ନୂଆଦିଲ୍ଲୀ-; ସୀମା ନିର୍ଦ୍ଧାରଣ ନେଇ ସଂସଦରେ ରାଜନୈତିକ ତର୍କବିତର୍କ ଜୋର୍ ଧରିବାର ସମ୍ଭାବନା ରହିଛି। ଏହି ମଧ୍ୟରେ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI)ରେ ସାମିଲ ହୋଇଥିବା ୨୦ ଜଣ ସାଂସଦଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। NCPI ସାଂସଦ କାକୋଲି ଘୋଷ ଦସ୍ତିଦାର ପରିସୀମନ ପ୍ରକ୍ରିୟା ସହ ଜଡ଼ିତ ବିଧେୟକକୁ ସମର୍ଥନ କରିବା ନେଇ ସ୍ପଷ୍ଟ ମତ ରଖିଛନ୍ତି।

କୋଲକାତାରେ ଏକ ବିବୃତି ଦେଇ କାକୋଲି କହିଛନ୍ତି, “ଆମେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସହ ଜଡ଼ିତ ବିଧେୟକକୁ ମଧ୍ୟ ସମର୍ଥନ କରୁଛୁ। କାରଣ ଏହା ଦେଶ ଓ ରାଷ୍ଟ୍ର ନିର୍ମାଣର ସ୍ୱାର୍ଥରେ ରହିଛି। ତାଙ୍କର ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ NCPIରେ ସାମିଲ ହୋଇଥିବା ୨୦ ଜଣ ସାଂସଦଙ୍କ ସମର୍ଥନ ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନରେ ପରିସୀମନ ବିଧେୟକକୁ ନେଇ ସରକାରଙ୍କ ରଣନୀତିକୁ ପ୍ରଭାବିତ କରିପାରେ।

TMC ଛାଡ଼ି NCPIରେ ସାମିଲ ହୋଇଥିଲେ ୨୦ ସାଂସଦ -;

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ TMCର ପରାଜୟ ପରେ ଚଳିତ ବର୍ଷ ଜୁନ୍ ମାସରେ ଦଳର ୨୦ ଜଣ ସାଂସଦ ଅଲଗା ହୋଇ NCPIରେ ସାମିଲ ହେବାକୁ ଘୋଷଣା କରିଥିଲେ। ବରିଷ୍ଠ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ଓ କାକୋଲି ଘୋଷ ଦସ୍ତିଦାର ଏହି ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ସମ୍ପୃକ୍ତ ସାଂସଦମାନେ ଦାବି କରିଥିଲେ ଯେ TMCର ସଂସଦୀୟ ଦଳ NCPIରେ ମିଶ୍ରଣ ହୋଇଛି। କିନ୍ତୁ TMC ଏହି ଦାବିକୁ ଗ୍ରହଣ କରିନାହିଁ। ଦଳର କହିବା ଅନୁଯାୟୀ, ସାଂସଦମାନେ ଦଳ ଛାଡ଼ି ଅନ୍ୟ ଏକ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି। ତେଣୁ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ଆଇନ ଆଧାରରେ ସେମାନଙ୍କ ସାଂସଦ ପଦ ରଦ୍ଦ କରିବାକୁ TMC ଦାବି କରିଛି।

ବିଦ୍ରୋହୀ ସାଂସଦଙ୍କ ଅଯୋଗ୍ୟତା ଦାବି କରିଥିଲେ ମମତା-;

