ନୂଆଦିଲ୍ଲୀ: ତାରକା ବ୍ୟାଡମିଣ୍ଟନ୍ ଖେଳାଳି ପି. ଭି. ସିନ୍ଧୁ ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଓପନର ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି । ଦୁଇଥରର ଓଲମ୍ପିକ୍ ପଦକ ବିଜେତା ସିନ୍ଧୁ ଶନିବାର ପ୍ୟାରିସ୍‌ରେ ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍‌ରେ ଜାପାନର ହିନା ଆକେଚି ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ୟାରିସ୍‌ରେ ୧ ଘଣ୍ଟା ୧୩ ମିନିଟ୍ ଧରି ଚାଲିଥିବା ଏହି ସେମିଫାଇନାଲ ମ୍ୟାଚ୍‌ରେ ହିନା ଆକେଚିଙ୍କୁ ସିନ୍ଧୁ ୨୧-୧୦, ୨୦-୨୨, ୨୧-୧୬ ଗେମ୍‌ରେ ପରାସ୍ତ କରିଥିଲେ। ପ୍ରଥମ ଗେମ୍‌ରେ ୮-୮ ବରାବର ସ୍ଥିତି ପରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି କ୍ରମାଗତ ପଏଣ୍ଟ ହାସଲ କରି ୧୮ ମିନିଟ୍ ମଧ୍ୟରେ ୨୧-୧୦ ରେ ଗେମ୍ ଜିତି ନେଇଥିଲେ।

ଦ୍ୱିତୀୟ ଗେମ୍‌ରେ ଜାପାନୀ ଖେଳାଳି ଆକେଚି ନିଜର ଦୃଢ଼ ଡିଫେନ୍ସ ଏବଂ ସଟ୍ ସିଲେକ୍ସନ୍ ବଳରେ ମ୍ୟାଚ୍‌କୁ ଫେରିଥିଲେ। ସିନ୍ଧୁ ୪-ପଏଣ୍ଟରେ ପଛୁଆ ଥାଇ ମଧ୍ୟ ସ୍କୋରକୁ ୧୬-୧୬ ରେ ସମାନ କରିଥିଲେ। ତେବେ ଗେମ୍‌ ଶେଷ ଭାଗରେ ଆକେଚି ନିଜର ଧୈର୍ଯ୍ୟ ବଜାୟ ରଖି ୨୦-୨୦ ସ୍ଥିତିରୁ ୨୨-୨୦ ରେ ଗେମ୍ କବଜା କରି ମ୍ୟାଚ୍‌କୁ ନିର୍ଣ୍ଣାୟକ ତୃତୀୟ ଗେମ୍‌କୁ ନେଇଥିଲେ। ନିର୍ଣ୍ଣାୟକ ଗେମ୍‌ରେ କଡ଼ା ମୁକାବିଲା ହୋଇଥିଲେ ବି ସିନ୍ଧୁ ମ୍ୟାଚ୍‌ ଜିତିନେଇଥିଲେ ।

 ବିଶ୍ୱର ୧ ନମ୍ବର ଖେଳାଳିଙ୍କ ସହ ମୁକାବିଲା
ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ରେ ସିନ୍ଧୁ ଦକ୍ଷିଣ କୋରିଆର ବିଶ୍ୱର ୧ ନମ୍ବର ଖେଳାଳି ଆନ୍ ସେ ୟଙ୍ଗଙ୍କୁ ସାମ୍ନା କରିବେ। ଚଳିତ ବର୍ଷ ଜୁଲାଇ ମାସରେ ଜାପାନ ଓପନ୍ ସୁପର ୭୫୦ ଟାଇଟଲ୍ ଜିତିଥିବା ସିନ୍ଧୁଙ୍କ ପାଇଁ ଏହି ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହେବ ।  ଆନ୍ ସେ ୟଙ୍ଗ୍‌ଙ୍କ ବିପକ୍ଷରେ ସିନ୍ଧୁ ପୂର୍ବରୁ ଖେଳିଥିବା ସମସ୍ତ ୧୦ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ପି.ଭି ସିନ୍ଧୁ ଫାଇନାଲ୍‌ରେ ଦୃଢ଼ ପ୍ରଦର୍ଶନ କରି ଦ୍ବିତୀୟ Super 750 ଟାଇଟଲ୍‌ ନିଜ ନାଁରେ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ । ଏହା ପୂର୍ବରୁ ଜଲାଇରେ ଜାପାନ ଓପନ ୭୫୦ ଟାଇଟଲ୍‌ ଜିଣିଥିଲେ ପି.ଭି. ସିନ୍ଧୁ ।