ମାଉଣ୍ଟ ମାଙ୍ଗାନୁଇ: ଗତକାଲି ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲର ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ କେଇ ନ ଘଣ୍ଟା ନ ବିତୁଣୁ କ୍ରିକେଟ୍ ପ୍ରେମୀଙ୍କୁ ଦେଖିବାକୁ ମିଳିଛି ଆଉ ଏକ ସସପେନ୍ସ ଥ୍ରୀଲର ମୁକାବିଲା। ହୃଦସ୍ପନ୍ଦନ ବଢାଇ ଦେବା ପରି ଏହି ମ୍ୟାଚରେ ଭ୍ରମଣକାରୀ ଭାରତ ଆୟୋଜକ ନ୍ୟୁଜିଲାଣ୍ଡକୁ ୨୨ ରନରେ ଦେଇଛି ମାତ୍। ପଞ୍ଚମ ତଥା ନିର୍ଣ୍ଣାୟକ ଦିନିକିଆକୁ ଜିତି ଭାରତ ସିରିଜକୁ ୩-୧ରେ ଜିତି ନେଇଛି। ଏହି ଲୋ ସ୍କୋରିଂ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୨.୧ ଓଭରରେ ୨୦୯ ରନ କରି ପାରିଥିଲା। ଜବାବରେ ଭାରତର ଦ୍ରୁତ ବୋଲରଙ୍କ ମୁକାବିଲା କରି ନ ପାରି ଘରୋଇ ଦଳ ୪୮.୧ ଓଭରରେ ୧୮୭ ରନ କରି ପାରିଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଅର୍ଶଦୀପ ସିଂଙ୍କ ନେତୃତ୍ଵାଧିନ ଦ୍ରୁତ ବୋଲର। ସବୁଠୁ ବଡ଼ କଥା ନ୍ୟୁଜିଲାଣ୍ଡର ସିରିଜ୍ ବିଜୟ ଉପରେ ବ୍ରେକ ଲଗାଇଛି ଭାରତ।

Also Read: ରୋମାଞ୍ଚକର ଫାଇନାଲ୍; ପାକିସ୍ତାନ ମୁହଁରୁ ବିଜୟ ଛଡ଼ାଇ ଆଣିଲେ ମନଲ ଓ ମୋହିତ, ୯ମ ଟାଇଟଲ୍ ଜିତିଲା ଭାରତ

୨୧୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ୨୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ସିରିଜରେ ପ୍ରଥମ ଥର ଖେଳିଥିବା ମହମ୍ମଦ ସିରାଜ ଟିମ ସେଇଫର୍ଟ(୧୪)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଓ୍ଵିଲ ୟଙ୍ଗ ଓ ନିକ କେଲି ଦ୍ଵିତୀୟ ଓ୍ଵିକେଟରେ ୩୮ ରନ ଯୋଡ଼ି ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ଓ୍ଵିଲ ୟଙ୍ଗ ୨୨ ରନ କରି ଅର୍ଶଦୀପ ସିଂଙ୍କ ଶିକାର ହୋଇଥିଲେ। ଏହା ପରେ କିଓ୍ଵି ଦଳ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।

ମଧ୍ୟକ୍ରମରେ ଡିନ ଫକ୍ସକ୍ରଫ ୩୧ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ନିମ୍ନ କ୍ରମରେ ମାଇକେଲ୍ ବ୍ରେସଓ୍ଵେଲ(୧୯ ରନ) ଓ ଅଧିନାୟକ ମିଚେଲ୍ ସାଣ୍ଟନର(୨୪ ରନ) କିଛିଟା ସଂଘର୍ଷ କରିଥିଲେ। ତେବେ ଅର୍ଶଦୀପ, ସିରାଜ, ଆକିବ ନବି ଓ ୟଶ ଠାକୁର ଶାଣିତ ବୋଲିଂ କରି ନ୍ୟୁଜିଲାଣ୍ଡକୁ କୌଣସି ସୁଯୋଗ ଦେଇ ନ ଥିଲେ। ଓ୍ଵିକେଟ୍ ପତନ ସହ କିଓ୍ଵି ଦଳ ଉପରେ ଚାପ ବଢିବା ସହ ମ୍ୟାଚରୁ ଦୂରେଇବାରେ ଲାଗିଥିଲେ। ଶେଷରେ ୪୮.୧ ଓଭରରେ ନ୍ୟୁଜିଲାଣ୍ଡ ୧୮୭ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ୨୨ ରନରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି।

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୧୦ ଓଭରରେ ୩୦ ରନ ବିନିମୟରେ ୩ଟି ଓ୍ଵିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ସହଯୋଗ ମହମ୍ମଦ ସିରାଜ ୫୦ ରନ ବ୍ୟୟ କରିଥିଲେ ହେଁ ବହୁମୂଲ୍ୟ ୨ଟି ଓ୍ଵିକେଟ୍ ନେଇଛନ୍ତି। ୟଶ ଠାକୁର ଓ ଆକିବ ନବି ଯଥାକ୍ରମେ ୩୮ ଓ ୩୭ ରନ ଦେଇ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ।