କୋଲକାତା: ଦାର୍ଜିଲିଂର ବିଜେପି ଏମଏଲଏ ନୋମାନ ରାୟଙ୍କ ନିକଟତମ ରିଭା ଲାମାକୁ ସିଲିଗୁଡ଼ିରେ ଗିରଫ କରାଯାଇଛି। ସେ ସିଭୋକ-ରଙ୍ଗପୋ ରେଳବାଇ ପ୍ରକଳ୍ପରେ କାମ ଠିକେ କରାଇଦେବା ପ୍ରତିଶ୍ରୁତିରେ ସିଲିଗୁଡ଼ିର ୨ ଭାଇଙ୍କଠାରୁ ୧ କୋଟି ଟଙ୍କା ଠକିଥିବାର ଅଭିଯୋଗ ରହିଛି। ସୂତ୍ର ଅନୁସାରେ ସେ ମାଟିଗାରାର ଏକ ସପିଙ୍ଗ ମଲରେ ଚଢଉ କାଳରେ ବିଜେପି ଏମଏଲଏଙ୍କ ସହ ରିଭା ଲାମା ଓରଫ ରିଭା କଫି ପିଉଥିଲା। ପୋଲିସ ସୂତ୍ର ଅନୁସାରେ ସେ କଥିତ ରୂପେ ସିଲିଗୁଡିରେ ରହୁଥିବା ୨ ଭାଇ ଶୁଭଙ୍କର ଆରୋରା ଓ ଦୀପଙ୍କର ଆରୋରାଙ୍କଠାରୁ ରେଳବାଇ ପ୍ରକଳ୍ପରେ କାମ ଠିକା ଦେବା ପ୍ରତିଶ୍ରୁତି ଦେଇ ପଇସା ନେଇଥିଲା।

ତେବେ ପରେ ସେ ଦୁଇ ଭାଇଙ୍କୁ କାମ ଠିକା କରେଇ ଦେଇନଥିଲା କି ପଇସା ଫେରାଉନଥିଲା। ଏଣୁ ଆରୋରା ପରିବାର ପୋଲିସ ସହ ସମ୍ପର୍କ କରିଥିଲେ। ଏ ବାବଦେ ସେମାନେ ନଭେମ୍ବର ୧୮ ତାରିଖ ଦିନ ସିଲିଗୁଡି ପୋଲିସ ଷ୍ଟେସନରେ ଏକ ଲିଖିତ ଏତଲା ଦେଇଥିଲେ। ଏହା ପରେ ପୋଲିସ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ରିଭାକୁ ଗିରଫ କରାଯାଇଛି। ପୋଲିସରେ ଅଭିଯୋଗ କରିଥିବା ଦୀପାଙ୍କର ଆରୋରା ଓରଫ ମାଣିକ କହିଛନ୍ତି ଯେ ଆମକୁ ଦାର୍ଜିଲିଂରେ ଏକ ପ୍ରକଳ୍ପରେ କାମ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ସେ ଅନେକ କିସ୍ତିରେ ଆମଠାରୁ ୧ କୋଟି ଟଙ୍କା ନେଇଯାଇଛି।

ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିଲା, ଏଣୁ ଆମେ ପଇସା ମାଗିବାରୁ ଫେରାଇ ନଥିଲା। ଅଗତ୍ୟା ଆମେ ପୋଲିସର ଆଶ୍ରୟ ନେଲୁ। ପୋଲିସ ଅଭିଯୋଗର ତଦନ୍ତ କରି ଫାଇନାନସିଆଲ ଟ୍ରାଞ୍ଜାକ୍ସନ ରେକର୍ଡ ଓ ଅଭିଯୋଗର ଅନ୍ୟ ଦିଗ ଗୁଡିକୁ ଯାଞ୍ଚ କରୁଛି। ଏହି ଯାଞ୍ଚ ଆଧାରରେ ଅଧିକାରୀ ରିଭା ଲାମାକୁ ଗିରଫ କରିଛନ୍ତି। ପୋଲିସ ଏବେ ମାମଲାର ତଦନ୍ତ କରୁଛି। ଏହି ଠକେଇ ମାମଲା ସହ ସେଭୋକେ-ରଙ୍ଗପୋରେଳ ପ୍ରୋଜେକ୍ଟ ସହିତ କୌଣସି ସମ୍ପର୍କ ଅଛି କି ନା ତଦନ୍ତରୁ ଜଣାପଡିବ। ତେବେ ମାମଲାରେ ଏ ପର୍ଯ୍ୟନ୍ତ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ।