ ଓ କମ୍ପାନୀଗୁଡ଼ିକ ବିରୋଧରେ ଦେଶର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା ସଂସ୍ଥା FSSAI (Food Safety and Standards Authority of India) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ପ୍ରିୟାଗୋଲ୍ଡ ବିସ୍କୁଟ, ଡୋଡଲା ଡାଏରୀ ଏବଂ ୟୁଇଆଇଆର୍ (UEIR) ଅର୍ଗାନିକ ଫୁଡ୍ସ ଭଳି ୩ଟି ବଡ଼ ବ୍ରାଣ୍ଡ୍ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ବିସ୍କୁଟରେ ଗୋରୁ ଗାଈ ଖାଉଥିବା ଚୋକଡ଼, କ୍ଷୀରରେ ମାରାତ୍ମକ କଷ୍ଟିକ ସୋଡା ଓ କିସମିସରେ ବିଷାକ୍ତ କୀଟନାଶକ ମିଳିବା ପରେ ଏହି ଆକ୍ସନ ନିଆଯାଇଛି। ସପଟେ ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଖାଉଟି ଏବେ ଚିନ୍ତାରେ ।

ରିପୋର୍ଟ ଅନୁସାରେ, ଲୋକପ୍ରିୟ ପ୍ରିୟାଗୋଲ୍ଡ ବିସ୍କୁଟକୁ ପ୍ରସ୍ତୁତ କରୁଥିବା କମ୍ପାନୀ 'ସୂର୍ଯ୍ୟ ଫୁଡ୍ ଆଣ୍ଡ ଏଗ୍ରୋ'ର ପ୍ଲାଣ୍ଟ ଉପରେ FSSAI ଟିମ୍ ଚଢ଼ାଉ କରିଥିଲା। ରେଡରେ ବିସ୍କୁଟରେ ଫାଇବରର ମାତ୍ରା ଅଧିକ ଦେଖାଇବା ପାଇଁ କମ୍ପାନୀ, ଗୋରୁ ଗାଈଙ୍କୁ ଖାଇବାକୁ ଦିଆଯାଉଥିବା ଚୋକଡ଼ ମିଶାଉଥିଲା। ଯାହା ମଣିଷ ଶରୀର ପାଇଁ ଅନୁପଯୁକ୍ତ । ଏହା ସହିତ କାରଖାନାରେ ଅତ୍ୟଧିକ ଅପରିଷ୍କାର ପରିବେଶ ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରଥମେ କମ୍ପାନୀର ଲାଇସେନ୍ସ ସସପେଣ୍ଡ କରାଯାଇଥିଲା ଏବଂ ଏବେ କୋର୍ଟରେ କେସ୍ କରାଯାଇଛି। ଏହି ଗୋଖାଦ୍ୟ ଚୋକଡ଼ ଖାଇବା ଦ୍ୱାରା ପେଟରେ ଫଙ୍ଗଲ୍ ଇନଫେକସନ ଓ ମାୟକୋଟକ୍ସିନ ଜନିତ ଗୁରୁତର ରୋଗ ହୋଇପାରେ।

ଡୋଡଲା କ୍ଷୀରରେ ମିଳିଲା ସାବୁନ ଓ ଡିଟରଜେଣ୍ଟ:

