କାବୁଲ: ଆଫଗାନିସ୍ତାନର ଏକ ମାଧ୍ୟମିକ ସ୍କୁଲ୍ ନିକଟରେ ଥିବା ଏକ ଘରେ ଭୟଙ୍କର ବିସ୍ଫୋରଣ ହେବାରୁ ସ୍କୁଲର ୭ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ୯୭ ଜଣ ଆହତ ହୋଇଛନ୍ତି। ଶନିବାର ପୂର୍ବ କୁନାର ପ୍ରଦେଶରେ ଅନ୍ଦାର ସେର ଅଞ୍ଚଳରେ ଏହି ଘଟଣା ଘଟିଛି। ଶିକ୍ଷାନୁଷ୍ଠାନ ନିକଟରେ ଥିବା ସେହି ଘରେ ବିସ୍ଫୋରକ ସାମଗ୍ରୀ ଥିଲା। ଏଥିପାଇଁ ବିସ୍ଫୋରଣ ହେଲା ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଅନ୍ଦାର ସେର ଅଞ୍ଚଳରେ ସକାଳ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୧୦୦ ଜଣ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ କ୍ଷୟକ୍ଷତି ଆକଳନରୁ ଜଣାପଡିଛି। ତେବେ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ସ୍କୁଲ ପାଖରେ ଥିବା ଘର ବିତରେ ଡାଇନାମାଇଟ ରଖାଯାଇଥିଲା।

କୁନାର ପ୍ରୋଭିନାନ୍ସ ହସ୍ପିଟାଲ ମୁଖ୍ୟ ମାୱଲା ଦାଦ ଘଟଣା ସମ୍ପର୍କରେ ସୂଚନା ଦେଇ ଅଲ ଜଜୀରାକୁ କହିଛନ୍ତି ଯେ ଘଟଣାରେ ୭ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭ ଆହତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।

Also Read- Helicopter Crash: ପେରୁରେ ଭୟଙ୍କର ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ ମୃତ; ଜଣେ ପାଇଲଟ ଗୁରୁତର

କୁନାର ସୂଚନା ଓ ସଂସ୍କୃତିର ନିର୍ଦ୍ଦେଶକ ମାଲାୱି ସାମି-ଉଲ୍-ହକ୍ କହିଛନ୍ତି ସ୍କୁଲ ନିକଟରେ ଥିବା ଯେଉଁ ଘରେ ବିସ୍ଫୋରଣ ଘଟିଲା ସେଠି ଡିନାମାଇଟ୍ ରଖାଯାଇଥିଲା। ଖଣି ଖୋଳୁଥିବା ଲୋକେ ସେହି ଘରେ ଏହି ବିସ୍ଫୋରକ ସାମଗ୍ରୀ ରଖିଥିଲେ। ତେବେ କାହିଁକି ବିସ୍ଫୋରଣ ଘଟିଲା, ଏଥିରେ କ୍ଷତି କେତେ ହୋଇଛି ଓ କାହାକୁ ଦୋଷୀ କରାଯାଇଛି ସେ ସବିଶେଷ ତଥ୍ୟ ସେ ଦେବାକୁ ମନା କରିଦେଇଛନ୍ତି। ମାମଲାରେ ତଦନ୍ତ ଜାରି ରହିଛି।

ଏହା ପୂର୍ବରୁ ଅଗଷ୍ଟ ମାସରେ କାବୁଲରେ ଏକ ସ୍କୁଲ୍ କ୍ୟାମ୍ପସରେ ଗ୍ରେନେଡ୍ ମାଡ଼ କରାଯାଇଥିଲା। ଏଥିରେ ୪୦ ଜଣ ଛାତ୍ର ଆହତ ହୋଇଥିଲେ। ଏମାନଙ୍କ ବୟସ ୯ ରୁ ୧୪ ବର୍ଷ ମଧ୍ୟରେ ଥିଲା ବୋଲି ଅଲ ଜଜୀରା ରିପୋର୍ଟ କରିଥିଲା।