ପାଟନା:  ବିହାରର ବାଙ୍କୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରଶାନ୍ତ କିଶୋରଙ୍କ ମୋଟ ସମ୍ପତ୍ତି ତାଙ୍କ ପତ୍ନୀଙ୍କ ଠାରୁ କମ ବୋଲି ଜଣାପଡ଼ିଛି ।  ସେ ନିଜ ନିର୍ବାଚନୀ ସତ୍ୟପାଠରେ ଏନେଇ ଦର୍ଶାଇଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ ହୋଇଥିବା ଏହି ସତ୍ୟପାଠ ଅନୁସାରେ, ପ୍ରଶାନ୍ତଙ୍କ ପାଖରେ ୨୨.୧୯ କୋଟି ଟଙ୍କାର ସ୍ଥାବର (Movable) ସମ୍ପତ୍ତି ଏବଂ ୭୩.୮୭ କୋଟି ଟଙ୍କାର ଅସ୍ଥାବର (Immovable) ସମ୍ପତ୍ତି ରହିଛି। ଅନ୍ୟପଟେ ତାଙ୍କ ପତ୍ନୀ ତଥା ଆସାମର ଜଣେ ଚିକିତ୍ସକ ଜାହ୍ନବୀ ଦାସଙ୍କ ପାଖରେ ୮୯.୫୧ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୧୨.୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଯାହାକି ପ୍ରଶାନ୍ତଙ୍କ ଠାରୁ ଅଧିକ। ତେବେ ପ୍ରଶାନ୍ତ କିଶୋରଙ୍କ ପାଖରେ ୯୬ କୋଟି ଟଙ୍କାର ସଂପତ୍ତି ଥିବା ବେଳେ, ତାଙ୍କ ପତ୍ନୀଙ୍କ ପାଖରେ ୧୦୨ କୋଟି ଟଙ୍କାର ସଂପତ୍ତି ରହିଛି ।

ଜଣେ ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର, କିଛି ମାସ ପୂର୍ବରୁ ବିଜେପି ମୁଖ୍ୟ ନୀତିନ ନବୀନ ଖାଲି କରିଥିବା ଏହି ଆସନରୁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅଭିଷେକ କୁମାର  ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପରେ ବିଜେପି ପକ୍ଷରୁ ୩୨ ବର୍ଷୀୟ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ନେତା ନୀରଜ କୁମାର ସିହ୍ନାଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି।

ନିଜର ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ପ୍ରଶାନ୍ତ କିଶୋର କହିଛନ୍ତି, ‘ଏହା କେବଳ ମୋର ନାମାଙ୍କନ ନୁହେଁ, ବରଂ ବିହାରରେ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆହ୍ୱାନ। ଏଠାରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକମାନଙ୍କୁ ନିଜ ପଦବୀ ଛାଡ଼ିବାକୁ ପଡ଼ିବ।’ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ସୋନପୁରର ବାବା ହରିହରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ପରେ ପାଟନାର ସିହ୍ନା ଲାଇବ୍ରେରୀ ନିକଟରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଲେକ୍ଟୋରେଟ୍ ଅଭିମୁଖେ ଯାଇଥିଲେ।

