ଭୁବନେଶ୍ୱର ୨୮।୧୧ : ଲୋକଙ୍କ ହିତ ଓ ବିକାଶ ପାଇଁ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ସହ ଆସନ ବୃଦ୍ଧିର ଆବଶ୍ୟକତା ରହିଛି । ଏଭଳି ମତ ରଖିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ଏହି ବିଲ୍କୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମର୍ଥନ କରିବାକୁ ବିଜେଡି ଓ କଂଗ୍ରେସକୁ ଅନୁରୋଧ କରିଛନ୍ତି । ନୂଆ ଫର୍ମୁଲା ଅନୁସାରେ ଓଡ଼ିଶାରେ ଲୋକସଭା ଆସନ ୩୨ ଏବଂ ବିଧାନସଭା ଆସନ ୨୨୪କୁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ହିତ ପାଇଁ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ନିର୍ବାଚନ ମଣ୍ଡଳୀର ସୀମା କମିଲେ ଲୋକଙ୍କ ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ। ଏହାଦ୍ୱାରା ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ। ନୂଆ ଫର୍ମୁଲା ଅନୁସାରେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୩୨ ଏବଂ ବିଧାନସଭା ଆସନ ସଂଖ୍ୟା ୨୨୪ ହେବାର ସମ୍ଭାବନା ରହିଛି । ଏହି ବିଲ୍ର ଗୁରୁତ୍ୱକୁ ବିଚାରକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ଆଗକୁ ଆସୁଥିବା ସେ କହିଛନ୍ତି ।

Also Read:-ଉଭୟ ରାଜ୍ୟର ସ୍ୱାର୍ଥକୁ ମିଳିବ ଗୁରୁତ୍ୱ, ମହାନଦୀ ଜଳ ବିବାଦ ନେଇ କିରଣ ସିଂ ଦେଓଙ୍କ ବୟାନ

ସେହିପରି ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସକୁ ସମର୍ଥନ ପାଇଁ ଅପିଲ୍ କରିଛନ୍ତି ସୁଜିତ । ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେଡି ଏହି ବିଲ୍କୁ ସମର୍ଥନ କରୁ ବୋଲି ସେ ଅନୁରୋଧ କରିଛନ୍ତି । ସେହିପରି କଂଗ୍ରେସର ଜଣେ ସାଂସଦଙ୍କୁ ମଧ୍ୟ ସମାନ ଅନୁରୋଧ କରିଛନ୍ତି । ଏପ୍ରିଲ ମାସରେ ଆସିଥିବା ବିଲ୍ରେ ପରିବର୍ତ୍ତନ ହୋଇଛି । ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଯେଉଁ ଆଶଙ୍କା ରହିଥିଲା, ତାହା ଦୂର ହୋଇଥିବା ସେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଲ୍ଟି ପାରିତ ହେବାର ଅନେକ ସମ୍ଭାବନା ରହିଥିବା ମଧ୍ୟ ତାଙ୍କ ମତ ।

ସେହିପରି ୧୯୭୬ ମସିହାରେ ଶେଷ ଥର ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସ୍ଥିରୀକରଣ ହୋଇଥିଲା । ଏହା ମଧ୍ୟରେ ଦେଶର ଜନସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ତେଣୁ ବର୍ତ୍ତମାନର ଜନସଂଖ୍ୟା ଓ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ବୃଦ୍ଧି ଜରୁରୀ ବୋଲି ସେ ମତ ଦେଇଛନ୍ତି ।