ନୂଆଦିଲ୍ଲୀ ୨୮।୧୧; ସ୍ପେନରେ କାନାରି ଦ୍ୱୀପପୁଞ୍ଜ ନିକଟରେ ଆଟଲାଣ୍ଟିକ୍ ମହାସାଗରରେ ବଡ଼ ଅଘଟଣ । ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡଙ୍ଗାରେ ପ୍ରାୟ ୧୦୦ ଜଣ ପ୍ରବାସୀ ଥିବା ନେଇ ସୂଚନା ମିଳିଛି । ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଏଲ୍ ହିଏରୋ ଦ୍ୱୀପଠାରୁ ପ୍ରାୟ ୭୨ କିଲୋମିଟର ଦକ୍ଷିଣରେ ଡଙ୍ଗାଟି ମିଳିଥିଲା । ଖବର ପାଇବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଡଙ୍ଗାରେ ଥିବା ଅନ୍ୟ ଯାତ୍ରୀଙ୍କ ସ୍ଥିତି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ। ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କାନାରି ଦ୍ୱୀପପୁଞ୍ଜର ଆଞ୍ଚଳିକ ମୁଖ୍ୟ ଫର୍ଣ୍ଣାଣ୍ଡୋ କ୍ଲାଭିଜୋ । ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଏହି ନୂତନ ଦୁଃଖଦ ଘଟଣା ପାଇଁ ସେ "ଗମ୍ଭୀର ଭାବରେ ଦୁଃଖିତ ଏବଂ ଅସହାୟ" ଅନୁଭବ କରୁଛନ୍ତି। ସେ ସ୍ପେନିସ୍ ସରକାର ଏବଂ ୟୁରୋପୀୟ କମିଶନଙ୍କୁ ପ୍ରବାସୀ ସଙ୍କଟକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ନିବେଦନ କରିଛନ୍ତି।

ସେ ସ୍ପେନ୍ ସରକାର ଏବଂ ୟୁରୋପୀୟ କମିଶନଙ୍କୁ ପ୍ରବାସୀ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଆଫ୍ରିକାରୁ କାନାରି ଦ୍ୱୀପପୁଞ୍ଜକୁ ଯାଉଥିବା ଆଟଲାଣ୍ଟିକ୍ ସମୁଦ୍ର ପଥ ଦୁନିଆର ସବୁଠାରୁ ବିପଜ୍ଜନକ ପ୍ରବାସୀ ମାର୍ଗ ମଧ୍ୟରୁ ଅନ୍ୟତମ । ଭଲ ଜୀବନ ଓ ରୋଜଗାର ଆଶାରେ ପ୍ରତିବର୍ଷ ହଜାର ହଜାର ଲୋକ ଏହି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ।