ମୁମ୍ଵାଇ ୨୭।୧୧; ୟୁଟ୍ୟୁବରେ ବିଶ୍ୱ ରେକର୍ଡ କଲେ ଭାରତୀୟ କମେଡିଆନ୍ ସମୟ ରାଇନା। ପ୍ରଥମ ଥର ପାଇଁ ବିଶ୍ୱର କୌଣସି ୟୁଟ୍ୟୁବ୍ କ୍ରିଏଟରଙ୍କ ଚ୍ୟାନେଲରେ ୧୦ ଲକ୍ଷ ପେଡ୍ ମେମ୍ବର ଯୋଡ଼ି ହୋଇଛନ୍ତି। ଏହି ରେକର୍ଡ ସହ ସମୟ ରାଇନା ବିଶ୍ୱସ୍ତରରେ ଏକ ନୂଆ ଇତିହାସ ରଚିଛନ୍ତି। ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ ଏହି ସଫଳତାକୁ ସ୍ୱୀକୃତି ଦିଆଯାଇଛି।

ଗତ କିଛି ବର୍ଷ ଧରି ବିବାଦ ଓ ସମାଲୋଚନାର ସାମ୍ନା କରିଥିବା ସମୟଙ୍କ ପାଇଁ ଏହି ସଫଳତା ବେଶ୍ ଗୁରୁତ୍ୱପୂର୍ଣ୍ଣ। ୟୁଟ୍ୟୁବ୍ର ଗୁଗୁଲ୍ ଇଣ୍ଡିଆ ବ୍ଲଗ୍‌ରେ ଏହି ଉପଲବ୍ଧି ବିଷୟରେ ଘୋଷଣା କରାଯାଇଛି। ଚେସ୍ ଭିଡିଓ, ଗ୍ରାଣ୍ଡମାଷ୍ଟରଙ୍କ ସହ ମଜାଦାର କଥାବାର୍ତ୍ତା ଏବଂ ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଜରିଆରେ ସମୟ ନିଜର ଏକ ବଡ଼ ଫ୍ୟାନ୍ ବେସ୍ ତିଆରି କରିଛନ୍ତି। ସମୟଙ୍କ ଚ୍ୟାନେଲ୍‌ରେ ତିନୋଟି ପେଡ୍ ମେମ୍ବରସିପ୍ ଟିୟର୍ ରହିଛି। ‘ସମୟ କେ ଦୋସ୍ତ’ ପାଇଁ ମାସିକ ୫୯ ଟଙ୍କା, ‘ସମୟ କେ ଖାସ୍’ ପାଇଁ ୫୯୯ ଟଙ୍କା ଏବଂ ‘ସାଇଲେଣ୍ଟ ସପୋର୍ଟର୍’ ପାଇଁ ୧,୯୯୯ ଟଙ୍କା ଦେବାକୁ ପଡ଼ିଥାଏ। ଏହି ମେମ୍ବରସିପ୍ ଜରିଆରେ ଫ୍ୟାନମାନେ ତାଙ୍କୁ ଆର୍ଥିକ ସମର୍ଥନ ଦେଉଛନ୍ତି।

କେବଳ ସମୟ ନୁହନ୍ତି, ଭାରତରେ ମଧ୍ୟ ବଢ଼ୁଛି ପେଡ୍ ଚ୍ୟାନେଲ୍ ମେମ୍ବରସିପ୍‌ରେ ଟ୍ରେଣ୍ଡ। ସୂଚନା ଅନୁସାରେ, ୨୦୨୬ ଜୁନ୍ ମାସରେ ଭାରତର ୧୨ ଲକ୍ଷରୁ ଅଧିକ ଦର୍ଶକ ଅତି କମ୍‌ରେ ଗୋଟିଏ ଚ୍ୟାନେଲ୍ ମେମ୍ବରସିପ୍ କିଣିଥିଲେ। ସେହି ସମୟରେ ଭାରତୀୟ କ୍ରିଏଟରଙ୍କ ମେମ୍ବରସିପ୍ ଆୟ ବାର୍ଷିକ ଭିତ୍ତିରେ ୨୫ ପ୍ରତିଶତରୁ ଅଧିକ ବଢ଼ିଥିଲା।

୨୦୨୫ ଫେବ୍ରୁଆରୀରେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶୋ’ର ଏକ ଏପିସୋଡ୍ରେ ୟୁଟ୍ୟୁବର୍ ତଥା ପଡକାଷ୍ଟର ରଣବୀର ଆଲ୍ଲାହବାଦିଆଙ୍କ ଏକ ମନ୍ତବ୍ୟକୁ ନେଇ ତୀବ୍ର ବିରୋଧ ହୋଇଥିଲା। ଏହାପରେ ସମୟ ରାଇନା, ରଣବୀର ଆଲ୍ଲାହବାଦିଆ ଓ ଅନ୍ୟ କିଛି ଅତିଥିଙ୍କ ବିରୋଧରେ ଏକାଧିକ ଏଫ୍ଆଇଆର୍ ହୋଇଥିଲା। ପରେ ସମୟ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ଶୋ’ର ସମସ୍ତ ଏପିସୋଡ୍ ହଟାଇ ଦେଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ସେ ଦୂରେଇ ରହିନଥିଲେ। ‘ଷ୍ଟିଲ୍ ଆଲାଇଭ୍’ ଷ୍ଟାଣ୍ଡଅପ୍ ସ୍ପେଶାଲ୍ ଜରିଆରେ ସେ ପୁଣି ଫେରିଥିଲେ। ପରେ ୨୦୨୬ରେ ନେଟଫ୍ଲିକ୍ସ ସହ ମିଶି ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଦ୍ୱିତୀୟ ସିଜିନ୍ ଆଣିଥିଲେ।

ବର୍ତ୍ତମାନ ସମୟ ରାଇନାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ୧ କୋଟି ୨୪ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଏବେ ୧୦ ଲକ୍ଷ ପେଡ୍ ମେମ୍ବରଙ୍କ ସମର୍ଥନ ତାଙ୍କୁ ବିଶ୍ୱର ପ୍ରଥମ ୟୁଟ୍ୟୁବର୍ ଭାବେ ନୂଆ ପରିଚୟ ଦେଇଛି। ବିବାଦ ପରେ ଏଭଳି ଜବରଦସ୍ତ କମବ୍ୟାକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।