ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ ଫାଇନାଲ ମୁକାବିଲାରେ ଭାରତର ବିଜୟ ସେଲିବ୍ରେସନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେଲିବ୍ରେସନ ବେଳର କିଛି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପାକିସ୍ତାନ ଖେଳାଳି ସମ୍ମୁଖରେ ଭାରତୀୟ ଖେଳାଳି ବିବାଦୀୟ ଅଙ୍ଗଭଙ୍ଗୀ ସହିତ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ  କିଛି ଫ୍ୟାନ ଏହାକୁ ସମାଲୋଚନା କରିଥିବା ବେଳେ ପାକିସ୍ତାନ କ୍ରିକେଟର ଶୋଏବ ଅଖତର ମଧ୍ୟ ଏଭଳି ସେଲିବ୍ରେସନକୁ ନାପସନ୍ଦ କରିଛନ୍ତି।

ଏହି ବାଦ ବିବାଦ ଭିତରେ ଫାଇନାଲ ମୁକାବିଲାରେ ମ୍ୟାଚ ୱିନର ମୋହିତ ଉଲଭାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଖେଳାଳିମାନଙ୍କ ଉତ୍ସାହପୂର୍ଣ୍ଣ ସେଲିବ୍ରେସନ ସହିତ ପାକିସ୍ତାନୀ ପ୍ରତିଦ୍ୱନ୍ଦ୍ୱୀମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଷ୍ଟାର୍ ସ୍ପୋର୍ଟ୍ସକୁ ପ୍ରତିକ୍ରିୟା ଦେଇ ଉଲଭା କହିଛନ୍ତି “ ଏହା ସ୍ୱାଭାବିକ। ଏହା ଏକ ଭାରତ-ପାକିସ୍ତାନ ମ୍ୟାଚ୍ ଥିଲା, ତା’ଉପରେ ପୁଣି ଫାଇନାଲ ମୁକାବିଲା। ଲିଗ ଷ୍ଟେଜରେ ସେମାନେ ଆମକୁ ହରାଇ ଯେଉଁଭଳି ଭାବେ ସେଲିବ୍ରେସନ କରିଥିଲେ ଆମେ ଏହାକୁ ବ୍ୟକ୍ତିଗତ ନେଇ ନ ଥିଲୁ। ସେମାନେ ସେମାନଙ୍କର ବିଜୟକୁ ସେଲିବ୍ରେସନ କରୁଥିଲେ। ତେଣୁ ସେମାନେ କଣ କରୁଥିଲେ ତାହା ମେଟର କରେନି ବୋଲି ଆମେ ଭାବିଥିଲୁ। ଆମେ ବି ଠିକ୍ ସେହିଭଳି କଲୁ। ଆମେ ଆମର ବିଜୟକୁ ସେଲିବ୍ରେସନ କରିଥିଲୁ। ଏଥିରେ ଇମୋସନ, ଆଗ୍ରେସନ ଆଦି ସବୁକିଛି ଥିଲା। ଆମେ ସେମାନଙ୍କ ଦେଖାଇ କିଛି କରୁ ନଥିଲୁ। ଆମେ ନିଜ ଭିତରେ ସେଲିବ୍ରେଟ୍ କରିଥିଲୁ, ଏବଂ ଏହା ସ୍ୱାଭାବିକ ମଧ୍ୟ।”

ଫାଇନାଲ  ମୁକାବିଲାରେ ନିଜର ପ୍ରଦର୍ଶନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ମୋହିତ। ସେ କହିଛନ୍ତି “ ମୁଁ ଯେ ମୁଁ ପ୍ରକୃତରେ ଖେଳ ଶେଷ କରିଛି ଏକଥା ମୁଁ ବିଶ୍ୱାସ କରିପାରିଲି ନାହିଁ। ମୁଁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, ତା’ପରେ ଯାଇ ବୁଝିପାରିଲି ଯେ ମୁଁ ସତରେ ଏହା କରି ଦେଖାଇଛି। ତା’ପରେ ମୁଁ ସେଲିବ୍ରେସନ ଆରମ୍ଭ କରିଥିଲି। ”

କଣ କହିଲା ବିସିସିଆଇ ?

ଏହା ପୂର୍ବରୁ ବିସିସିଆଇ ମଧ୍ୟ ଏନେଇ ପ୍ରତିକ୍ରିୟା ରଖି ସାରିଛି। ବିସିସିଆଇ ଭାରତୀୟ ଖେଳାଳିଙ୍କ ଆବେଗଭରା ସେଲିବ୍ରେସନକୁ ସମର୍ଥନ କରିଛି। ପାକିସ୍ତାନ ହାତରୁ ଅବିଶ୍ୱାସନୀୟ ବିଜୟ ଛଡ଼ାଇ ଆଣିବା ପରେ ଖେଳାଳିମାନଙ୍କର ସେମାନଙ୍କର ଇମୋସନକୁ ପ୍ରକାଶ କରିବାର ଅଧିକାର ରହିଛି ବୋଲି ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି।

