ଭୁବନେଶ୍ୱର: ଅର୍ଣ୍ଣବ ଓ ମୁରାସୁ ପରେ ଏବେ ପୁଣି ଆଉ ଏକ ଅତି ଭୀଷଣ ବାତ୍ୟା ସମ୍ଭାବନା । ଗୋଟିଏ ପରେ ଗୋଟିଏ ବାତ୍ୟ ସୃଷ୍ଟି ଏବେ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି । ଅର୍ଣ୍ଣବ ଓ ମୁରାସୁ ପରେ ଏବେ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି । ବଙ୍ଗୋପସାଗରରେ ଆଉ ଏକ ବାତ୍ୟାର ଭୟ ଘନେଇବାରେ ଲାଗିଛି । ବଙ୍ଗୋପ ସାଗରରେ ଘନୀଭୂତ ହେବାରେ ଲାଗିଛି ଅବପାତ । ତେବେ ଏହି ବାତ୍ୟା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପହଞ୍ଚିବା ନେଇ ଆକଳନ କରାଯାଇଛି। ତେବେ ଏହି ବାତ୍ୟା କେତେ ପ୍ରଭାବ ପକାଇବ ଏବେ ତାକୁ ନେଇ ଭୟ ଓ ଆଶଙ୍କାରେ ଓଡ଼ିଶା ।

କେଉଁ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ସମ୍ଭାବ୍ୟ ବାତ୍ୟା ? କେଉଁ ଅଞ୍ଚଳରେ ତାଣ୍ଡବ ରଚିବ ସମ୍ଭାବ୍ୟ ବାତ୍ୟା ? ଓଡ଼ିଶାକୁ ଅଛି କି ବଡ଼ ବିପଦ ? ବାତ୍ୟା ପ୍ରଭାବରେ ଓଡ଼ିଶା ହେବ କି କ୍ଷତିଗ୍ରସ୍ତ ? ବଙ୍ଗୋପସାଗରରେ ଧୀରେ ଧୀରେ ବଳ ଗୋଟାଇ ଶକ୍ତିଶାଳୀ ହେବାରେ ଲାଗିଛି ଅବପାତ । ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଏହା ଆଗାମୀ କିଛି ଦିନ ଭିତରେ ଏକ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ଗୋପାଳପୁର ଠାରୁ ପ୍ରାୟ ୧୧୦୦ କିମି ଦୂରରେ ଅଛି । ନଭେମ୍ବର ୧୬ ତାରିଖ ସୁଦ୍ଧା ଏହା ଶକ୍ତି ଗୋଟାଇ ବାତ୍ୟାର ରୂପ ନେଇପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଏହା ୧୭ ତାରିଖରେ 'ଭୀଷଣ ବାତ୍ୟା' ଏବଂ ୧୯ ତାରିଖ ବେଳକୁ 'ଅତି ଭୀଷଣ ବାତ୍ୟା'ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁବା ସ୍ଥାନ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ଅଧିକ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ଯେ, ସିଷ୍ଟମର ଗତିପଥ ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ସ୍ଥଳଭାଗ ଏବଂ ପ୍ରଭାବ କେଉଁଠି କେତେ ରହିବ, ସେନେଇ ସଠିକ୍ ଆକଳନ କରାଯାଇପାରିବ ।

ଅନ୍ୟପଟେ ଯଦିଓ ଏହାର ସିଧାସଳଖ ଲ୍ୟାଣ୍ଡଫଲ ଓଡ଼ିଶା ଉପରେ ନାହିଁ, ତଥାପି ବାତ୍ୟାର ପ୍ରଭାବ ରାଜ୍ୟରେ ରହିବ ବିଶେଷ କରି ଦକ୍ଷିଣ ଓଡ଼ିଶା ପୁଣି ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ଏବଂ ଉପକୂଳର ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ଏବଂ କିଛି ସ୍ଥାନରେ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

୧୯ ବାତ୍ୟା ପୂର୍ବରୁ ନଭେମ୍ବର ୧୮ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ଓ ପବନର ପ୍ରଭାବ ଦେଖାଦେବ ସେହିଭଳି କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ । ୧୯ ତାରିଖରୁ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ୍ ସତର୍କ ସୂଚନା ଜାରି କରାଯାଇଛି । ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରଯାଇଛି। ତେବେ ଲଗାତାର ତିନି ତିନିଟା ବାତ୍ୟାକୁ ନେଇ ଏବେ ସାଧାରଣ ଲୋକେ ଭୟଭୀତ। କଣ ରହିବ ବାତ୍ୟାର ଗତିପଥ, ବାତ୍ୟାର ପ୍ରଭାବ କଣ ତାକୁ ନେଇ ଏବେ ଚିନ୍ତାରେ ଲୋକେ । ତେବେ ଆସନ୍ତା କିଛି ଘଣ୍ଟା ପରେ ହିଁ ସ୍ପଷ୍ଟ ହେବ କେତେ ଭୟଙ୍କର ଏହି ସମ୍ଭାବ୍ୟ ବାତ୍ୟା ।