ସେହିଭଳି ଡୋଡଲା ଡାଏରୀର 'ଫୁଲ୍ କ୍ରିମ୍ କ୍ଷୀର'ର ନମୁନା ଯାଞ୍ଚରୁ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମେ ଏଥିରେ ଫ୍ୟାଟ୍ କମ୍ ଥିବା ଜଣାପଡ଼ିଥିଲା । କିନ୍ତୁ କମ୍ପାନୀର ଆପତ୍ତି ପରେ ଯେତେବେଳେ 'ରେଫରାଲ୍ ଫୁଡ୍ ଲାବୋରେଟୋରୀ'ରେ ପୁନଃ ଯାଞ୍ଚ ହେଲା । ସେଥିରୁ ଜଣାପଡ଼ିଛି ଯେ, କ୍ଷୀରରେ ଡିଟରଜେଣ୍ଟ (ସାବୁନ ଗୁଣ୍ଡ) ଏବଂ କଷ୍ଟିକ ସୋଡା ମିଶାଯାଇଛି। ଏହା ମଣିଷ ପାଇଁ ବିଷ ସଦୃଶ। ଏଥିପାଇଁ କମ୍ପାନୀର ମାର୍କେଟିଂ ଓ ମାନୁଫାକଚରିଂ ଅଧିକାରୀଙ୍କ ବିରୋଧରେ କଡ଼ା ମାମଲା ରୁଜୁ ହୋଇଛି।

ଡିଟରଜେଣ୍ଟ ଓ କଷ୍ଟିକ ସୋଡା ଯୁକ୍ତ କ୍ଷୀର ପିଇଲେ ପେଟରେ ଅଲସର, ଅନ୍ତଃନଳୀରେ ସମସ୍ୟା ସହ ଲିଭର ଏବଂ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ।

Also Read: ଦେଶରେ ବେକାରି ହାର ୫%କୁ ହ୍ରାସ, ଗ୍ରାମାଞ୍ଚଳରେ ମହିଳା ବେକାରି ସର୍ବନିମ୍ନ ସ୍ତରରେ

ୟୁଇଆଇଆର୍ ଅର୍ଗାନିକ ଫୁଡ୍ସ ନାଁରେ ଅଭିଯୋଗ ବିକ୍ରି କରୁଥିଲା ବିଷାକ୍ତ କିସମିସ

ଲୋକମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଦେଇ 'ଅର୍ଗାନିକ' ବା ଜୈବିକ ସାମଗ୍ରୀ କିଣୁଛନ୍ତି। କିନ୍ତୁ UEIR କମ୍ପାନୀର 'ୟେଲୋ ରେଜିନ୍ସ' ବା ହଳଦିଆ କିସମିସରେ ଆବଶ୍ୟକତା ଠାରୁ ବହୁମାତ୍ରାରେ କୀଟନାଶକ ବ୍ୟବହାର କରାଯାଇଥିବା ସାମ୍ନାକୁ ଆସିଛି। ଅର୍ଗାନିକ ନାଁରେ ଏଭଳି ପ୍ରତାରଣା କରିଥିବାରୁ FSSAI ଏହି ସଂସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଏହି କୀଟନାଶକ ଯୁକ୍ତ କିସମିସ ଅଧିକ ଦିନ ଖାଇଲେ ଶରୀରର ହରମୋନ୍ ସନ୍ତୁଳନ ବିଗିଡ଼ିଯାଏ ଏବଂ ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀ ଦୁର୍ବଳ ହୋଇଯାଏ।

କ’ଣ କହୁଛି ଖାଦ୍ୟ ସୁରକ୍ଷା ଆଇନ ?

ଭାରତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଏଭଳି ଅସୁରକ୍ଷିତ ଖାଦ୍ୟ ବିକ୍ରି କରିବା ଏକ ସଙ୍ଗିନ ଅପରାଧ। ଏଥିପାଇଁ ଦୋଷୀ ପ୍ରମାଣିତ ହେଲେ କମ୍ପାନୀର ଲାଇସେନ୍ସ ସଦାଦିନ ପାଇଁ ରଦ୍ଦ ହେବା ସହ ମାଲିକ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମୋଟା ଅଙ୍କର ଜରିମାନା ଏବଂ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। FSSAI ସ୍ପଷ୍ଟ କରିଛି ଯେ, ଲୋକଙ୍କ ଜୀବନ ସହ ଖେଳୁଥିବା କୌଣସି ବି କମ୍ପାନୀକୁ ଛଡ଼ାଯିବ ନାହିଁ।