ନୂଆଦିଲ୍ଲୀ: ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାକୁ ନେଇ ଜାରି ରାଜନୀତି ମଧ୍ୟରେ ବିବାଦୀୟ ପୋଷ୍ଟ କରି ଅଡ଼ୁଆରେ ବିଜେପି ସାଂସଦ ନିଶିକାନ୍ତ ଦୁବେ। ଏପରିକି ତାଙ୍କୁ ଏ ନେଇ କ୍ଷମା ମାଗିବାକୁ ପଡ଼ିଛି। ନିଶିକାନ୍ତ ସୋସିଆଲ ମିଡିଆରେ ପୋଷ୍ଟ କରି ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ କରିଥିବା ଜଣେ ଅଭିଯୁକ୍ତ ଟିନ୍ନୁ ଯାଦବଙ୍କ ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସଂପର୍କ ଥିବା ଦାବି କରିଥିଲେ। ହେଲେ ନିଜର ଏହି ପୋଷ୍ଟ ପାଇଁ ଅକଳରେ ପଡ଼ିବା ପରେ ଅଖିଳେଶଙ୍କୁ କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ।

ଏହି ସମ୍ପୂର୍ଣ୍ଣ ବିବାଦ ରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥ ହରିଲୁଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାମଶଙ୍କର ଓରଫ୍ 'ଟିନ୍ନୁ ଯାଦବ'ଙ୍କ ସହ ଜଡ଼ିତ। ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ଟିନ୍ନୁ କ’ଣ ଟିପୁ ସହ କଥା ହେଉନଥିଲା ? ସୂଚନାଯୋଗ୍ୟ ଯେ, ଅଖିଳେଶ ଯାଦବଙ୍କୁ ରାଜନୈତିକ ମହଲରେ ଲୋକେ 'ଟିପୁ' ନାମରେ ମଧ୍ୟ ଜାଣନ୍ତି। ଦୁବେଙ୍କ ଏହି ଟିପ୍ପଣୀ ପରେ ସିଧାସଳଖ ଭାବେ ଅଭିଯୁକ୍ତ ଚୋର ସହ ଅଖିଳେଶ ଯାଦବଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

Also Read: ପ୍ରଶାନ୍ତ କିଶୋରଙ୍କ ଠାରୁ ତାଙ୍କ ପତ୍ନୀ ଧନୀ, ଉପନିର୍ବାଚନରେ ପ୍ରାର୍ଥୀ ହେବା ପରେ ମିଳିଲା ତଥ୍ୟ

ଏହି ଅଭିଯୋଗକୁ ନେଇ ସମାଜବାଦୀ ପାର୍ଟି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଅଖିଳେଶ ଯାଦବ ସାଂସଦ ଦୁବେଙ୍କୁ ୧୦ ମିନିଟ୍ ମଧ୍ୟରେ ନିଜ ପୋଷ୍ଟ ଡିଲିଟ୍ କରିବାକୁ କହିଥିଲେ, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଥିଲେ। ଏହାପରେ ଏସପି ପକ୍ଷରୁ ନିଶିକାନ୍ତ ଦୁବେଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବା ଓ ପୋଷ୍ଟ ହଟାଇବା ପାଇଁ ଆଇନଗତ ନୋଟିସ୍ ପଠାଯାଇଥିଲା।

ସମାଜବାଦୀ ପାର୍ଟିର କର୍ମକର୍ତ୍ତାମାନେ ଲକ୍ଷ୍ନୌ ଏବଂ ଇଟାୱାରେ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ସମାଜବାଦୀ ପାର୍ଟି ଅଭିଯୋଗ ଥିଲା ଯେ, ରାମ ମନ୍ଦିର ଦାନ ଆତ୍ମସାତ ମାମଲାରେ ଶାସକ ଦଳ ନିଜର ବିଫଳତା ଲୁଚାଇବା ପାଇଁ ବିରୋଧୀଙ୍କ ଉପରେ ଏଭଳି ମିଥ୍ୟା ଅଭିଯୋଗ ଲଗାଉଛି।

Also Read: ୨୬ ବର୍ଷ ପରେ ଜେଲ୍ରୁ ମୁକୁଳିବେ ଦାରା ସିଂହ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାଂସଦଙ୍କ କ୍ଷମା ପ୍ରାର୍ଥନା

ବିବାଦୀୟ ମନ୍ତବ୍ୟ ଦେଇ ଫସିବା ପରେ ନିଶିକାନ୍ତ ଦୁବେ ଅଖିଳେଶଙ୍କ ଓକିଲଙ୍କ ଆଗରେ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ମାଗିଛନ୍ତି। ଯଦିଓ ଏହି କ୍ଷମା ପ୍ରାର୍ଥନା ବିବାଦକୁ କିଛି ମାତ୍ରାରେ ପ୍ରଶମିତ କରିବାକୁ ଚେଷ୍ଟା କରିଛି, ତଥାପି ଏହି ରାଜନୈତିକ ଲଢ଼େଇ ଏତିକିରେ ଥମିବା ଭଳି ମନେ ହେଉନାହିଁ। ସମାଜବାଦୀ ପାର୍ଟିର ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହା ଏକ ପରିକଳ୍ପିତ ଷଡ଼ଯନ୍ତ୍ର ଥିଲା, ଯାହା ଦ୍ୱାରା ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ସ୍ୱରକୁ ଦବାଇ ଦିଆଯାଇପାରିବ।

କିଏ ଏହି ଅଭିଯୁକ୍ତ ଟିନ୍ନୁ ଯାଦବ ?

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ଜଡ଼ିତ ଜଣେ ପୂର୍ବତନ ଡ୍ରାଇଭର ତଥା ସହଯୋଗୀ ହେଉଛି ଟିନ୍ନୁ ଯାଦବ। ସ୍ୱେଚ୍ଛାଚାରୀ ଭାବେ ଦାନ ବାକ୍ସର ଚାବି ନିଜ ପାଖରେ ରଖିବା ଏବଂ ଟଙ୍କା ଗଣତି ପ୍ରକ୍ରିୟାରେ ହେରଫେର କରି କୋଟି କୋଟି ଟଙ୍କାର ଦାନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ରାଜ୍ୟ ପୋଲିସର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ତାକୁ ଗିରଫ କରି ତଦନ୍ତ ଚଳାଇଛି।