ରାଜନୈତିକ ଯାତ୍ରା
୨୦୨୧ ମେ ୨ ରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପ୍ରଶାନ୍ତ ରାଜନୈତିକ ପରାମର୍ଶଦାତା କାର୍ଯ୍ୟରୁ ଅବସର ଘୋଷଣା କରି ବିହାର ଫେରିଥିଲେ। ୨୦୨୨ ଅକ୍ଟୋବର ୨ ରେ ସେ 'ଜନ ସୁରାଜ ଅଭିଯାନ' ଆରମ୍ଭ କରି ଏକ ପଦଯାତ୍ରା କରିଥିଲେ ଏବଂ କୌଣସି ବାହ୍ୟ ରାଜନୈତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ବିହାର ନିର୍ବାଚନରେ ଜନ ସୁରାଜ ଦଳ ଔପଚାରିକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ କୌଣସି ଆସନ ଜିତିବାରେ ସଫଳ ହୋଇନଥିଲା। ପୂର୍ବରୁ ନିଜେ ନିର୍ବାଚନ ଲଢ଼ିବାରୁ ଦୂରେଇ ରହିଥିବା ୪୯ ବର୍ଷୀୟ ପ୍ରଶାନ୍ତ କିଶୋର ଏହି ଉପ-ନିର୍ବାଚନ ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଆର୍ଥିକ ସ୍ଥିତି 
ପ୍ରଶାନ୍ତ କିଶୋରଙ୍କ ସତ୍ୟପାଠ ଅନୁଯାୟୀ, ବର୍ତ୍ତମାନ ତାଙ୍କ ଉପରେ ୫.୭୭ କୋଟି ଟଙ୍କାର ବ୍ୟାଙ୍କ ଋଣ ରହିଛି। ତାଙ୍କ ପତ୍ନୀଙ୍କର ଗୌହାଟୀରେ ଦୁଇଟି ଫ୍ଲାଟ୍ ଏବଂ ଏକ ବଙ୍ଗଳାରେ ଏକ-ତୃତୀୟାଂଶ ଅଂଶୀଦାର ରହିବା ସହ ନୋଏଡାରେ ମଧ୍ୟ ସମ୍ପତ୍ତି ରହିଛି। ସେହିପରି ପ୍ରଶାନ୍ତଙ୍କ ନିଜ ନାମରେ ଗାଜିଆବାଦରେ ଦୁଇଟି ଫ୍ଲାଟ୍, ଅନ୍ୟ ଦୁଇଟି ଫ୍ଲାଟ୍‌ରେ ୫୦ ପ୍ରତିଶତ ଅଂଶୀଦାର ଏବଂ ପାଟନାର ପାଟଳିପୁତ୍ର କଲୋନୀ, ଦିଲ୍ଲୀର ବସନ୍ତ ବିହାର, ବକ୍ସର ଓ ନିଜ ପୈତୃକ ଗ୍ରାମରେ ଜମିବାଡ଼ି ରହିଛି। ଏହାଛଡ଼ା ସେ 'ବେଦା ଭେଞ୍ଚର ପ୍ରାଇଭେଟ ଲିମିଟେଡ୍'ର ମାଲିକ । ଏହି କମ୍ପାନୀ ୨୦୨୪-୨୫ ବର୍ଷରେ ଜନ ସୁରାଜକୁ ୮୫ କୋଟି ଟଙ୍କା ଦାନ କରିଥିବା ବେଳେ ୨୦୨୩-୨୪ ବର୍ଷରେ ଜନ ସୁରାଜ ଫାଉଣ୍ଡେସନକୁ ୫୦ ଲକ୍ଷ ଏବଂ 'ଜୟ ଅଫ୍ ଗିଭିଙ୍ଗ୍' ସଂସ୍ଥାକୁ ୨.୭୫ କୋଟି ଟଙ୍କା ଦାନ କରିଥିଲା।

ଶିକ୍ଷାଗତ ଯୋଗ୍ୟତା 
ସତ୍ୟପାଠ ଅନୁସାରେ ପ୍ରଶାନ୍ତ କିଶୋରଙ୍କ ନାମରେ ମାନହାନି, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଏବଂ ଜାଲିଆତି ଭଳି ବିଭିନ୍ନ ଅଭିଯୋଗରେ ୮ଟି ମାମଲା ରହିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାମଲାରେ ଚାର୍ଜଫ୍ରେମ୍ (ଆରୋପ ପ୍ରସ୍ତୁତ) ହୋଇନାହିଁ। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିବିଏ (BBA) ସମାପ୍ତ କରିବା ପରେ ହାଇଦ୍ରାବାଦର ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫ୍ କଲେଜ୍ ଅଫ୍ ଇଣ୍ଡିଆ (ASCI)ରୁ ହେଲଥକେୟାର ମ୍ୟାନେଜମେଣ୍ଟରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ଏହାସହ ସେ ଫ୍ରେଞ୍ଚ ଭାଷାରେ ଏକ ସାର୍ଟିଫିକେଟ୍ କୋର୍ସ ମଧ୍ୟ କରିଛନ୍ତି।