ମୁମ୍ଵାଇ ୨୮।୧୧; ଜାଭେଦ ଅଖତର ଅନେକ ଥର କହି ସାରିଛନ୍ତି ଯେ, ସେ ମଦ୍ୟ ପାନ କରିବାରେ ଅଭ୍ୟସ୍ତ ହୋଇଯାଇ ଥିଲେ । ଏବେ ଜାଭେଦ ଏ ବିଷୟରେ ଖୋଲାଖୋଲି କହିଛନ୍ତି ଯେ, ଅଧିକ ମଦ ନିଶା କାରଣରୁ ସେ ନିଜ ଜୀବନର ୧୫ ବର୍ଷ ବର୍ବାଦ କରି ଦେଇଛନ୍ତି । ଜାଭେଦ ଏହା ମଧ୍ୟ କହିଛନ୍ତି ଯେ ,ଏହି ମଦ ନିଶା ଯୋଗୁଁ ସେ ଜୀବନରେ ଅନେକ ବଡ଼ ଭୁଲ୍ କରିଛନ୍ତି । ବର୍ଖା ଦତ୍ତଙ୍କ ସହ ସାକ୍ଷାତକାରରେ ଜାଭେଦ କହିଛନ୍ତି ଯେ , ମଦ ସହିତ ତାଙ୍କର ସଂଘର୍ଷ କିପରି ଥିଲା ଏବଂ ମଦ ଛାଡ଼ିବା ପୂର୍ବରୁ ସେ କ'ଣ ସବୁ ଭୁଲ୍ କରିଥିଲେ । ଏହା ବ୍ୟତୀତ ସେ କହିଛନ୍ତି ଯେ ଆଜି ମଧ୍ୟ ତାଙ୍କୁ ସେହି ତାରିଖ ମନେଅଛି ଯେତେବେଳେ ସେ ଶେଷ ଥର ପାଇଁ ମଦ ପିଇଥିଲେ, ଆଉ ତାହା ଥିଲା ୩୧ ଜୁଲାଇ ୧୯୯୧ ।

ଜାଭେଦଙ୍କୁ ପଚରା ଯାଇଥିଲା ଯେ ,ତାଙ୍କୁ କୌଣସି କଥା ପାଇଁ ଅନୁତାପ ଅଛି କି ? ଏହାର ଉତ୍ତରରେ ସେ କହିଥିଲେ, ‘ହଁ, ମୋତେ ବହୁତ ଅନୁତାପ ଅଛି । ନିଜର ୮ ଦଶନ୍ଧିର ଜୀବନ ବିଷୟରେ କଥା ହୋଇ ଜାଭେଦ ଅନୁମାନ କରିଛନ୍ତି ଯେ ,ସେ ନିଜର ମଦ ପିଇବା ଅଭ୍ୟାସ ଏବଂ ବେପରୁଆ ମନୋଭାବ କାରଣରୁ ପ୍ରାୟ ୧୫ ବର୍ଷ ବର୍ବାଦ କରି ଦେଇଛନ୍ତି ।’ ଜାଭେଦ କହିଛନ୍ତି , ସେ ସେହି ସମୟକୁ ଆହୁରି ଅଧିକ ସୃଜନଶୀଳ ଓ ଫଳପ୍ରଦ ଭାବେ ବ୍ୟବହାର କରି ପାରିଥାନ୍ତେ । ହୁଏତ ସେ ଆହୁରି ଅଧିକ ଜିନିଷ ଅନୁସନ୍ଧାନ କରିଥାନ୍ତେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୀବନରେ କିଛି ଲୋକଙ୍କ ସହ ଆହୁରି ସମ୍ବେଦନଶୀଳ ହୋଇ ବ୍ୟବହାର କରି ଥାନ୍ତେ ।

ଜାଭେଦ କହିଛନ୍ତି ଯେ ସେ ପ୍ରତି ରାତିରେ ଗୋଟିଏ ବୋତଲ ମଦ ପିଇ ଦେଉଥିଲେ ଏବଂ ସେ ଶେଷ ଥର ପାଇଁ ୩୧ ଜୁଲାଇ ୧୯୯୧ରେ ମଦ ପିଇଥିଲେ ଏବଂ ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଆଉ ମଦ ଛୁଇଁ ନାହାନ୍ତି। ମଦ ନିଶାରେ ସେ କିଛି ଭୁଲ୍ ନିଷ୍ପତ୍ତି ନେଇଛନ୍ତି କି ବୋଲି ପଚରାଯିବାରେ ଜାଭେଦ କହିଛନ୍ତି, ‘ମୁଁ ଅଧିକାଂଶ ସମୟରେ ଏପରି ନିଷ୍ପତ୍ତି ନେଇଛି ଯାହା ପାଇଁ ମୋତେ ଅନୁତାପ ହୁଏ । ମୋର ବୟସ୍କ ଜୀବନରେ ମୁଁ ଯେତେ ବି ବଡ଼ ଭୁଲ୍ କରିଛି, ସବୁ ମଦ ନିଶାରେ ହିଁ କରିଛି । ଯଦି ମୁଁ ମଦ ପିଇ ନଥାନ୍ତି, ତେବେ ସେହି ଭୁଲ୍ ଗୁଡ଼ିକ କରି ନଥାନ୍ତି ।’