ଭୁବନେଶ୍ୱର ୨୮।୧୧ : ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଆଉ ଖସିପାରିବେନି ଚାଳକ । ରାସ୍ତାରେ ଟ୍ରାଫିକ୍ ପୋଲିସ ଥାଆନ୍ତୁ କି ନଥାଆନ୍ତୁ, ନିୟମ ଭାଙ୍ଗିଲେ ସିଧା ଘରେ ପହଞ୍ଚିବ ଇ-ଚାଲାଣ । ଡିସେମ୍ବର ୧ ତାରିଖରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS । ଅତ୍ୟାଧୁନିକ କ୍ୟାମେରା ଓ ଟେକ୍ନୋଲୋଜି ମାଧ୍ୟମରେ ଚାରି ପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ରଖାଯିବ ନଜର । ଦ୍ରୁତ ଗତି, ବିନା ହେଲମେଟରେ ଗାଡ଼ି ଚାଳନା, ବାଇକରେ ତିନି ଜଣ ଯାତ୍ରା ଏବଂ ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ କଟିବ ଚାଲାଣ ।

ତେବେ ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ କ୍ୟାମେରା ଓ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଚାରୋଟି ପ୍ରମୁଖ ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ଚିହ୍ନଟ କରାଯିବ । ପ୍ରଥମଟି ହେଉଛି ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଗାଡ଼ି ଚଳାଇବା । ଦ୍ୱିତୀୟରେ ଦୁଇଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା । ତୃତୀୟରେ ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନପିନ୍ଧିବା ।  ଚତୁର୍ଥରେ ବିପରୀତ ଦିଗରେ ଗାଡ଼ି ଚଳାଇବା । ଏସବୁ ନିୟମ ଉଲ୍ଲଂଘନ ହେଲେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି ହେବ ।

Also Read:-Baseer Ali: ବାନି ଜେଙ୍କ ପ୍ରେମରେ ବସିର ଅଲି, ଧର୍ମ ପରିବର୍ତ୍ତନକୁ ନେଇ ମାଆ ଦେଇଥିଲେ ଚେତାବନୀ

କେବଳ ନିୟମ ଉଲ୍ଲଂଘନ ନୁହେଁ, ଗାଡ଼ିର ବେଗ ଉପରେ ମଧ୍ୟ କଡ଼ା ନଜର ରହିବ। ଦୈତାରୀ-ଚଣ୍ଡିଖୋଲ ରାଜପଥରେ ବିଭିନ୍ନ ଯାନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଗ ସୀମାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଦୁଇଚକିଆ ଯାନ ପାଇଁ ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗ ଧାର୍ଯ୍ୟ ହୋଇଛି । ସେହିପରି କାର୍ ଓ ଜିପ୍ ଭଳି ହାଲୁକା ମୋଟର ଯାନ ପାଇଁ ୧୦୦ କିଲୋମିଟର ଏବଂ ଟ୍ରକ୍ ଓ ବସ୍ ଭଳି ଭାରୀ ଯାନ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗ ସୀମା ରହିଛି ।

ତେବେ ଚାଲାଣ କଟିଲେ କେମିତି ଜାଣିବେ ଗାଡ଼ି ମାଲିକ? ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଇ-ଚାଲାଣ ସହ ନିୟମ ଉଲ୍ଲଂଘନର ସ୍ପଷ୍ଟ ଫଟୋ କିମ୍ବା ଭିଡିଓ ପ୍ରମାଣ ରହିବ । ଏହା ସହିତ ଗାଡ଼ିର ପଞ୍ଜୀକରଣ ନମ୍ବର, ଉଲ୍ଲଂଘନ ହୋଇଥିବା ତାରିଖ ଓ ସମୟ, ଜିପିଏସ୍ ଲୋକେସନ୍ ଏବଂ ଗାଡ଼ିର ବେଗ ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ଫଳରେ କେଉଁ ସ୍ଥାନରେ ଏବଂ କେଉଁ ନିୟମ ଭାଙ୍ଗିବା ଯୋଗୁଁ ଚାଲାଣ କଟିଛି, ତାହା ଗାଡ଼ି ମାଲିକ ଜାଣିପାରିବେ ।

କେବଳ ଦୈତାରୀ-ଚଣ୍ଡିଖୋଲ ନୁହେଁ, ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ରାସ୍ତାରେ ମଧ୍ୟ IEMS କାର୍ଯ୍ୟକ୍ଷମ ରହିଛି । ରାମେଶ୍ୱରରୁ ପାଣିକୋଇଲି, ଭୁବନେଶ୍ୱରରୁ ପୁରୀ, ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି, କଟକରୁ ପାରାଦୀପ, ଗିରିଶୋଳାରୁ ରାମେଶ୍ୱର, ପାଣିକୋଇଲିରୁ ଲକ୍ଷ୍ମଣନାଥ ଭଳି ରାସ୍ତାରେ ଏହି ବ୍ୟବସ୍ଥା ଚାଲୁ ରହିଛି । ଏହାବ୍ୟତୀତ ବଲାଙ୍ଗୀରରୁ ତୁରେକେଲା, ବ୍ରହ୍ମପୁରରୁ ତପ୍ତପାଣି, ବ୍ରହ୍ମପୁରରୁ ଭଞ୍ଜନଗର, ସମ୍ବଲପୁରରୁ ମଙ୍ଗୁଳି, ବଡ଼ବିଲରୁ ପାଣିକୋଇଲି, ସମ୍ବଲପୁରରୁ ରାଉରକେଲା ଏବଂ ସୋହେଲାରୁ ନୂଆପଡ଼ା ରାସ୍ତାରେ ମଧ୍ୟ IEMS କାର୍ଯ୍ୟକ୍ଷମ ରହିଛି ।

ସେହିପରି ଗାଡ଼ି ମାଲିକମାନେ ପରିବହନ ବିଭାଗର ପୋର୍ଟାଲରେ ନିଜର ମୋବାଇଲ୍ ନମ୍ବର ଓ ଠିକଣା ଅପଡେଟ୍ ରଖିବାକୁ ପରାମର୍ଶ ଦିଆଯାଇଛି । ଇ-ଚାଲାଣ ପୈଠ କରିବା କିମ୍ବା କୌଣସି ଅଭିଯୋଗ ଜଣାଇବା ପାଇଁ କେବଳ ସରକାରୀ ଅଫିସିଆଲ୍ ଇ-ଚାଲାଣ ପୋର୍ଟାଲ୍ ବ୍ୟବହାର କରିବାକୁ କୁହାଯାଇଛି । ସଡ଼କ ସୁରକ୍ଷାକୁ ଅଧିକ ମଜବୁତ କରିବା ସହ ନିୟମ ଉଲ୍ଲଂଘନ ରୋକିବା ଲକ୍ଷ୍ୟରେ ପରିବହନ ବିଭାଗର ଏହି ପଦକ୍ଷେପ । ତେଣୁ ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ, ନିୟମ ମାନନ୍ତୁ ଏବଂ ସୁରକ୍ଷିତ ଯାତ୍ରା କରନ୍ତୁ ।