ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ୍ ପରେ ଦିନିକିଆ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ। ମାଉଣ୍ଟ ମାଙ୍ଗାନୁଇରେ ଖେଳା ଯାଇଥିବା ପଞ୍ଚମ ଦିନିକିଆରେ ଭାରତ ୨୨ ରନରେ ବିଜୟୀ ହୋଇଛି। ସାତ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍ ଜିତିଛି ଭାରତୀୟ ଦଳ। ହେଲେ ସବୁଠୁ ବଡ଼ କଥା କିଓ୍ଵି ମାଟିରେ ନିଜର ଶେଷ ମ୍ୟାଚ୍ ଖେଳିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା। ମ୍ୟାଚ୍ ପରେ ଦୁଇ ତାରକା ଖେଳାଳି ଷ୍ଟାଡିୟମରେ ସମବେତ ଦର୍ଶକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି।

ରୋହିତ ଓ ବିରାଟଙ୍କ ପାଇଁ ନ୍ୟୁଜିଲାଣ୍ଡ ଶେଷ ଗସ୍ତ ଥିଲା। ଦୁଇ ଷ୍ଟାର ବ୍ୟାଟର ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇ ସାରିଛନ୍ତି ଏବଂ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି। ହେଲେ ନ୍ୟୁଜିଲାଣ୍ଡ ମାଟିରେ ନିଜର ଶେଷ ଦିନିକିଆରେ ଫେଲ୍ ମାରିଛନ୍ତି ରୋ-କୋ। ରୋହିତ ୧୩ ବଲରୁ ୭ ରନ ଏବଂ କୋହଲି ୭ ବଲରୁ ୫ ରନ କରି ଆଉଟ୍ ହୋଇଛନ୍ତି। ହେଲେ ଉଭୟଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ହଜାର ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଫିଲ୍ଡିଂ ସମୟରେ ଦୁଇ ଖେଳାଳିଙ୍କୁ ବେଶ ଉତ୍ସାହିତ କରିଥିଲେ ଦର୍ଶକ। ମ୍ୟାଚ୍ ସରିବା ପରେ ଦୁଇ ତାରକା ଖେଳାଳି ଭାବ ବିହ୍ଵଳ ହୋଇଥିବା ଦେଖିବାକୁ ମିଳିଥିଲା।

 

 

ଏମିତି ଥିଲା ମ୍ୟାଚ୍

ପଞ୍ଚମ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୪୨.୧ ଓଭରରେ ୨୦୯ ରନ କରି ପାରିଥିଲା। ଦଳ ପକ୍ଷରୁ ଇଶାନ କିଶନ ଓ ଅକ୍ଷର ପଟେଲ ୪୬ ରନ ଲେଖାଏଁ କରିଥିଲେ। ଜବାବରେ ଭାରତର ଦ୍ରୁତ ବୋଲରଙ୍କ ମୁକାବିଲା କରି ନ ପାରି ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୧୮୭ ରନ କରି ପାରିଥିଲା। ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଅର୍ଶଦୀପ ସିଂଙ୍କ ନେତୃତ୍ଵାଧିନ ଦ୍ରୁତ ବୋଲର।

ପଞ୍ଚମ ତଥା ନିର୍ଣ୍ଣାୟକ ଦିନିକିଆକୁ ଜିତି ଭାରତ ସିରିଜକୁ ୩-୧ରେ ଜିତି ନେଇଛି। ସାତ ବର୍ଷ ପରେ ଭାରତ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ୍ ଜିତି ପାରିଛି। ଏହା ପୂର୍ବରୁ ଦଳ ୨୦୧୮-୧୯ରେ ନ୍ୟୁଜିଲାଣ୍ଡ ମାଟିରେ ୪-୧ରେ ସିରିଜ୍ ଜିତିଥିଲା। କିଓ୍ଵି ଟିମ୍ ମଧ୍ୟ ସାତ ବର୍ଷ ପରେ ଘରୋଇ ମାଟିରେ ଦିନିକିଆ ସିରିଜ୍ ହାରିଛି।