ନୂଆଦିଲ୍ଲୀ:  ଦେଶର ପ୍ରମୁଖ ପ୍ୟାକେଜ୍ଡ ପାନୀୟ ଜଳ ନିର୍ମାତା କମ୍ପାନୀ 'ବିସଲେରୀ ଇଣ୍ଟରନ୍ୟାସନାଲ' ଏବେ ଖାଦ୍ୟ ସୁରକ୍ଷା ନିୟାମକଙ୍କ ସ୍କାନରକୁ ଆସିଛି। କମ୍ପାନୀର ପାଣି ନମୂନା ପରୀକ୍ଷାଗାରରେ ଅସୁରକ୍ଷିତ ପ୍ରମାଣିତ ହେବା ପରେ FSSAI ପକ୍ଷରୁ ବିସଲେରୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିକ ଖବର ଅନୁଯାୟୀ, ପରୀକ୍ଷା ସମୟରେ ପାଣିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ବ୍ରୋମେଟ୍ ଏବଂ କର୍କଟ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ ଥିବା ଜଣାପଡ଼ିଛି। 

FSSAI କହିଛି ଯେ, ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ସଂଗୃହୀତ ପ୍ୟାକେଜ୍ଡ ପାନୀୟ ଜଳର ପ୍ରାଥମିକ ପରୀକ୍ଷାରେ ବ୍ରୋମେଟ୍ ସ୍ତର ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ନଥିଲା। ଫଳରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହା ବିରୋଧରେ କମ୍ପାନୀ ପକ୍ଷରୁ ଅପିଲ୍ କରାଯିବା ପରେ ନମୂନା ଅଧିକ ପରୀକ୍ଷା ପାଇଁ ରେଫରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଯାଇଥିଲା। ମାତ୍ର ଦ୍ୱିତୀୟ ପରୀକ୍ଷାଗାରର ରିପୋର୍ଟରେ ମଧ୍ୟ ପାଣିକୁ ଅସୁରକ୍ଷିତ ବୋଲି ଦର୍ଶାଯିବା ସହ ଏଥିରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ ଥିବା ସ୍ପଷ୍ଟ ହୋଇଥିଲା। 

ଉଭୟ ବ୍ରୋମେଟ୍ ଏବଂ ପିଏଏଚ୍ କର୍କଟ ରୋଗ ସୃଷ୍ଟି କରିବାର କ୍ଷମତା ରଖୁଥିବା ରାସାୟନିକ ପଦାର୍ଥ । ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ।
କେବଳ ବିସଲେରୀ ନୁହେଁ, ଅନ୍ୟ ଏକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା 'ଆଶା କନଫେକ୍ସନାରୀ' ବିରୋଧରେ ମଧ୍ୟ ଏଫଏସଏସଏଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କମ୍ପାନୀର ପ୍ରି-ପ୍ୟାକ୍ଡ ଚକୋଲେଟ୍-ଫିଲ୍ଡ କୁକିଜ୍ ନମୂନା ପରୀକ୍ଷା ପରେ ଏହାର ଲେବଲିଂ, ଉପାଦାନ ଏବଂ ସୁରକ୍ଷାକୁ ନେଇ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ପରୀକ୍ଷାଗାର ରିପୋର୍ଟ ଅନୁଯାୟୀ, ଏହି କୁକିଜରେ 'କାର୍ମୋସିନ୍' ନାମକ ଏକ ରଙ୍ଗୀନ ପଦାର୍ଥ ବ୍ୟବହାର କରାଯାଇଥିଲା । ଏହା ବ୍ୟତୀତ ଏଥିରେ 'ଟାର୍ଟ୍ରାଜାଇନ୍' ନିର୍ଦ୍ଧାରିତ ସର୍ବାଧିକ ସୀମାଠାରୁ ଅଧିକ ପରିମାଣରେ ମିଳିଥିବା ବେଳେ 'ସନସେଟ୍ ୟେଲୋ ଏଫସିଏଫ୍' ଭଳି ଏକ ରଙ୍ଗୀନ ଏଜେଣ୍ଟ ମଧ୍ୟ ମିଳିଛି । ଏହି ରାସାୟନିକ ପଦାର୍ଥ ଏହି ବର୍ଗର ଖାଦ୍ୟରେ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ।