ହାଇଦ୍ରାବାଦ: ପୋଲିସକୁ ଏକ ଇ-ମେଲ ମିଳିଛି, ଯେଉଁଥିରେ ହାଇଦ୍ରାବାଦ ଉପରେ ୨୬/୧୧ ଭଳି ଆକ୍ରମଣ ଧମକ ଦିଆଯାଇଛି। ଏହି ମେଲ ମିଳିବା ପରେ ହାଇଦ୍ରାବାଦ ସହରରେ ପୋଲିସ ସୁରକ୍ଷା କଡ଼ା କଡି କରିଛି। କୁହାଯାଉଛି ଯେ ଏହି ମେଲ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବା (ଏଲଇଟି) ସହ ସମ୍ପର୍କିତ। ଏଥିରେ ୨ଟି ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଏହି ଆକ୍ରମଣ ଜମ୍ମୁ-କାଶ୍ମୀରରେ ଲସ୍କର ସଦସ୍ୟ ଲତିଫ ଭଟ୍ଟ ମୃତ୍ୟୁର ପ୍ରତିଷୋଧ ନେବା ପାଇଁ କରାଯିବ। ଇ-ମେଲରେ ସମ୍ଭାବିତ ଟାର୍ଗେଟ ଭାବେ କାଚିଗୁଡାସ୍ଥିତ ହୋଟେଲ ଟୁରିଷ୍ଟ ପ୍ଲାଜା ଓ କାଚିଗୁଡା ରେଳ ଷ୍ଟେସନର ଉଲ୍ଲେଖ କରାଯାଇଛି।

ଏହି ଧମକ ମିଳିବା ପରେ ପୋଲିସ ରେଳଷ୍ଟେସନ ଓ ହୋଟେଲ ସମେତ ସହରର ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା କଡ଼ା କଡ଼ି କରାଯାଇଛି। ଅଧିକାରୀ ଇ-ମେଲର ସ୍ରୋତ ଓ ଉତ୍ସର ତଦନ୍ତ କରୁଛନ୍ତି। ହାଇଦ୍ରାବାଦ ପୋଲିସର ସ୍ପେଶାଲ ବ୍ରାଞ୍ଚ ଯୁଗ୍ମ କମିଶନର ବରିଷ୍ଠ ଅଧିକାରୀଙ୍କୁ ଏ ବାବଦେ ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ଏଲଇଟି ନାମକ ଆତଙ୍କବାଦୀ ସଙ୍ଗଠନ ନାମରେ ଇ-ମେଲ ମିଳିଛି। ମେଲ ପଠାଇଥିବା ବ୍ୟକ୍ତି ଏହି ସଙ୍ଗଠନ ସହ ଜଡିତ ଓ ସେ ହୋଟେଲ ଟୁରିଷ୍ଟ ପ୍ଲାଜା ଏବଂ କାଚିଗୁଡା ଷ୍ଟେସନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିବା କହିଛନ୍ତି।

ସ୍ପେଶାଲ ବ୍ରାଞ୍ଚର ଜନୈକ ଅଧିକାରୀଙ୍କ ଦ୍ୱାରା ଜାରି ଆଡଭାଇଜରୀ ଅନୁସାରେ ଇ-ମେଲରେ ସହର ଭିତରେ ଦୁଇଟି ବୋମା ବିସ୍ଫୋରଣ କରାଯିବ ଓ ଏଥିରେ ଅନୁନ୍ୟ ୩୦୦ ଲୋକେ ମରିପାରନ୍ତି ବୋଲି କୁହାଯାଇଛି। ଧମକ ମିଳିବା ପରେ ହାଇଦ୍ରାବାଦ ପୋଲିସ ଇ-ମେଲରେ ସୂଚିତ କରାଯାଇଥିବା ଦୁଇଟି ସ୍ଥାନ ସମେତ ଅନ୍ୟ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିକ ସ୍ଥାନର ସୁରକ୍ଷା ବଢାଇ ଦିଆଯାଇଛି। ଅଧିକାରୀ ଧମକଭରା ବାର୍ତ୍ତାର ଯାଞ୍ଚ କରୁଛନ୍ତି। ଯାଞ୍ଚ ଜାରି ଥିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି। ଇ-ମେଲରେ ନଭେମ୍ବର ୨୬ ତାରିଖର ଉଲ୍ଲେଖ ରହିଛି। ଏଣୁ ସତର୍କତାକୁ ବଢାଇ ଦିଆଯାଇଛି। କାରଣ ଏହାକୁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ଯୋଡା ଯାଉଛି।

ସ୍ପେଶାଲ ବ୍ରାଞ୍ଚ ଆଡଭାଇଜରୀରେ ଅଧିକାରୀମାନଙ୍କୁ ବିଶେଷ ଭିଡଭାଡ ଅଞ୍ଚଳ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ସନ୍ଦିଗ୍ଧ ଲୋକେ, ଅଜଣା ଜିନିଷ ଓ ବାହନର କୌଣସି ପ୍ରକାରର ଅସାଧାରଣ ଗତିବିଦ୍ଧି ଦେଖିଲେ ସତର୍କ ରହିବାକୁ କୁହାଯାଇଛି। ପୋଲିସ କର୍ମଚାରୀଙ୍କୁ ପାଟ୍ରୋଲିଂ ବଢାଇବା ଓ ଭଙ୍ଗାରୁଜା ରୋଧି (ଆଣ୍ଟି ସାବୋଟେଜ) ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହି ଧମକର ଯାଞ୍ଚ ଚାଲିଛି ଓ ପୋଲିସ ଇମେଲ ପ୍ରେରଣକାରୀଙ୍କ ସନ୍ଧାନ ନେଉଛି।