ନୂଆଦିଲ୍ଲୀ:  ଜୈଶ-ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ସଂପର୍କରେ ଥିବା ଜଣେ ୩୩ ବର୍ଷୀୟ ରାପିଡୋ ଡ୍ରାଇଭରକୁ ମୁମ୍ବାଇ ଏଟିଏସ୍‌ ଗିରଫ କରିଛି । ମହମ୍ମଦ ହାସନ ଅବୁ ସର୍ମଦ ଅଖତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଥିଲା । ଗୁପ୍ତ ସୂଚନା ଆଧାରରେ ମହାରାଷ୍ଟ୍ରର ଏଟିଏସ୍‌ ଟିମ୍‌ ଅଖତର ରହୁଥିବା ମାହିମ ଅଞ୍ଚଳରେ ଚଢ଼ାଉ କରିଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, କାହାକୁ ଯେମିତି ସନ୍ଦେହ ନହେବ, ସେଥିଲାଗି ଅତର ବ୍ୟବସାୟ ସହ ରାପିଡୋ ଡ୍ରାଇଭର ଭାବରେ କାମ କରୁଥିଲା ଅଖତର । 

ଗିରଫ ଅଖତର ପାକିସ୍ତାନର ଗୁଇନ୍ଦା ଏଜେନ୍ସି ସହ ସଂପର୍କରେ ଥିଲା । ଭାରତରେ ଧାର୍ମିକ ବିଭେଦ ସୃଷ୍ଟି କରିବାକୁ ସେ ଚେଷ୍ଟା କରୁଥିଲା।  ଏପରିକି ଜୈଶର ମୁଖ୍ୟ ମସୁଦ ଅଜହରର ଅଡିଓ କ୍ଲିପ୍‌ ଟେଲିଗ୍ରାମରେ ଭାଇରାଲ କରିଥିଲା ଅଖତର । ଟେଲିଗ୍ରାମରେ ‘ଇଣ୍ଡିଆନ୍‌ ମୁସଲିମ୍‌’ ନାମକ ଏକ ଗ୍ରୁପ୍‌ରେ ସେ ଏହି ଅଡିଓ କ୍ଲିପ୍‌ ସେୟାର କରିଥିଲା । ସେ ପାକିସ୍ତାନର ଏକ ଇସଲାମ ଉଗ୍ରବାଦୀ ସଂଗଠନର ଟେଲିଗ୍ରାମ ଗ୍ରୁପ୍‌ରେ ଥିଲା  । 

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଅଖତର ଲଗାତାର ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରୁଥିଲା । ସେ କରିଥିବା ପୋଷ୍ଟ ମଧ୍ୟରେ, ‘ଅବ୍‌ ଜିହାଦ କା ସମୟ ଆ ଗୟା ହୈ’ ସାମିଲ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ମଧ୍ୟ ଅଖତର ପୋଷ୍ଟ କରିଥିଲା।  ସେ ଲେଖିଥିଲା, ‘ଇନ୍ଦିରା ଗାନ୍ଧୀଙ୍କ ଭଳି ପିଏମ ମୋଦୀଙ୍କ ସହ କିଛି କରିବାର ଥିଲା ।’ ଏଟିଏସ୍‌ ଅଧିକାରୀମାନେ, ଅଖତର ପାଖରୁ ଏକ ସ୍ମାର୍ଟଫୋନ୍‌ ସହି କିଛି ସ୍କ୍ରିନ୍‌ସଟ୍‌ ଜବତ କରିଛି । 

ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ମାମଲାର କିଛି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଅଭିନେତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ରାପିଡୋ ଡ୍ରାଇଭର ଥିଲା । ରାପିଡୋ ଚଳାଇବା ସହ , ଅଭିନେତା ରହୁଥିବା ଅଞ୍ଚଳର ସେ ରେକି କରୁଥିଲା । ଅଖତରର ପଡ଼ୋଶୀ କହିଛନ୍ତି ଯେ, ସେମାନେ ଭାବି ନଥିଲେ ଯେ, ଅଖତର ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବ। ସେ ସାଧାରଣତଃ ଶାନ୍ତ ସ୍ୱଭାବର ଥିଲା ଏବଂ କାହା ସହିତ ଅଧିକ କଥା ହେଉନଥିଲା। ତେବେ, ଯଦି କେହି ଦେଶ ସହିତ ବିଶ୍ୱାସଘାତକତା କରେ, ତେବେ ତାକୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ୍ ବୋଲି ପଡ଼ୋଶୀମାନେ ମତ ଦେଇଛନ୍ତି।