କଟକ: ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ପାଇଁ ଗୋଟିଏ ସ୍ୱରରେ ଦାବି ଉଠାଇଛନ୍ତି ରାଜ୍ୟର ସମସ୍ତ ଓକିଲ ସଙ୍ଘ। ଏହା ବାଦ, ଆଇନଜୀବୀ ସ୍ୱାସ୍ଥ୍ୟ ବୀମା, କନିଷ୍ଠ ଓକିଲ ମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା ଏବଂ ଆଡ଼ଭୋକେଟ ପ୍ରୋଟେକ୍ସନ ବିଲକୁ ମଞ୍ଜୁରୀ ଦେବାଲାଗି, ଅଲ ଓଡିଶା ବାର ଆସୋସିଏସନ ମିଟରେ ଦାବି ହୋଇଛି। କେବଳ ଦାବି କରାଯାଇ ନାହିଁ ବରଂ ଦାବି ପୂରଣ ପାଇଁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଆଜିର ବୈଠକ ପରେ କୁହାଯାଇଛି।

୩୩ ଜାଗାରେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି। ଏଭଳି ସ୍ଥିତିରେ ହାଇକୋର୍ଟରୁ ତ୍ୱରିତ ନ୍ୟାୟ କିପରି ମିଳିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟର ଆଇନୀଜୀବୀ ସମୂହ। ବିଚାରପତି ନିଯୁକ୍ତି ସହିତ ଆହୁରି ଏକାଧିକ ପ୍ରସଙ୍ଗକୁ ନେଇ ଆଜି କଟକରେ ମାନସ ମନ୍ଥନ କରିଛନ୍ତି ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ମାନେ। କେବଳ ହାଇକୋର୍ଟ ନୁହେଁ ନିମ୍ନ ଅଦାଲତ ମାନଙ୍କରେ ମଧ୍ୟ ଅନୁରୂପ ଅବସ୍ଥା ବୋଲି କହି ଖୁବ କ୍ଷୋଭ ପ୍ରକାଶ କରିଛନ୍ତି ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ସଭାପତି। ଯାହା ବାବଦରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆଜି ହୋଇଥିବା ବୈଠକରେ ଦାବି କରାଯାଇଛି।

Also Read: ନ୍ୟାୟ ପାଇଁ ଥାନାକୁ ଆସିଥିଲେ, ଅପେକ୍ଷା କରି କରି ବିଷ ପିଇଦେଲେ ବୃଦ୍ଧ

ଓଡିଶା ହାଇକୋର୍ଟ ୪ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିଅମ ସୁପାରିଶ କରିସାରିଛି, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଏଭଳି ଅବସ୍ଥା କେବଳ ଆଇନଜୀବୀ ପେଶାକୁ ଯେ ପ୍ରଭାବିତ କରିଛି ତା ନୁହେଁ ବରଂ ସାଧାରଣ ଲୋକ ମାନେ ମଧ୍ୟ ତ୍ୱରିତ ନ୍ୟାୟ ପାଇବା ଏକ ପ୍ରକାର ଦିବାସ୍ବପ୍ନ ହୋଇଯାଇଛି। ପୂର୍ବରୁ ଏପ୍ରସଙ୍ଗରେ ହାଇକୋର୍ଟ ଓକିଲ ସଙ୍ଘ ଭିନ୍ନ ଭିନ୍ନ ଫୋରମରେ ଦାବି ଉଠାଇଛି, କିନ୍ତୁ ତାହା ପ୍ରଭାଵଶୂନ୍ୟ ହେଲାଭଳି ଲାଗୁଛି।

ସେହି ମୁଖ୍ୟ ସମସ୍ୟା ସହିତ, ନୂଆକରି ଆଇନଜୀବୀ ପେଶାକୁ ଆସୁଥିବା ଯୁବ ବର୍ଗଙ୍କୁ ଲାଗି ଜୁଡ଼ିସିଆଲ ଏକାଦମୀ ଗଠନ କରିବା, ପ୍ରତ୍ୟେକ ଓକିଲଙ୍କ ପାଇଁ ସର୍ବନିମ୍ନ ୫ ଲକ୍ଷ ଟଙ୍କାର ବୀମା, କନିଷ୍ଠ ଆଇନଜୀବୀ ମାନଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା ସହିତ ଆଡ଼ଭୋକେଟସ ପ୍ରୋଟେକ୍ସନ ବିଲକୁ ମଞ୍ଜୁରୀ ଦେବା ଉପରେ ଆଜି ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ଯଦି ଏସବୁ ବାବଦରେ ତୁରନ୍ତ ପଦକ୍ଷେପ ନିଆ ନଯାଏ, ତେବେ ରାଜ୍ୟ ତମାମ ଓକିଲ ମାନେ ଆନ୍ଦୋଳନ କରିବେ ବୋଲି ଆଜିର ବୈଠକ ପରେ ଏକ ପ୍ରକାର ଚେତାବନୀ ଦିଆଯାଇଛି।

Also Read: ଟ୍ରାଫିକ୍ ପୋଲିସ ନଥିଲେ ବି ମିଳିବନି ଖସିବାର ବାଟ, କ୍ୟାମେରା କାଟିବ ସ୍ୱୟଂଚାଳିତ ଚାଲାଣ

ନିକଟରେ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ମାସେ ବିତିବାକୁ ବସିଲାଣି, ହେଲେ ଏଯାଏଁ ସ୍ଥାୟୀ ମୁଖ୍ୟବିଚାରପତି ନିଯୁକ୍ତ କରାଯିବା ନେଇ ସେଭଳି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇଥିବା ଭଳି ମନେ ହେଉନାହିଁ। ଏପରି ସ୍ଥଳେ ନ୍ୟାୟିକ ବ୍ୟବସ୍ଥା ଠିକରେ ଚାଲିଛି ବୋଲି କେମିତି କହିହେବ।