ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ସରକାରୀ ଜମିରେ ନିର୍ମିତ ଘର ଉଚ୍ଛେଦ ଘଟଣାକୁ ନେଇ ଏବେ ସରଗରମ ରାଜନୀତି। ବୁଲଡୋଜର ଲଗାଇ ଘର ଭଙ୍ଗାଯିବାକୁ ତୀବ୍ର ବିରୋଧ କରିବା ସହ ତୁରନ୍ତ ଜମି ସେଟଲମେଣ୍ଟ ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଜନତା ଦଳ। ସେପଟେ ପୂର୍ବ ସରକାରକୁ ଟାର୍ଗେଟ୍ କରି କଡ଼ା କାଉଣ୍ଟର କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଉମରକୋଟ ପୌରାଞ୍ଚଳ ଅଧୀନରେ ସରକାରୀ ଜମିରେ ବେଆଇନ ଘର ନିର୍ମାଣ ଓ ଡିଏନକେ ଅଞ୍ଚଳରେ ମଦ ବିକ୍ରି ଅଭିଯୋଗରେ ପୌରପାଳିକା ପକ୍ଷରୁ ବୁଲଡୋଜର ଚଳାଇ ଉଚ୍ଛେଦ କରାଯାଇଛି। ଏହି ଘଟଣାକୁ ନେଇ ନବରଙ୍ଗପୁର ବିଜେଡି ପକ୍ଷରୁ ଉମରକୋଟ ସ୍ଥିତ ଏକ ସ୍ଥାନୀୟ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଜେଡି ନେତା ପ୍ରଦୀପ ମାଝି ସରକାରଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି।

Also Read: ଅଭିଯୋଗ ଆସିଲା, ତଦନ୍ତ ହେବ; ବିଜେଡିକୁ ଭୟଭୀତ ହେବାରେ କଣ ଅଛି: ମନମୋହନ

ପ୍ରଦୀପଙ୍କ ଅଭିଯୋଗ

ପ୍ରଦୀପ ମାଝି କହିଛନ୍ତି ଯେ, ୧୯୫୨ ମସିହାରୁ ଉମରକୋଟ ସହର ସମେତ ରାଇଘର ବ୍ଲକରେ ଜମି ସେଟଲମେଣ୍ଟ ହୋଇନାହିଁ। ଦୀର୍ଘ ୭୦ ବର୍ଷ ଧରି ଲୋକେ ଜମି ପଟ୍ଟା ନ ପାଇ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏବଂ ଘର ଭଙ୍ଗାଯିବା ଭୟରେ ରହୁଛନ୍ତି। ପୂର୍ବରୁ ମେନ୍ଦାବେଡ଼ା ଅଞ୍ଚଳରେ ଏବଂ ଗତକାଲି କେତେକ ସ୍ଥାନରେ ଘର ଭଙ୍ଗାଯାଇଥିବା ବେଳେ ଆଗକୁ ଆହୁରି ଉଚ୍ଛେଦ ଧମକ ଦିଆଯାଇ ଭୟର ବାତାବରଣ ସୃଷ୍ଟି କରାଯାଉଛି। ପ୍ରଥମେ ସମସ୍ତ ଯୋଗ୍ୟ ପରିବାରକୁ ଜମି ପଟ୍ଟା ଓ ବାସଗୃହ ଦିଆଯାଉ, ନଚେତ୍ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିବାରୁ ଏବେ ସମାଧାନ କରିବା ତାଙ୍କର ଦାୟିତ୍ୱ ବୋଲି ପ୍ରଦୀପ ମାଝି କହିଛନ୍ତି।

କାଉଣ୍ଡର କଲେ ମନ୍ତ୍ରୀ

ପ୍ରଦୀପ ମାଝିଙ୍କ ଅଭିଯୋଗର ଜବାବ ରଖି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଯେ, ଦୀର୍ଘ ୨୪-୨୫ ବର୍ଷ ଶାସନ ଗାଦିରେ ରହି ଯେଉଁମାନେ ଜମି ସେଟଲମେଣ୍ଟ କଲେ ନାହିଁ, ସେମାନଙ୍କର ଆଜି ପ୍ରଶ୍ନ ପଚାରିବାର କୌଣସି ଅଧିକାର ନାହିଁ। କେବଳ ରାଜନୀତି କରିବା ଓ ଲୋକଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ଏଭଳି ବୟାନ ଦିଆଯାଉଛି।

Also Read: ନବୀନଙ୍କ ବିଦେଶ ଗସ୍ତ ତଦନ୍ତକୁ ବିଜେଡିର ସ୍ଵାଗତ, ମୋହନ ମାଝୀ ଓ ମନ୍ତ୍ରୀଙ୍କ ବିଦେଶ ଗସ୍ତର ବି ହେଉ ତଦନ୍ତ: ଲେନିନ ମହାନ୍ତି

ଅଞ୍ଚଳର ବିକାଶରେ ବାଧା ନ ଦେଇ ଆଲୋଚନା ପାଇଁ ଆସିବାକୁ ସେ ଆହ୍ୱାନ ଦେବା ସହ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏନେଇ ଆଲୋଚନା ହୋଇଥିବା ଏବଂ ଆଗାମୀ ଦିନରେ ସେଟଲମେଣ୍ଟ ପ୍ରକ୍ରିୟା କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୂର୍ବ ସରକାର ସମୟରେ ଲୋକଙ୍କୁ କେବଳ କାଗଜ ଦେଇ ପଟ୍ଟା ନାଁରେ ଠକି ଭୋଟ୍ ନିଆଯାଇଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।