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା TMC ମୁଖ୍ୟ ମମତା ବାନାର୍ଜୀ ଏହି ୨୦ ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଆବେଦନ କରିଥିଲେ। ଦଳର ଯୁକ୍ତି ହେଉଛି, ସାଂସଦମାନଙ୍କ ଏଭଳି ଭାବେ ଅଲଗା ହେବା ଦଳବଦଳ ଆଇନର ପରିସରଭୁକ୍ତ। ଅନ୍ୟପକ୍ଷରେ, ସମ୍ପୃକ୍ତ ସାଂସଦମାନେ ନିଜର ପଦକ୍ଷେପକୁ ସଂସଦୀୟ ଦଳର ମିଶ୍ରଣ ସହ ଯୋଡ଼ି ଏହାକୁ ଆଇନସମ୍ମତ ବୋଲି ଦର୍ଶାଇଛନ୍ତି। ତେବେ ସେମାନଙ୍କ ସାଂସଦ ପଦକୁ ନେଇ ଲୋକସଭା ବାଚସ୍ପତିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ନିଷ୍ପତ୍ତି ନିଆଯାଇନାହିଁ। ଏହି ମଧ୍ୟରେ ଲୋକସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଅଯୋଗ୍ୟତା ସମ୍ପର୍କିତ ଆବେଦନ ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ସାଂସଦମାନେ ସଂସଦର କାର୍ଯ୍ୟରେ ଭାଗ ନେଇପାରିବେ। ଏପରିକି ବିଧେୟକ ଉପରେ ଭୋଟ୍ ମଧ୍ୟ ଦେଇପାରିବେ। ଅର୍ଥାତ୍, ଲୋକସଭା ବାଚସ୍ପତି ଔପଚାରିକ ଭାବେ ସେମାନଙ୍କୁ ଅଯୋଗ୍ୟ ଘୋଷଣା ନ କରିବା ପର୍ଯ୍ୟନ୍ତ ସେମାନଙ୍କ ସାଂସଦୀୟ ଅଧିକାର ବଳବତ୍ତର ରହିବ।

also read - ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ ପିଏମ ମୋଦୀଙ୍କ ହୁଙ୍କାର, ମହିଳା ସଂରକ୍ଷଣ ଉପରେ ସବୁ ବାଧା ଦୂର କରିବୁ

NCPI ସାଂସଦଙ୍କ ଭୋଟ୍ ଅଧିକାରକୁ ନେଇ ଚର୍ଚ୍ଚା

ଲୋକସଭା ସଚିବାଳୟ ସୂତ୍ର ଅନୁଯାୟୀ, କେବଳ ଅଯୋଗ୍ୟତା ସମ୍ପର୍କିତ ଆବେଦନ ବିଚାରାଧୀନ ଥିବା କାରଣରୁ କୌଣସି ସାଂସଦଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ନିକଟରେ ଏହି ସାଂସଦମାନେ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାଖଲ ଅଯୋଗ୍ୟତା ଆବେଦନର ଜବାବରେ ଲୋକସଭା ସଚିବାଳୟ ନିକଟରେ ନିଜ ପକ୍ଷ ମଧ୍ୟ ରଖିଛନ୍ତି। ଏହି ପ୍ରସଙ୍ଗରେ TMCର ରାଜ୍ୟସଭା ସାଂସଦ ସାଗରିକା ଘୋଷ ପ୍ରଶ୍ନ ଉଠାଇଥିଲେ ଯେ, ଅଯୋଗ୍ୟତା ମାମଲାର ସମ୍ମୁଖୀନ ହେଉଥିବା ଏହି ସାଂସଦମାନଙ୍କୁ ସ୍ୱତନ୍ତ୍ର ସଂସଦ ଅଧିବେଶନରେ ଭୋଟ୍ ଦେବାକୁ ଅନୁମତି ମିଳିବ କି ନାହିଁ। ସେ କହିଥିଲେ ଯେ, ସାଂସଦ ପଦ ରଦ୍ଦ କରିବା ପାଇଁ ଆବେଦନ ଦାଖଲ ହେବାର ୬ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ।

ଏବେ ପରିସୀମନ ବିଧେୟକକୁ NCPIର ସମର୍ଥନ ଘୋଷଣା ଏବଂ ୨୦ ଜଣ ସାଂସଦଙ୍କ ଭୋଟ୍ ଅଧିକାରକୁ ନେଇ ଉଠିଥିବା ପ୍ରଶ୍ନ ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନରେ ଏହି ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାର କେନ୍ଦ୍ରରେ ରଖିବାର ସମ୍ଭାବନା ରହିଛି।