ନୂଆଦିଲ୍ଲୀ: ଏଆଇକୁ ନେଇ ସମୟ ସମୟରେ ଏକ୍ସପର୍ଟମାନେ ବଡ଼ ଭୟଙ୍କର ଚେତାବନୀ ଜାରି କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଲୋକେ ପଢ଼ୁଛନ୍ତି ଆଉ ତା’ ପରେ ଭୁଲି ଯାଉଛନ୍ତି। ଏହି ବାରମ୍ବାରତା ଭିତରେ ସେପଟେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ଏଆଇ। ବିଭିନ୍ନ ଦେଶର କମ୍ପାନୀଗୁଡ଼ିକ ପ୍ରତିଯୋଗିତା ଭଳି ଏଆଇକୁ ଡେଭଲପ କରୁଛନ୍ତି। ହେଲେ କେମିତି ନିୟନ୍ତ୍ରଣ କରାଯିବ ଜାଣିପାରୁ ନାହାନ୍ତି। ତେଣୁ ସମୟ ଆସିବ ଦିନେ ଏଆଇ ମଣିଷର ନିୟନ୍ତ୍ରଣରୁ ବାହାରି ସାରା ଦୁନିଆରେ ଆତଙ୍କ ଖେଳାଇବ।

ଏଆଇର ଗଡ୍ ଫାଦର କୁହାଯାଉଥିବା ନୋବେଲ ବିଜେତା ଜେଫ୍ରି ହିଣ୍ଟନ ନିକଟରେ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି ଆସନ୍ତା ୩ ବର୍ଷରେ ଏଆଇ ମଣିଷକୁ ଶେଷ କରିଦେଇପାରେ ଓ ଦୁନିଆ ଉପରେ କବ୍ଜା କରିପାରେ। କେବଳ ହିଣ୍ଟନ ନୁହଁନ୍ତି, ଡେଭଲପର ଜ୍ୟାକବ କକ୍ସନ, ଏଲନ ମସ୍କ, ବିଲାଲ ଚୁଗ୍‌ତାଇଙ୍କ ଭଳି ଏକ୍ସପର୍ଟମାନେ ମଧ୍ୟ ଏଆଇର ଭୟାବହତା ବିଷୟରେ ଚେତାବନୀ ଜାରି କରି ସାରିଛନ୍ତି।

ମଣିଷ ନୁହେଁ ଏଆଇ ନେବ ନିଷ୍ପତ୍ତି

ଆସନ୍ତାଦିନମାନଙ୍କରେ ମଣିଷକୁ ବାଦ ଦେଇ ଏଆଇ ସବୁ ନିଷ୍ପତ୍ତି ନେବ। ଆଗାମୀ ୬ ମାସରୁ ବର୍ଷକ ଭିତରେ ଏମିତି କିଛି ଘଟଣା ଘଟିପାରେ, ଯେଉଁଥିରେ ଏଆଇ ମଣିଷର ନିୟନ୍ତ୍ରଣ ବାହରକୁ ଚାଲିଯାଇପାରେ ବୋଲି AI ସୁରକ୍ଷା ବିଶେଷଜ୍ଞ ଏବଂ ଆଲାଇନମେଣ୍ଟ ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠାତା ପଲ କ୍ରିଷ୍ଟିଆନୋ କହିଛନ୍ତି। କ୍ରିଷ୍ଟିଆନୋଙ୍କ ଅନୁଯାୟୀ, ଆଗାମୀ ବର୍ଷ ମଧ୍ୟରେ ମଣିଷ ସବୁଦିନ ପାଇଁ AI ଉପରେ ନିୟନ୍ତ୍ରଣ ହରାଇବାର ୪% ସମ୍ଭାବନା ରହିଛି। ଆଗାମୀ ତିନି ବର୍ଷ ମଧ୍ୟରେ ଏହି ବିପଦ ୧୫% କୁ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ତେବେ ସିନେମାରେ ଯେମିତି ରୋବୋଟ ମଣିଷକୁ ଆକ୍ରମଣ ହରାଉଛି ଠିକ୍ ସେମିତି ନୁହେଁ, ଏଆଇ ନିଜ ନିଷ୍ପତ୍ତିରେ ମଣିଷକୁ ବଡ଼ ବାଧକ ବୋଲି ଭାବି ପାରେ। ସରକାରୀ ଓ ବେସରକାରୀ ଆଦି ସମସ୍ତ ଜରୁରୀ ସିଷ୍ଟମକୁ ଏଆଇ ନିଜ ନିୟନ୍ତ୍ରଣକୁ ନେଇପାରେ।