ଏନେଇ ସାଇକିଆ କହିଛନ୍ତି “ ଏହା ସେମାନଙ୍କର ଚରିତ୍ର ଓ ଖେଳୁଆଡ଼ ମନୋବୃତ୍ତି ଦର୍ଶାଉଛି। ଆଜିର ମ୍ୟାଚ୍ କେତେ ରୋମାଞ୍ଚକର ଓ ଉତ୍କଣ୍ଠାପୂର୍ଣ୍ଣ ଥିଲା, ତାହା ବିଚାର କରନ୍ତୁ। ଗୋଟିଏ ସମୟରେ ଲାଗୁଥିଲା ଯେ ମ୍ୟାଚ୍ ଭାରତର ପକ୍ଷରେ ନାହିଁ। ତଥାପି, ଭାରତ ବିଜୟୀ ହେଲା। ଏଥିରୁ ଦଳର ଆତ୍ମବିଶ୍ୱାସ ଏବଂ 'ହାର ନ ମାନିବାର' ମନୋଭାବ ସ୍ପଷ୍ଟ ଭାବେ ଜଣାପଡ଼େ। ଏତେ କଷ୍ଟକର ସ୍ଥିତିରୁ ସେମାନେ ଏହି ମ୍ୟାଚ୍ ଜିତିଲେ। ତେଣୁ ସେମାନେ ନିଶ୍ଚିତ ଭାବରେ ଉତ୍ସବ ପାଳନ କରିବାକୁ ହକଦାର। ଏଥିପାଇଁ ଆମେ ସେମାନଙ୍କୁ ନିଶ୍ଚିତ ଭାବରେ ସୁଯୋଗ ଦେବା ଉଚିତ୍।”

ଭରତୀୟ ଖେଳାଳିମାନେ ଲିମିଟ କ୍ରସ କଲେ କି ?

ମୋହିତ ଉଲଭା ଚୌକା ମାରି ମ୍ୟାଚ ଜିତାଇବା ପରେ ଭାରତୀୟ ଖେଳାଳିମାନେ ଦୌଡ଼ି ମଇଦାନକୁ ଆସିଲେ। ନିଜ ନିଜ ଇଚ୍ଛା ଅନୁସାରେ ସେଲିବ୍ରେସନ କରିଥିଲେ। ପାକିସ୍ତାନର ୱିକେଟକିପର ହମଜା ଜହୁର ଏବଂ ତାଙ୍କ ଦଳର ସାଥୀ ଖେଳାଳିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା କିଛି ଅଙ୍ଗଭଙ୍ଗୀ ଭିଡିଓରେ ଦେଖିବାକୁ ମିଳିଲା। ଯାହା ସମାଲୋଚନାର ବିଷୟ ପାଲଟିଛି। ଉତ୍ସବ ପାଳନ ସମୟରେ ଭାରତୀୟ ଦଳର ସହାୟକ କର୍ମଚାରୀମାନେ ମଧ୍ୟ ମଇଦାନ ଭିତରକୁ ଆସିଥିବା ଦେଖାଯାଇଥିଲା।

ତେବି ପାକିସ୍ତାନୀ ଖେଳାଳିଙ୍କ ସାମ୍ନାରେ କରାଯାଇଥିବା ସେଲିବ୍ରେସନର କିଛି ଆଚରଣ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏପରି କରି ଭାରତୀୟ ଖେଳାଳିମାନେ କ୍ରିକେଟ ନିୟମର ଉଲ୍ଲଂଘନ କରିଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ତେବେ ବିସିସିଆଇ ଏହାକୁ ସମର୍ଥନ କରିଛି। ଏବଂ ବିଜୟର ଇମୋସନକୁ ପ୍ରକାଶ କରିବାର ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ହକ୍ ରହିଛି ବୋଲି ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି।

ପାକିସ୍ତାନ ହାତରୁ ବିଜୟ ଛଡ଼ାଇ ଆଣିଲା ଭାରତ

ଶନିବାର ଓମାନର ଅଲ ଏମିରାତ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଅଣ୍ଡର-୧୯ ଏସିଆକପ୍ ଫାଇନାଲ ମୁକାବିଲା ହୋଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୩୬ ରନ୍ ବିଶାଳ ସ୍କୋର କରିଥିଲା। ଟାର୍ଗେଟ୍ ହାସଲ କରିବା ପାଇଁ ଯାଇ ଭାରତ ଭଲ ଆରମ୍ଭ ଦେଇଥିଲା। ହେଲେ ମଝିରେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ଗୋଟିଏ ସମୟରେ ଏମିତି ଲାଗୁଥିଲା ଯେମିତି ଏଥର ମ୍ୟାଚ୍ ଭାରତ ହାତରୁ ଗଲା। ହେଲେ ନିମ୍ନ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ମନଲ ଚୌହାନ ଓ ମୋହିତ ଉଲଭା ଅବିଶ୍ଵସନୀୟ ବ୍ୟାଟିଂ କରି ଭାରତକୁ ମ୍ୟାଚ୍ ଜିତାଇଥିଲେ।

ଶେଷ ବେଳକୁ ମ୍ୟାଚ୍ ଜିତିବାକୁ ମାତ୍ର ଗୋଟିଏ ବଲରେ ୩ ରନର ଆବଶ୍ୟକତା ଥିଲା। ଜିତିବା ପାଇଁ ଗୋଟିଏ ବାଉଣ୍ଡ୍ରି ନିହାତି ଆବଶ୍ୟକ ଥିଲା। ଏହି ସମୟରେ ମୋହିତ ଉଲଭା ଆଗେଇ ଆସି ଚୌକା ମାରିଥିଲେ। ଫଳରେ ଭାରତ ରୋମାଞ୍ଚିତ ବିଜୟ ହାସଲ କରିଥିଲା।

ଏତେ ଚାପରେ ଥାଇ ଭାରତ ମ୍ୟାଚ୍ ଜିତିଥିବାରୁ ଭାରତୀୟ ଖେଳାଳିମାନେ ଅତ୍ୟନ୍ତ ଉତଫୁଲ୍ଲିତ ହୋଇ ଆକ୍ରମଣାତ୍ମକ ଶୈଳୀରେ ସେଲିବ୍ରେସନ କରିଥିଲେ। ଭାରତ ମାତା କି ଜୟ ନାରା ଦେଇ ପାକିସ୍ତାନ ଖେଳାଳି ସାମ୍ନାରେ ବିଜୟ ସେଲିବ୍ରେସନ କରିଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଇଛି।