ହାଇଦ୍ରାବାଦ: ତେଲଙ୍ଗାନାରେ ଶାସକ କଂଗ୍ରେସ ଭିତରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ରିଭେନ୍ତ ରେଡ୍ଡୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାହିଛି । କଂଗ୍ରେସ ଭିତରୁ ହିଁ ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆସିବାରେ ଲାଗିଛି । ରାଜ୍ୟର ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ପରେ ଏବେ ମୁନୁଗୋଡ଼େର ବିଧାୟକ ରାଜଗୋପାଳ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ରେଭନ୍ତ ରେଡ୍ଡୀ ସରକାର ସରକାରୀ ଅର୍ଥ ଆବଣ୍ଟନ କରିବାରେ ତାଙ୍କ ଅଞ୍ଚଳ ସହ ଭେଦଭାବ କରୁଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଅଞ୍ଚଳରେ ପାଣ୍ଠି ରୋକାଯାଏ ତେବେ କୁରୁକ୍ଷେତ୍ର ପରି ଲଢ଼େଇ ହେବ ।

ତେଲଙ୍ଗାନାରେ କଂଗ୍ରେସ ସରକାରକୁ ପ୍ରାୟ ତିନି ବର୍ଷ ପୂରିବାକୁ ଯାଉଥିବା ବେଳେ ଦଳ ଭିତରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏବେ ବିରୋଧୀ ଦଳ ନୁହେଁ, ବରଂ ନିଜ ଦଳର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ଏ.ରେଭନ୍ତ ରେଡ୍ଡୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ବିକାଶମୂଳକ କାର୍ଯ୍ୟ ପାଇଁ ପାଣ୍ଠି ବଣ୍ଟନରେ ପାତରଅନ୍ତର, ଦୁର୍ନୀତି ଅଭିଯୋଗ ଏବଂ ମନ୍ତ୍ରୀମାନଙ୍କ ମଧ୍ୟରେ ମତଭେଦ ଏବେ ତେଲଙ୍ଗାନା କଂଗ୍ରେସରେ ନୂଆ ରାଜନୈତିକ ସଙ୍କଟ ସୃଷ୍ଟି କରିଛି ।

ଏହି ବିବାଦର ମୁଖ୍ୟରେ ଅଛି ମୁନୁଗୋଡେର କଂଗ୍ରେସ ବିଧାୟକ କୋମାଟିରେଡ୍ଡୀ ରାଜ ଗୋପାଳ ରେଡ୍ଡୀଙ୍କ ଅଭିଯୋଗ । ତାଙ୍କ ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ କୋଡାଙ୍ଗଲ ଏବଂ ମନ୍ତ୍ରୀମାନଙ୍କ ନିର୍ବାଚନମଣ୍ଡଳୀକୁ ଅଧିକ ବିକାଶ ପାଣ୍ଠି ଦିଆଯାଉଛି । କିନ୍ତୁ ଅନ୍ୟ ବିଧାୟକଙ୍କ ଅଞ୍ଚଳରେ ମୌଳିକ ବିକାଶ କାର୍ଯ୍ୟ ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ମିଳୁନାହିଁ । ସେ ଧମକପୂର୍ଣ୍ଣ ଶୈଳୀରେ କହିଛନ୍ତି, ଯଦି ଏହା ଜାରି ରୁହେ, ତେବେ ଏକ ରାଜନୈତିକ 'କୁରୁକ୍ଷେତ୍ର' ସୃଷ୍ଟି ହେବ ।

 Also read: ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ଯୋଗଦେଲେ ଇସ୍ତାହାର କମିଟିର ସହ-ଅଧ୍ୟକ୍ଷ 

ସେପଟେ ନିଜ ଦଳର ବିଧାୟକଙ୍କ ଏଭଳି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ । କାହାରି ନାଁ ନନେଇ ସେ ଦଳର କିଛି ନେତାଙ୍କୁ କଟାକ୍ଷ କରି କହିଥିଲେ ଯେ, ‘କିଛି ଲୋକଙ୍କୁ ପାଗଳ କୁକୁର କାମୁଡ଼ି ଦେଇଛି’ । ସେମାନେ ସରକାରଙ୍କ ଭଲ କାମକୁ ବ୍ୟକ୍ତିଗତ ଭାବେ ପ୍ରଶଂସା କରୁଥିବା ବେଳେ ସର୍ବସାଧାରଣରେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏହି ବୟାନ ପରେ ବିବାଦ ଆହୁରି ତୀବ୍ର ହୋଇଛି । ରାଜ ଗୋପାଳ ରେଡ୍ଡୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷା ଓ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କେବଳ ବିକାଶ ପାଣ୍ଠି ବିବାଦ ନୁହେଁ, ଦୁର୍ନୀତି ଅଭିଯୋଗ ମଧ୍ୟ ସରକାରଙ୍କ ଅଡୁଆ ବଢ଼ାଇଛି । ଜାଡଚେର୍ଲାର କଂଗ୍ରେସ ବିଧାୟକ ଜେ. ଅନିରୁଦ୍ଧ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ଛୋଟ ଛୋଟ ବିକାଶମୂଳକ କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ କିଛି ସରକାରୀ ଅଧିକାରୀ ଠିକାଦାରଙ୍କଠାରୁ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ କମିସନ ଦାବି କରୁଛନ୍ତି । ପ୍ରାୟ ୪୦ କୋଟି ଟଙ୍କାର ବିକାଶ କାର୍ଯ୍ୟର ବିଲ୍ ବାକି ପଡ଼ିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାର ସମାଧାନ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ।

ଦଳ ଭିତରେ ଅସନ୍ତୋଷ କେବଳ ଏହି ଦୁଇ ବିଧାୟକଙ୍କ ମଧ୍ୟରେ ସୀମିତ ନାହିଁ । ଦିଲ୍ଲୀରେ ଇଣ୍ଡି ମେଣ୍ଟର ରାଲି ସମୟରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଜନରସିଂହ ଏବଂ ଜୁକ୍କଲ ବିଧାୟକ ଟି.ଲକ୍ଷ୍ମୀକାନ୍ତ ରାଓଙ୍କ ମଧ୍ୟରେ ସାର୍ବଜନୀନ ଭାବେ ମତଭେଦ ସାମ୍ନାକୁ ଆସିଥିଲା । ସେହିପରି ଶିଳ୍ପମନ୍ତ୍ରୀ ଡି.ଶ୍ରୀଧର ବାବୁ ଏବଂ ପେଦ୍ଦାପଲ୍ଲୀ ସାଂସଦ ଜି.ବଂଶୀକୃଷ୍ଣଙ୍କ ମଧ୍ୟରେ ମଧ୍ୟ ଦଳୀୟ ଶୃଙ୍ଖଳାକୁ ନେଇ ମତଭେଦ ରହିଥିବା ରିପୋର୍ଟରେ କୁହାଯାଇଛି ।