ଭୁବନେଶ୍ୱର : ଶୀତ ଆସିବା ମାତ୍ରକେ ଆମ ଶରୀର ଅନେକ ରୋଗର ଶିକାର ହୋଇଥାଏ । ଶୀତର ପ୍ରକୋପ ବଢ଼ିବା ସହ ବୃଦ୍ଧି ପାଇଥାଏ ରୋଗର ଆଶଙ୍କା | ବିଶେଷ କରି ଏହି ଋତୁରେ ନିମୋନିଆ ଭଳି ଗମ୍ଭୀର ଶ୍ୱାସଜନିତ ରୋଗର ବିପଦ ଅଧିକ ରହିଥାଏ। ସାଧାରଣ ଥଣ୍ଡା, କାଶ ଭାବି ଅନେକ ଲୋକ ଏହାକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଲଗାତାର କାଶ, ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ନିମୋନିଆର ସଙ୍କେତ ହୋଇପାରେ। ତେଣୁ ଶୀତଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ଯତ୍ନବାନ ହେବା ସହ ଠିକ୍ ସମୟରେ ଚିକିତ୍ସା କରାଇବା ଜରୁରୀ ହୋଇଥାଏ । ଖାସ କରି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଓ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗର ଶିକାର ହୋଇପାରନ୍ତି। ତେବେ କ'ଣ ରହିଛି ନିମୋନିଆର ଲକ୍ଷଣ ? କେମିତି ରହିବେ ସତର୍କ ? ଆସନ୍ତୁ ଜାଣିବା ।

ଶୀତ ଋତୁ ଆସିଲେ ବଦଳିଯାଏ ପାଣିପାଗ। ତାପମାତ୍ରା ହ୍ରାସ ସହ ବଢ଼ିଥାଏ ଥଣ୍ଡା, କାଶ ଓ ଜ୍ୱର ଭଳି ଅନେକ ସମସ୍ୟା। ହେଲେ ଏହି ସାଧାରଣ ଲକ୍ଷଣ ପଛରେ ଲୁଚି ରହିଥାଏ ଏକ ଗମ୍ଭୀର ରୋଗ ନିମୋନିଆ। ଏହା ଫୁସଫୁସକୁ ସଂକ୍ରମିତ କରୁଥିବା ଏକ ରୋଗ । ଯାହା ଶୁଣିବାକୁ ସାଧାରଣ ଲାଗୁଥିଲେ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ଅଟେ । ଭୂତାଣୁ, ଜୀବାଣୁ ଓ ଅନ୍ୟାନ୍ୟ ସଂକ୍ରମଣକାରୀ ଜୀବାଣୁ ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଲଗାତାର କାଶ, ଜ୍ୱର, ଛାତିରେ ଯନ୍ତ୍ରଣା, କଫ ଜମିବା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବା ଏହାର ପ୍ରମୁଖ ଲକ୍ଷଣ। ଛୋଟ ପିଲାଙ୍କ କ୍ଷେତ୍ରରେ ଦ୍ରୁତ ନିଶ୍ୱାସ ନେବା, କ୍ଷୀର ନପିଇବା ଓ ଅସ୍ୱାଭାବିକ ଭାବେ ନିଷ୍କ୍ରିୟ ହୋଇଯିବା ମଧ୍ୟ ଚିନ୍ତାଜନକ ସଙ୍କେତ। ବିଶେଷକରି ଶିଶୁ, ବୟସ୍କ ବ୍ୟକ୍ତି ଏବଂ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କ କ୍ଷେତ୍ରରେ ବିପଦ ଅଧିକ ରହିଥାଏ।

ତେବେ ନିମୋନିଆରୁ ରକ୍ଷା ପାଇବା ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ଉପଚାର । ଏଥିପାଇଁ ଆପଣଙ୍କୁ ଅଧିକ ସଚେତନ ହେବାକୁ ପଡିବ | ହାତକୁ ନିୟମିତ ଭଲ ଭାବେ ସଫା ରଖିବା, ପୁଷ୍ଟିକର ଖାଦ୍ୟ ଖାଇବା, ଥଣ୍ଡାରୁ ନିଜକୁ ସୁରକ୍ଷିତ ରଖିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ଟିକା ଓ ଔଷଧ ନେବା ଜରୁରୀ। ଜ୍ୱର, କାଶ କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଲେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସାମାନ୍ୟ ଅବହେଳା ଯେପରି ଗମ୍ଭୀର ସମସ୍ୟାର କାରଣ ନହୁଏ, ସେଥିପାଇଁ ସଚେତନ ରୁହନ୍ତୁ। କୌଣସି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ଚିକିତ୍ସା କରାନ୍ତୁ।