ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମୁସ୍କିଲ ପୁଣି ଥରେ ବଢିପାରେ। ସୁଲତାନପୁରର ସ୍ଵତନ୍ତ୍ର MP-MLA ଅଦାଲତ ସୋମବାର ରାହୁଲଙ୍କ ବିରୋଧରେ ଚାଲୁଥିବା ମାନହାନୀ  ମାମଲାରେ ନିଷ୍ପତ୍ତି ଶୁଣାଇବେ। ୨୦୧୮ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଏହି ମାମଲା ବିଚାରଧୀନ ରହିଛି। ଅଭିଯୋଗକାରୀ ଓକିଲଙ୍କ ମୁତାବକ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ  ଅକ୍ଟୋବର ୨୬ରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ।

ଅଦାଲତ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ଆଦେଶ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଜାମିନ ବି ମିଳିଥିଲା। ଅତିରିକ୍ତ ସିଭିଲ ଜଜ ଶୁଭମ ବର୍ମା ମାମଲା ଉପରେ ନିଷ୍ପତ୍ତି ଶୁଣାଇବା ପାଇଁ ଅକ୍ଟୋବର ୧୩ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ଏହାକୁ ଘୁଞ୍ଚାଯାଇ ଅକ୍ଟୋବର ୨୬ କରାଯାଇଛି।

Also Read: କଂଗ୍ରେସର ଚିନ୍ତା ବଢାଇଲା ଷ୍ଟିଙ୍ଗ ଅପରେସନ, ପୁଣି ଥରେ ମୁହାଁମୁହିଁ ଶିବକୁମାର ଓ ସିଦ୍ଧରମୈୟା

ଉଲ୍ଲେଖନୀୟ ୨୦୧୮ରେ ବେଙ୍ଗାଲୁରୁରେ ଏକ ନିର୍ବାଚନୀ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ସେ ସମୟରେ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଥିଲେ। ଏହି ମାମଲାରେ ବିଜେପି ନେତା ତଥା ଜିଲ୍ଲା ସହକାରୀ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବିଜୟ ମିଶ୍ର ୨୦୨୮ ଅଗଷ୍ଟ ୪ରେ ରାହୁଲଙ୍କ ବିରୋଧରେ ମାନହାନୀ ଏତଲା ଦେଇଥିଲେ।

୨୦୨୩ ନଭେମ୍ବର ୨୭ରେ ରାହୁଲ ଗାନ୍ଧୀଙ୍କୁ ତଲବ କରାଯାଇଥିଲା। କଂଗ୍ରେସ ନେତା କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ଜାମିନ ମିଳିଥିଲା। ତେବେ ପରେ ଏହି ମାମଲାରେ ଅଭିଯୋଗକାରୀ ବିଜୟ ମିଶ୍ର ରାହୁଲ ଗାନ୍ଧୀଙ୍କ ସ୍ଵରର ନମୂନାର ତୁଳନା କରିବାକୁ ଦାବି କରିଥିଲେ।

ଟ୍ରାଏଲ କୋର୍ଟ ମିଶ୍ରଙ୍କ ଯାଚିକାକୁ ଖାରଜ କରିଥିବା ବେଳେ ସେସନ କୋର୍ଟ ମଧ୍ୟ ଏହି ଆଦେଶ ବିରୋଧରେ ଦାଖଲ ରିଜିଭନ ଯାଚିକାକୁ ମଧ୍ୟ ଅଗ୍ରାହ୍ୟ କରି ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହି ଦୁଇ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନକୁ ଖାରଜ କରିଥିଲେ। କିନ୍ତୁ ସ୍ଵତନ୍ତ୍ର ଏମପି-ଏମଏଲଏ କୋର୍ଟରେ ମାମଲାର ବିଚାର ଚାଲିଛି।