ପଟାଙ୍ଗି: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ଜାରି ବିବାଦ ଭିତରେ ପୁଣିଥରେ ନିର୍ବାଚନକୁ ନେଇ ଉଷ୍ମ ହୋଇଛି ସୀମାନ୍ତ ରାଜନୀତି । ଆସନ୍ତା ଡିସେମ୍ବର ୨ରେ ସରପଞ୍ଚ ଓ ୱାର୍ଡ ସଭ୍ୟ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିଜ୍ଞପ୍ତି ଜାରି ପରେ କୋଟିଆ ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ତତ୍ପରତା ବଢ଼ିଛି । ଏପଟେ ଆନ୍ଧ୍ରର ଏଭଳି ଗତିବିଧି ଉପରେ ଓଡ଼ିଶା ପ୍ରଶାସନ ଓ ପୋଲିସ ମଧ୍ୟ କଡ଼ା ନଜର ରଖିଛନ୍ତି ।

ନଭେମ୍ବର ୨୧ ତାରିଖରେ ଗଞ୍ଜେଇପଦର ପଞ୍ଚାୟତରୁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଧୂଳିପଦର ଗ୍ରାମର ସୋଡ଼ିପିଲି ବେର୍ଶୋ ଏବଂ ତଳ ଗଞ୍ଜେଇପଦର ଗ୍ରାମର କୋରା ସୁନ୍ଦରୀ ସରପଞ୍ଚ ପଦ ପାଇଁ ନାମାଙ୍କନ କରିଛନ୍ତି । ସେହିପରି ଦ୍ୱିତୀୟ ଦିନରେ ଫାଟୁସିନେରି ପଞ୍ଚାୟତରୁ ଦୁଇ ଜଣ ସରପଞ୍ଚ ଓ ୧୧ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଫଗୁଣସିନେରିରୁ ମଧ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଗତିବିଧିକୁ ନେଇ ଓଡ଼ିଶା ପ୍ରଶାସନ ମଧ୍ୟ ସତର୍କ ହୋଇଉଠିଛି । ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁନାବେଢ଼ା ଏସଡିପିଓ ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ କୋଟିଆର ବିଭିନ୍ନ ଗାଁରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଏହାସହ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ନେଇ ଆଶ୍ୱସ୍ତ କରାଯାଇଛି ।