ପାଟନା: ବିହାରର ବୈଶାଳୀ ଜିଲ୍ଲାରେ ଗଙ୍ଗା ନଦୀ ଉପରେ ନିର୍ମିତ ନୂଆ 'ନୀତିଶ ସେତୁ'ର ଉଦଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ଏହି ୪,୨୮୦ କୋଟି ଟଙ୍କାର କେବୁଲ-ଷ୍ଟେଡ୍ ସେତୁକୁ ଉଦଘାଟନ କରିଛନ୍ତି । କିନ୍ତୁ ଏହି ସେତୁ ଉଦଘାଟନ ହେବା ପରେ ଏକ ନୂଆ ରାଜନୈତିକ ବିବାଦ ଦେଇଦେଇଛନ୍ତି । ରାଘୋପୁର ଅଞ୍ଚଳରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କର୍ମୀମାନେ ତୀବ୍ର ପ୍ରତିବାଦ କରିଛନ୍ତି। ବିରୋଧୀ ଦଳ ନେତା ତଥା ରାଘୋପୁର ବିଧାୟକ ତେଜସ୍ୱୀ ଯାଦବଙ୍କୁ ଏହି ଉଦଘାଟନ ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା । ଏହାର ପ୍ରତିବାଦ ସୁରୂପ ଆରଜେଡି ସମର୍ଥକମାନେ ନୀତୀଶ ସେତୁ ଉପରେ ଲାଗିଥିବା ପୋଷ୍ଟ ଚିରି ପକାଇଛନ୍ତି ।

ଆରଜେଡି ସମର୍ଥଙ୍କ ପ୍ରତିବାଦ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆରଜେଡି କର୍ମୀମାନେ ପତାକା ଧରି ସେତୁ ଉପରେ ଶୋଭାଯାତ୍ରା କରିଛନ୍ତି । ତେଜସ୍ୱୀ ଯାଦବ ଓ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବା ଭିଡିଓ ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ହଙ୍ଗାମା ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା । ଏହି ସମୟରେ ଉତ୍ତ୍ୟକ୍ତ କର୍ମୀମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଓ ପୋଷ୍ଟର ଚିରି ପକାଇଥିଲେ । ନୂଆ ରାସ୍ତାରେ ବିଜେପି ପତାକାକୁ ଗୋଇଠା ମାରି ତଳେ ପକାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ତେଜସ୍ୱୀ ରାଘୋପୁରରୁ ପ୍ରତିନିଧିତ୍ୱ କରୁଛନ୍ତି । ମହାଗଠବନ୍ଧନ ସରକାର ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ତା ପରେ ବି ତାଙ୍କୁ ଡକାଯାଇ ନ ଥିବାରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ସେତୁର ନାମକରଣକୁ ନେଇ ତେଜସ୍ୱୀ ଯାଦବ ମଧ୍ୟ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ଜଣେ ଜୀବିତ ରାଜନେତାଙ୍କ ନାମରେ ଏକ ସାର୍ବଜନୀନ ସେତୁର ନାମକରଣ କରିବାର ଅର୍ଥ ହେଉଛି ନୀତୀଶ କୁମାର 'ରାଜନୈତିକ ଭାବରେ ଶେଷ ହୋଇଯାଇଛନ୍ତି'। ପରମ୍ପରା ଅନୁଯାୟୀ ସ୍ମାରକୀଗୁଡ଼ିକ ଦିବଂଗତ ନେତାମାନଙ୍କ ନାମରେ ରହିଥାଏ ଏବଂ ଏହି ସେତୁଟି ପୂର୍ବରୁ ନୀତୀଶ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇସାରିଛି । ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଆର୍ଥିକ ସହାୟତା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶାସକ ଏନଡିଏ ଏହି ପ୍ରତିବାଦକୁ କଡ଼ା ସମାଲୋଚନା କରିଛି। 

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାରଙ୍କ ଦୁଇ ଦଶନ୍ଧିର ଜନସେବା ଏବଂ ୨୦୧୨ରେ ସର୍ବସମ୍ମତି କ୍ରମେ ପରିକଳ୍ପିତ ଏହି ପ୍ରକଳ୍ପକୁ ସମ୍ମାନ ଜଣାଇ ଏହାର ନାମକରଣ କରାଯାଇଛି। ବିଜେପି ସାଂସଦ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ମଧ୍ୟ ତେଜସ୍ୱୀ ଓ ତାଙ୍କ ପରିବାରକୁ ୧୫ ବର୍ଷର ଶାସନ କାଳରେ ରାଘୋପୁରର ଭିତ୍ତିଭୂମି ବିକାଶକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ପାଟନାର ଜାତୀୟ ରାଜପଥ ୨୨ ସ୍ଥିତ କଚ୍ଚୀ ଦରଗାହକୁ ବୈଶାଳୀର ଜାତୀୟ ରାଜପଥ ୩୨୨ ସ୍ଥିତ ବିଦୁପୁର ସହିତ ଯୋଡ଼ୁଥିବା ଏହି ୧୯.୭ କିଲୋମିଟର ଲମ୍ବା ପ୍ରକଳ୍ପରେ ୯.୭ କିଲୋମିଟରର ମୁଖ୍ୟ ସେତୁ ଏବଂ ୧୦ କିଲୋମିଟରର ସଂଯୋଗୀକରଣ ରାସ୍ତା ରହିଛି। ଏହା ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତାୟାତକୁ ସହଜ କରିବା ସହିତ ମହାତ୍ମା ଗାନ୍ଧୀ ସେତୁ ଉପରୁ ଭିଡ଼ କମାଇବ ବୋଲି ଆଶା କରାଯାଉଛି । ତେବେ ଏହି ସେତୁ ଲୋକଙ୍କ ହିତରେ ନିର୍ମାଣ ହୋଇଥିଲେ ବି, ଏହାର ନାମକରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।