ନୂଆଦିଲ୍ଲୀ ୨୮।୧୧; ପ୍ରେମରେ ଧର୍ମ ନୁହେଁ, ଗୁରୁତ୍ୱ ରଖେ ପରସ୍ପରର ଭାବନା ଓ ସମ୍ମାନ । ପ୍ରେମ ପାଇଁ କେହି କାହିଁକି ବଦଳାଇବେ ନିଜର ଧର୍ମ? ଏମିତି କିଛି ଖୋଲାଖୋଲି କଥା କହି ଏବେ ଚର୍ଚ୍ଚାରେ ରିଆଲିଟି ଟିଭି ଷ୍ଟାର ବସିର ଅଲି । ବାନି ଜେଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିବା ସହ ପ୍ରେମ ଓ ଧର୍ମକୁ ନେଇ ନିଜର ମତ ରଖିଛନ୍ତି ବସିର ।

'ଡବଲ ଡେଟ୍' ଶୋ'ରେ ବସିର କହିଛନ୍ତି, ପ୍ରେମର ଅର୍ଥ ନୁହେଁ ଯେ ଜଣେ ନିଜ ସାଥୀଙ୍କ ପାଇଁ ଧର୍ମ ପରିବର୍ତ୍ତନ କରିବେ । କିମ୍ବା ଅନ୍ୟ ଜଣଙ୍କଠାରୁ ଧର୍ମ ବଦଳାଇବାକୁ ଆଶା ରଖାଯିବ । ଯଦି କୌଣସି ସମ୍ପର୍କର ମୂଳ ଉଦ୍ଦେଶ୍ୟ ହିଁ ଧର୍ମ ପରିବର୍ତ୍ତନ ହୋଇଥାଏ, ତେବେ ଏହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିପାରେ ।

ବସିର ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ମାଆ ତାଙ୍କୁ ଏନେଇ ପୂର୍ବରୁ ପରାମର୍ଶ ଦେଇଥିଲେ । ଯଦି ସେ ଅନ୍ୟ ଧର୍ମର କୌଣସି ଝିଅକୁ ଭଲ ପାଆନ୍ତି, ତେବେ ତାଙ୍କୁ ଧର୍ମ ବଦଳାଇବାକୁ ବାଧ୍ୟ କରିବା ଉଚିତ୍ ନୁହେଁ । କାରଣ ଜଣେ ବ୍ୟକ୍ତି ଦୀର୍ଘ ୩୦ ବର୍ଷ ଧରି ଯେଉଁ ଧର୍ମକୁ ପାଳନ କରିଆସୁଛନ୍ତି, କେବଳ ପ୍ରେମ ପାଇଁ ତାଙ୍କୁ ନିଜ ବିଶ୍ୱାସ ବଦଳାଇବାକୁ କହିବା ଠିକ୍ ନୁହେଁ ।

ତେବେ ବସିରଙ୍କ ମାଆଙ୍କର ମଧ୍ୟ ତାଙ୍କୁ ନେଇ କିଛି ଆଶା ରହିଛି । ସେ ଚାହାନ୍ତି ବସିର ଅଧିକ ଧାର୍ମିକ ହୁଅନ୍ତୁ, ନିୟମିତ ପ୍ରାର୍ଥନା କରନ୍ତୁ ଏବଂ ବିବାହ କରି ଜୀବନରେ ସ୍ଥିର ହୁଅନ୍ତୁ । ମାଆଙ୍କ ଏହି ଶିକ୍ଷା ହିଁ ତାଙ୍କ ଚିନ୍ତାଧାରାକୁ ଗଢ଼ିଛି ବୋଲି ବସିର କହିଛନ୍ତି ।

ତେବେ ବାନି ଜେଙ୍କ ସହ ସମ୍ପର୍କ ଏବଂ ଧର୍ମକୁ ନେଇ ବସିରଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ପାଇଁ ଧର୍ମ ବଦଳାଇବା ନୁହେଁ, ବରଂ ପରସ୍ପରର ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦେବା ହିଁ ଏକ ସୁସ୍ଥ ସମ୍ପର୍କର ପରିଚୟ ବୋଲି ନିଜ ମତ ରଖିଛନ୍ତି ଏହି ରିଆଲିଟି ଟିଭି ଷ୍ଟାର ।