ଭୁବନେଶ୍ୱର ୨୮।୧୧ : ମହାନଦୀ ଜଳ ବିବାଦର ସମାଧାନ ନେଇ ଆଶା ପ୍ରକାଶ କରିଛନ୍ତି ଛତିଶଗଡ଼ ବିଜେପି ରାଜ୍ୟ ସଭାପତି କିରଣ ସିଂ ଦେଓ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ରହିଛି ବେଟି-ରୋଟିର ସମ୍ପର୍କ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ । ତେଣୁ ମହାନଦୀ ଜଳ ସମସ୍ୟାର ସମାଧାନ ଉଭୟ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଭଲ ହେବ ବୋଲି କହିଛନ୍ତି କିରଣ । ସେପଟେ ବିରୋଧୀଙ୍କୁ ମଧ୍ୟ ଜବାବ ଦେଇଛନ୍ତି ସେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉଭୟେ ସମ୍ବେଦନଶୀଳ । ସବୁ ଦିଗ, ବିଶ୍ଳେଷଣ ଏବଂ କ୍ଷେତ୍ରକୁ ବିଚାରକୁ ନେଇ ଏହି ସମସ୍ୟାର ସମାଧାନ ଦିଗରେ ଭଲ ପଦକ୍ଷେପ ନିଆଯିବ । ଏଥିରେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ସ୍ୱାର୍ଥ ଗୁରୁତ୍ୱ ପାଇବ ବୋଲି ସେ କହିଛନ୍ତି ।

Also Read:-ଟ୍ରାଫିକ୍ ପୋଲିସ ନଥିଲେ ବି ମିଳିବନି ଖସିବାର ବାଟ, କ୍ୟାମେରା କାଟିବ ସ୍ୱୟଂଚାଳିତ ଚାଲାଣ

ସେପଟେ ବିରୋଧୀଙ୍କ ଅଭିଯୋଗ ଓ ସମାଲୋଚନାର ଜବାବ ଦେଇଛନ୍ତି କିରଣ ସିଂ ଦେଓ । ତାଙ୍କ କହିବା ଅନୁସାରେ, ଜନସାଧାରଣଙ୍କ ଆଶା ବିଜେପି ଉପରେ ରହିଥାଏ । ବିରୋଧୀଙ୍କ ଆଶା ମଧ୍ୟ ବିଜେପି ଉପରେ ରହିଛି । ଦୀର୍ଘ ସମୟ ଧରି ଶାସନରେ ରହି ମଧ୍ୟ ସେମାନେ ଆବଶ୍ୟକ ବିକାଶ କରିପାରି ନାହାନ୍ତି ବୋଲି ସେ ମତ ଦେଇଛନ୍ତି ।

ଯେଉଁଠି ବିକାଶର ଆବଶ୍ୟକତା ରହିଛି, ସେଠାରେ ବିଜେପି କାମ କରୁଛି ବୋଲି କହିଛନ୍ତି ଛତିଶଗଡ଼ ବିଜେପି ସଭାପତି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ତାଙ୍କର ଏହି ବୟାନ ପୁଣି ଥରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ସମାଧାନ ଆଶାକୁ ଗୁରୁତ୍ୱ ଦେଇଛି । ମହାନଦୀ ଜଳ ବିବାଦର ସମାଧାନ କେବେ ଏବଂ କେଉଁ ଆଧାରରେ ହେଉଛି, ଏବେ ତାହା ଉପରେ ରହିଛି ଉଭୟ ରାଜ୍ୟବାସୀଙ୍କ ନଜର ।