ଭୁବନେଶ୍ୱର ୦୮।୦୭ : ଆଉ ଜଣେ ହେଭିଓ୍ୱେଟ୍‌ ନେତା ବିଜେପିରେ ମିଶିପାରନ୍ତି । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜେପିରେ ସାମିଲ ହେବା ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ।

ଆସନ୍ତା ୧୨ ତାରିଖ ରବିବାର ପ୍ରଭାତ ପଦ୍ମ ଧରିବେ ବୋଲି ଆପାତତଃ ସ୍ଥିର ହୋଇଛି। ଭୁବନେଶ୍ଵର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ।  ଏହି ମିଶ୍ରଣ ପର୍ବରେ ପ୍ରଭାତଙ୍କ ବହୁ ସମର୍ଥକ, ଅନୁଗତ କର୍ମୀ ମଧ୍ୟ ସାମିଲ୍ ହେବେ। ପ୍ରଭାତଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ସମେତ ଦଳର ବହୁ ତୁଙ୍ଗନେତା ଉପସ୍ଥିତ ରହିବେ।

Also Read:-ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି

ତେବେ ପ୍ରଭାତଙ୍କ ସହ ଉଭୟ ଚୌଦ୍ଵାର ପୌରପାଳିକା ଓ କଟକ ମହାନଗର ନିଗମର କେଉଁ କାଉନ୍‌ସିଲର୍‌ ଓ କର୍ପୋରେଟର୍‌ ବିଜେପିରେ ମିଶୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି। କାରଣ ଦୁଇ ପୌରସଂସ୍ଥାରେ ପ୍ରଭାତଙ୍କ ଅନେକ ସମର୍ଥକ, ଅନୁଗତ ରହିଛନ୍ତି। ପୂର୍ବରୁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ରାଜ୍ୟସଭା ନିର୍ବାଚନ ବେଳେ ପ୍ରଭାତ ବିଶ୍ୱାଳଙ୍କୁ ଦଳବିରୋଧି କାମ ପାଇଁ ବିଜେଡିରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହାପରଠାରୁ ସେ ବିଜେପିକୁ ଯିବା ନେଇ ଲାଗିରହିଥିଲା ଚର୍ଚ୍ଚା । ସେହିପରି ଗତ ନିର୍ବାଚନ ପରଠାରୁ ପ୍ରଭାତ ଏବଂ ବିଜେଡି ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।