ଭୁବନେଶ୍ଵର/ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଲା ବିଜେପି। କଂଗ୍ରେସ ଗଡ଼ରୁ ଆରମ୍ଭ କଲା ଅଭିଯାନ। | ନବରଙ୍ଗପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେଠାରେ ଦଳୀୟ ସ୍ଥିତିର ସମୀକ୍ଷା କରିଛନ୍ତି | ତୃଣମୂଳ ସ୍ତରର ସଂଗଠନକୁ ମଜବୁତ କରିବା ଏବଂ ଅନ୍ୟଦଳର ନେତାଙ୍କୁ ନିଜ ଆଡକୁ ଆଣି ବିରୋଧୀଙ୍କୁ ବଳହୀନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି। ଦଳୀୟ ନେତାମାନଙ୍କ ସହିତ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି ମନମୋହନ ।

ସରକାରୀ ସ୍ତରରେ ମଧ୍ୟ ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ସାଂସଦ, ବିଧାୟକ ଏବଂ ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି | ଏହି ଅବସରରେ କର୍ମୀଙ୍କ ମନୋବଳ ବଢ଼ାଇ ରାଜ୍ୟ ସଭାପତି କହିଛନ୍ତି ବିଜେପି ଅନ୍ୟ ରାଜନୈତିକ ଦଳ ମାନଙ୍କଠାରୁ ଭିନ୍ନ, ଏହି ଦଳର ନୀତି, ଆଦର୍ଶକୁ ମାନି ଚଳିଲେ ସାମାନ୍ୟ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ ଭବିଷ୍ୟତ ଉଜ୍ଜଳ ହେବ।

Also Read: BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

ଓଡିଶା ରାଜନୀତି ଇତିହାସରେ ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସର ଗଡ଼ ଭାବେ ପରିଚିତ | ଧୀରେ ଧୀରେ ଏହି ଗଡ଼ କଂଗ୍ରେସ ହାତରୁ ଖସୁଥିବା ବେଳେ ସେଠାରେ ନିଜ ଗୋଡ଼ ମଜଭୁତ କରୁଛି ବିଜେପି। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଚାରୋଟି ଜିଲ୍ଲା ଦୁଇଟି ସଂସଦୀୟ କ୍ଷେତ୍ର ନବରଙ୍ଗପୁର ଏବଂ କୋରାପୁଟରେ ବିଭକ୍ତ | କଂଗ୍ରେସର ନବରଙ୍ଗପୁରରେ ଯଦିଓ ମାତ୍ର ଗୋଟିଏ ବିଧାନସଭା ସିଟ କଂଗ୍ରେସ ହାତେଇଥିଲା କିନ୍ତୁ କଂଗ୍ରେସ ଭୋଟ ପ୍ରତିଶତ ଗତ ନିର୍ବାଚନରେ ବିଜେପି ପାଇଁ ଚିନ୍ତାର ବିଷୟ ଥିଲା |

ଅନ୍ୟପଟେ ରାଜ୍ୟରେ କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ତା ସହିତ ଛ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଖାତାକୁ ଯାଇଥିଲା | ଯାହା ନିର୍ବାଚନ ପରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟିକୁ ଆସିଥିଲା | ତେବେ ଏହି କ୍ଷେତ୍ରଗୁଡିକ ଉପରେ ବିଶେଷ ଧ୍ୟାନ ଦେବାକୁ ଦିଲ୍ଲୀରୁ ନିର୍ଦେଶ ପରେ ବିଜେପି ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ଏସିଡ ଟେଷ୍ଟ ହୋଇପାରେ | ତେଣୁ ପଂଚାୟତ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସର ପକେଟ ଭୋଟ ଥିବା ସ୍ଥାନଗୁଡିକରେ ବିଜେପି କାୟା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।

Also Read: ପଖାଳ ଦିବସକୁ ନେଇ ରାଜନୀତି ଜୋର, ଝୋଟ ବ୍ୟାଗ କଥା ଉଠାଇ ବିଜେଡି ଜବାବ ଦେଲା ବିଜେପି

ରାଜ୍ୟ କାର୍ଯ୍ୟାଳୟକୁ ପ୍ରତି ସଂସଦୀୟ କ୍ଷେତ୍ରରୁ ବିଧାୟକ,ମନ୍ତ୍ରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀଙ୍କୁ ଡକାଇ ଚର୍ଚ୍ଚା ଆଲୋଚନା କରାଯାଇଛି | ବିଶେଷ କରି ତୃଣମୂଳ ସ୍ତରରେ ଦଳର ସ୍ଥିତି ଆକଳନ, ସରକାରୀ ଯୋଜନାର ସଫଳତା, ଜନସମ୍ପର୍କ ଯାତ୍ରା, ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ, ହାରିଥିବା ଆସନ ଉପରେ ବିଶେଷ ନଜର ରଖିବାକୁ ଦଳ ଏବେ ସତର୍କ ଗତି ଆରମ୍ଭ କରିଛି।