ଭୁବନେଶ୍ଵର: ବିଶ୍ବ ପଖାଳ ଦିବସର ଖର୍ଚ୍ଚକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବା ବେଳେ ଏବେ ଏହାର କାଉଣ୍ଟର ପାଇଁ ଓହ୍ଲାଇଛନ୍ତି ବିଜେପିର ନେତା ଓ ମନ୍ତ୍ରୀ । ପଖାଳ ଦିବସରେ ପ୍ରାୟ ଅଢେଇ କୋଟିର ପଖାଳ ଖାଇଗଲେ ବୋଲି ବିଜେଡି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ ଏବେ ବିଜେଡି ବେଳର ଝୋଟ ବ୍ୟାଗ ବଣ୍ଟା କଥା ମନେପକେଇଛନ୍ତି ବିଜେପି ନେତା । ସେତେବେଳେ ଲୋକଙ୍କୁ ୨୪୭ କୋଟିର ଝୋଟ ବ୍ୟାଗ ବାଣ୍ଟିଥିଲେ ବିଜେଡି ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏବେ ପଖାଳ ବନାମ ଝୋଟ ବ୍ୟାଗ ରୁ ଆରମ୍ଭ ହୋଇଛି ବିଜେଡି- ବିଜେପିର ସୋସିଆଲ ମିଡିଆ ୱାର ।

ପଖାଳ ବନାମ ଝୋଟ ବ୍ୟାଗ । ସେବେ ଝୋଟ ବ୍ୟାଗରେ ଉଡିଥିଲା ୨୪୭ କୋଟି । ଆଉ ଏବେ ଦିନକରେ ପଖାଳ ଖାଇଦେଲେ ପ୍ରାୟ ଅଢେଇ କୋଟିର । ଯାହାକୁ ନେଇ ତେଜିଛି ବିଜେପି ବନାମ ବିଜେଡି ରାଜନୀତି। ରାଜ୍ୟ ରାଜକୋଷରୁ କିଭଳି ମନଇଛା ଅର୍ଥ ଖର୍ଚ୍ଚ କରି ନେତା ଓ ଦଳ ବାଃ ବାଃ ନିଅନ୍ତି ଆଉ ଧରାପଡିବା ପରେ ପରସ୍ପରକୁ ଅଙ୍ଗୁଳି ଉଠାନ୍ତି ତାକୁନେଇ ଆରମ୍ଭ ହୋଇଛି ବିବାଦ । ଗତ ବିଶ୍ବ ପଖାଳ ଦିବସରେ ୧୧୭୭ କେଜିର ପଖାଳ ପ୍ରସ୍ତୁତ କରି ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଥିଲା ଓଡ଼ିଶା ।ସେଥିପାଇଁ ଖର୍ଚ୍ଚ ହୋଇଥିଲା ମୋଟ ୨ କୋଟି ୩୨ ଲକ୍ଷ ଟଙ୍କା । ସେଥିରୁ ପଖାଳ ପ୍ରସ୍ତୁତ କରିଥିବା ସଂସ୍ଥାକୁ ୮୫ ଲକ୍ଷ ୬୬ ହଜାର ଟଙ୍କାର ବିଲ ଦିଆଯାଇଥିଲା । ଯାହାତ ପଖାଳ ଖାଇଲେ ଖାଇଲେ ଏହାକୁ ଆୟୋଜନ କରିଥିବା ସଂସ୍ଥା ଏବଂ ଅନ୍ୟାନ ଖର୍ଚ୍ଚ ବାବଦକୁ କୋଟିଏରୁ ଅଧିକ ଟଙ୍କା ସ୍ବାହା ହୋଇଥିଲା ।

Also Read: ବିଜେପିରେ ମିଶିଲେ ମଞ୍ଜୁଲତା ଏବଂ ମୁକ୍ତିକାନ୍ତ ମଣ୍ଡଳ, ସୁବାସିନୀ ସାହୁ ମଧ୍ୟ ଦଳରେ ସାମିଲ

ଏ ଖବର ସାମ୍ନାକୁ ଆସିବା ପରେ ସରକାରଙ୍କୁ ବିରୋଧି ଦଳମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହାର ଜବାବରେ ପୂର୍ବ ବିଜେଡି ସରକାରଙ୍କ ଅମଳର ହୋଇଥିବା ଝୋଟ ବ୍ୟାଗ ଖର୍ଚ୍ଚ କଥା ଉଠାଇ ବିଜେଡିକୁ ସମାଲୋଚନା କରିଛି ବିଜେପି । ସେତେବେଳେ ଲୋକଙ୍କୁ ଝୋଟ ବ୍ୟାଗ ବଣ୍ଟାରେ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୨୪୭ କୋଟି ଟଙ୍କା । ଏକଥା କଣ ବିଜେଡି ଭୁଲି ଯାଇଛି କି ବୋଲି ବିଜେପି ନେତା ମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଦୁଇଦଳର ଏହି ସୋସିଆଲ ମିଡିଆ ୱାର ଏବେ ରାଜନୈତିକ ମହଲକୁ ସରଗରମ କରିଛି ।

ରାଜନୈତିକ ସମୀକ୍ଷକଙ୍କ କହିବା କଥା, ବିଜେଡି ଓ ବିଜେପି ମଧ୍ୟରେ ଏବେ ଡିଜିଟାଲ ୱାର ଆରମ୍ଭ ହୋଇଛି ।ତେଣୁ ପରସ୍ପର ପରସ୍ପରର ଗୋହି ଖୋଳୁଛନ୍ତି । କିନ୍ତୁ ପଖାଳ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ରାଜ୍ୟର ସଂସୃତିକୁ ଆଗକୁ ନେବ ।ହେଲେ ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ ବଣ୍ଟା ନିର୍ଦ୍ଦିଷ୍ଟ ଦଳର ବ୍ରାଣ୍ଡିଙ୍ଗ ପାଇଁ ହୋଇଥିଲା ବୋଲି ସେ କହିଛନ୍ତି । ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଶାସକ ଓ ବିରୋଧି ଦଳ ଭିତରେ ତୁତୁ ମେଁମେଁ ପାରା ଛୁଇଁଛି । ଆଗକୁ ଏହା ଅଧିକ ଶାଣିତ ହେବ ଏଥିରେ ସନ୍ଦେହ ନାହିଁ ।