ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟର ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇ ଗତି କରୁଛି ଓଡ଼ିଶା। ଭୂମିକମ୍ପ ଆଶଙ୍କାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ବଜ୍ରପାତ ଚିନ୍ତା ବଢ଼ାଇଛି। ବାତ୍ୟା, ବନ୍ୟା ଓ ତାପପ୍ରବାହ ଅପେକ୍ଷା ରାଜ୍ୟରେ ବଜ୍ରପାତ ଯୋଗୁଁ ଅଧିକ ଜୀବନ ହାନି ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ୨୦୧୭ରୁ ୨୦୨୫ ପର୍ଯ୍ୟନ୍ତ ତଥ୍ୟ ଆଧାରରେ ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ ରହିଛି। କେବଳ ଜୀବନ ନୁହେଁ, ଚାଷ ଜମି ଓ ଫସଲ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି।

୫ ବର୍ଷରେ ବଜ୍ରପାତ ନେଇଛି ୧,୬୨୫ ଜୀବନ

ରାଜ୍ୟରେ ବଜ୍ରପାତର ଘନତା ଓ ତୀବ୍ରତା ବୃଦ୍ଧି ପାଉଥିବା ନେଇ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରର ତଥ୍ୟ ସୂଚାଉଛି। ୨୦୨୪ର ବିଧାନସଭା ରିପୋର୍ଟ ଅନୁସାରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବଜ୍ରପାତ ଯୋଗୁଁ ୧,୬୨୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ୨୦୧୭ରୁ ୨୦୨୫ ପର୍ଯ୍ୟନ୍ତ NCRB ତଥ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ତାଲିକାରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶ ପ୍ରଥମ, ବିହାର ଦ୍ୱିତୀୟ, ମଧ୍ୟପ୍ରଦେଶ ତୃତୀୟ ଓ ମହାରାଷ୍ଟ୍ର ଚତୁର୍ଥ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ବଜ୍ରପାତକୁ ନେଇ ଆଗୁଆ ସତର୍କତା ଓ ମୃତ୍ୟୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବା ରାଜ୍ୟ ପାଇଁ ବଡ଼ ଆହ୍ୱାନ ପାଲଟିଛି।

Also Read: ଅର୍ଣ୍ଣବ, ମୁରାସୁ ପରେ ଆଉ ଏକ ବାତ୍ୟା, ୧୯ରେ ନେଇପାରେ ଅତି ଭୀଷଣ ରୂପ !

ସକାଳ ୭ଟାରୁ ୧୧ଟା ମଧ୍ୟରେ ଅଧିକ ବଜ୍ରପାତ

ବଜ୍ରପାତର ସମୟ ମଧ୍ୟ ଏବେ ଚିନ୍ତାର କାରଣ ହୋଇଛି। ବୈଜ୍ଞାନିକ ଆଲୋକ ତାଓରିଙ୍କ କହିବା ଅନୁସାରେ, ଓଡ଼ିଶାରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଅଧିକ ବଜ୍ରପାତ ହେଉଛି। କେତେକ ସ୍ଥାନରେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟ ଜାରି ରହୁଛି। ଦିନବେଳେ ବଜ୍ରପାତ ହେଉଥିବାରୁ ଚାଷୀ ଓ ବିଲରେ କାମ କରୁଥିବା ଶ୍ରମିକମାନେ ଅଧିକ ବିପଦରେ ପଡ଼ୁଛନ୍ତି।

କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡ଼ୁଥିବାରୁ ପାଣିପାଗ ସତର୍କ ସୂଚନା ଥିଲେ ମଧ୍ୟ ଅନେକ ସମୟରେ ତାହାକୁ ଅଣଦେଖା କରାଯାଉଛି। ଏହା ଜୀବନହାନିର ଅନ୍ୟତମ କାରଣ ହେଉଛି। ବଜ୍ରପାତ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ହେବ, ତାହାର ସଠିକ୍ ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର ବୋଲି ବୈଜ୍ଞାନିକ କହିଛନ୍ତି।

ଏପ୍ରିଲ-ମେ ଓ ଜୁଲାଇ-ସେପ୍ଟେମ୍ବରରେ ଅଧିକ ବିପଦ

ବଜ୍ରପାତ ବର୍ଷର ଯେକୌଣସି ସମୟରେ ହୋଇପାରେ। କିନ୍ତୁ ଏପ୍ରିଲରୁ ମେ ଏବଂ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହାର ପ୍ରଭାବ ଅଧିକ ରହୁଥିବା ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ମୃତ୍ୟୁ ଅଧିକ ରହିଥିବା ବେଳେ ମୟୂରଭଞ୍ଜ, କଟକ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି ସମସ୍ୟା ଗମ୍ଭୀର ରହିଛି।

Also Read: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ତତ୍ପରତା, ବିନା ଅନୁମତିରେ ହେଡ୍‌କ୍ୱାର୍ଟର ଛାଡ଼ିବା ମନା

ବଜ୍ରପାତରେ ଫସଲ ନଷ୍ଟ ହେଉଛି କିପରି ?

