ନୂଆଦିଲ୍ଲୀ ୨୮।୧୧; ପେରୁରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା । ମିଲିଟାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର କ୍ରାସ୍‌ ହୋଇଛି । ଯେଉଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ପାଇଲଟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲକୁ ଭର୍ତ୍ତି କରାଯାଇଛି ।

ଏହି ଅଘଟଣ ପେରୁର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଘଟିଛି । ଆପୁରିମାକ୍, ଏନେ ଏବଂ ମାଣ୍ଟାରୋ ନଦୀ ଉପତ୍ୟକାର ଏକ ଦୁର୍ଗମ ଅଞ୍ଚଳରେ ପାଟ୍ରୋଲିଂ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା ହେଲିକପ୍ଟର । ତେବେ ହଠାତ୍ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇବା ପରେ ସନ୍ଧାନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟର ଏବଂ ସେଥିରେ ଥିବା ୯ ଜଣ ସାମରିକ କର୍ମଚାରୀଙ୍କୁ ଠାବ କରିଥିଲେ ।

ସବୁଠାରୁ ଦୁଃଖଦ ଘଟଣା ହେଉଛି, ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଛି । କେବଳ ପାଇଲଟ ଏଞ୍ଜୋ ଏସ୍ପିନୋଜା ରୋକ୍ ଜୀବିତ ଉଦ୍ଧାର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଲିମାକୁ ଏୟାରଲିଫ୍ଟ କରାଯାଇଛି । ଅନ୍ୟପଟେ ଏହି ଅଞ୍ଚଳ ପେରୁର ସବୁଠାରୁ ବଡ଼ କୋକା ଉତ୍ପାଦନ କ୍ଷେତ୍ର ଭାବେ ଜଣାଶୁଣା । ନିଶା କାରବାର ଏବଂ ସଶସ୍ତ୍ର ଗୋଷ୍ଠୀଙ୍କ ଉପସ୍ଥିତି ଯୋଗୁଁ ଦୀର୍ଘ ବର୍ଷ ଧରି ଏହା ସମ୍ବେଦନଶୀଳ ସାମରିକ ଅଞ୍ଚଳ ହୋଇ ରହିଛି । ଗୁରୁବାର ରାତିରେ ତିନି ଜଣ ସୈନିକଙ୍କୁ ଉଦ୍ଧାର କରିବା ପରେ ହେଲିକପ୍ଟରଟି ନିଖୋଜ ହୋଇଥିବା ରିପୋର୍ଟ ମିଳିଥିଲା । ତେବେ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।