ଆପେ ଆପେ ମାରଣାସ୍ତ୍ର ବନାଇବ ଏଆଇ

ଏଆଇକୁ ନେଇ ବିଶେଷଜ୍ଞଙ୍କ ବଡ଼ ଭୟ ହେଲା ଭବିଷ୍ୟତରେ ଏଆଇ ନିଜେ ନିଜେ ଭୟଙ୍କର ଯୁଦ୍ଧାସ୍ତ୍ର ତିଆରି କରିପାରେ। ଡ୍ରୋନ ଓ ରୋବୋଟ ସାହାଯ୍ୟରେ ଅତି ଜରୁରୀର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିପାରେ। ଭୟଙ୍କର ଜୈବିକ ଅସ୍ତ୍ର ତିଆରି କରିବାରେ ମଧ୍ୟ ଏଆଇର ବ୍ୟବହାର କରାଯାଇପାରେ ବୋଲି ବିଶେଷଜ୍ଞମାନେ ଭୟ କରୁଛନ୍ତି। କ୍ରିଷ୍ଟିଆନୋଙ୍କ କହିବା ଅନୁଯାୟୀ ଯଦି ଏଆଇ ନିଜେ ନିଷ୍ପତ୍ତି ନେବା ଆରମ୍ଭ କରି ଓ ମଣିଷକୁ ନିଜ ରାସ୍ତା ପାଇଁ ଏକ ବଡ଼ କଣ୍ଟା ଭାବିବା ଆରମ୍ଭ କରିବ ତେବେ ବଡ଼ ମୁସ୍କିଲ ହୋଇପାରେ।

ଭୟଙ୍କର ହେଉଛି ଏଆଇ

ପ୍ରଥମେ ମଣିଷ ଏଆଇକୁ ତିଆରି କଲା ଓ ଏଥିରେ ତ୍ରୁଟି ଶଂସୋଧନ କଲା। ହେଲେ ଏବେ ଏଆଇ ନିଜେ ସବୁକିଛି ଶିଖିଗଲାଣି। ନିଜେ ତ୍ରୁଟି ନିଜେ ସୁଧାରିବା ସହ ଯଦି କିଛି ଭୁଲ୍ କରିଦେଉଛି, ତେବେ ତାକୁ ଅନ୍ୟମାନଙ୍କ ଆଖିରୁ ଲୁଚାଇବାର କଳା ବି ଏଆଇ ଶିଖିଗଲାଣି। ତେଣୁ ଏଥିରୁ ସ୍ପଷ୍ଟ ଯେ ମଣିଷ ଧୀରେ ଧୀରେ ଏଆଇ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିଛି। ଏଆଇ ଏଜେଣ୍ଟ ଆହୁରି ଭୟଙ୍କର ରୂପ ନେଉଛି। ନିକଟରେ ୧୦,୦୦୦ ଏଆଇ ଏଜେଣ୍ଟ ମାତ୍ର ୮୮ ଘଣ୍ଟା ମଧ୍ୟରେ ୯୦ ବର୍ଷ ପୁରୁଣା ନାଭିୟର-ଷ୍ଟୋକ୍ସ ଗଣିତ ସମସ୍ୟା ସମାଧାନ କରିଛନ୍ତି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି।

Also Read- ନିଜ ବିନାଶର କାହାଣୀ ନିଜେ ଲେଖୁଛି ମଣିଷ: ଏକ୍ସପର୍ଟ କହିଲେଣି, ପୃଥିବୀରୁ ମାନବ ସଭ୍ୟତା ନଷ୍ଟ କରିଦେଇପାରେ ଏଆଇ !

ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଓପନ୍ ଏଆଇର ଦୁଇଟି ଏଆଇ ମଡେଲ୍ ଜାଣିଶୁଣି ପରୀକ୍ଷଣରୁ ଖସି ଯିବା ଏବଂ ଚୋରି ହୋଇଥିବା ଲଗଇନ୍ ବିବରଣୀ ବ୍ୟବହାର କରି, ଏଆଇ କମ୍ପାନୀ ହଗିଂ ଫେସର ସର୍ଭରଗୁଡ଼ିକୁ ଏଣ୍ଟ୍ରି କରିବା। ଜୁଲାଇ ୨୦୨୬ରେ ଏଭଳି ଘଟିଥିଲା ବୋଲି ଓପନ ଏଆଇ ସୂଚନା ଦେଇଛି। ସେହିପରି ଆଉ ଏକ ଭୟଙ୍କର କଥା ହେଲା ଆନ୍ଥ୍ରୋପିକର ପରୀକ୍ଷାରେ, ମଡେଲ କ୍ଲାଉଡ୍ ଓପସ୍ ୪ ନିଜକୁ ବନ୍ଦ ହେବାରୁ ବଞ୍ଚାଇବା ପାଇଁ ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରିବାକୁ ଧମକ ଦେଇଥିଲା। ତେବେ ଏଆଇକୁ ନିୟନ୍ତ୍ରଣ ବାହାରକୁ ଚାଲିଯିବାରେ ରୋକିବାକୁ ବିଭିନ୍ନ କମ୍ପାନୀମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏବେ କମ୍ପାନୀଗୁଡ଼ିକ ନିୟମ ତିଆରି କରିବାରେ ଲାଗିପଡ଼ିଛନ୍ତି।