ବଜ୍ରପାତ କେବଳ ମଣିଷ ଓ ପଶୁଙ୍କ ଜୀବନ ପାଇଁ ବିପଦ ନୁହେଁ, ଚାଷ ଜମି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ନେଇ ଗବେଷଣାରେ ଆଲୋଚନା ହେଉଛି। ବଜ୍ରପାତ ସମୟରେ ବାୟୁମଣ୍ଡଳର ନାଇଟ୍ରୋଜେନ୍ ଓ ଅମ୍ଳଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ହୋଇ ନାଇଟ୍ରୋଜେନ୍ ଅକ୍ସାଇଡ୍ (NOx) ସୃଷ୍ଟି ହୋଇପାରେ। ପରବର୍ତ୍ତୀ ବର୍ଷା ସହ ଏହାର କିଛି ଅଂଶ ମାଟିକୁ ଆସି ନାଇଟ୍ରୋଜେନ୍ ଯୋଗାଇପାରେ।

ତେବେ ଏହାକୁ ସିଧାସଳଖ କ୍ଷତିକାରକ ସାର ବୋଲି କହିବା ଠିକ୍ ନୁହେଁ। ଚାଷ ଜମିରେ ବଜ୍ରପାତର ପ୍ରଭାବ, ମାଟିର ଗୁଣବତ୍ତା ଓ ଫସଲର ଅମଳ ସହ ଏହାର ସମ୍ପର୍କ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏହି ଦିଗରେ ବୈଜ୍ଞାନିକମାନେ ଅଧ୍ୟୟନ ଜାରି ରଖିଛନ୍ତି।

ତାଳ ଗଛ ସହ ଲାଇଟନିଂ ଆରେଷ୍ଟର ଉପରେ ଗୁରୁତ୍ୱ

ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ଓଡ଼ିଶା ସରକାର ତାଳ ଗଛ ଲଗାଇବା ଯୋଜନା ରଖିଛନ୍ତି। କିନ୍ତୁ କେବଳ ତାଳ ଗଛ ଲଗାଇବା ଯଥେଷ୍ଟ ହେବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଏହା ସହିତ ଲାଇଟନିଂ ଆରେଷ୍ଟର ଭଳି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ଆବଶ୍ୟକ। ବିଶେଷକରି ଖୋଲା ପଡ଼ିଆ ଓ ଚାଷ ଜମି ନିକଟରେ ଏଭଳି ବ୍ୟବସ୍ଥା କରାଗଲେ ଜୀବନହାନି କମାଇବାରେ ସହାୟତା ମିଳିପାରିବ।

Also Read: ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍ ଗେଟ୍ : ଲୋକଙ୍କୁ କରାଗଲା ସତର୍କ

ଏଥିସହ ଗ୍ରାମପଞ୍ଚାୟତ ସ୍ତରରୁ ବଜ୍ରପାତ ସୁରକ୍ଷା ନେଇ ସଚେତନତା ବଢ଼ାଇବା ଦରକାର। ବଜ୍ରପାତ ସମୟରେ ଖୋଲା ପଡ଼ିଆ କିମ୍ବା ବିଲରେ ଥିଲେ କ'ଣ କରିବା ଉଚିତ, କେଉଁଠି ଆଶ୍ରୟ ନେବା ଦରକାର ଏବଂ କେଉଁ କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ, ସେନେଇ ଲୋକଙ୍କୁ ତାଲିମ ଦେବା ଜରୁରୀ।

ବଜ୍ରପାତର ସଠିକ୍ ସ୍ଥାନ ଚିହ୍ନଟ କରି ଚାଷୀଙ୍କୁ ଆଗୁଆ ସତର୍କ ସୂଚନା ଦେବା ନେଇ ମଧ୍ୟ ଗବେଷଣା ଚାଲିଛି। ତେବେ ଏହି ପ୍ରାକୃତିକ ବିପଦର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତି, ସୁରକ୍ଷା ଭିତ୍ତିଭୂମି ଓ ଜନସଚେତନତାକୁ ଏକାଠି କରିବା ହିଁ ସବୁଠୁ ବଡ଼ ଆବଶ୍ୟକତା।