ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକଭାନ’ର ଭୟଙ୍କର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ପଡ଼ିଛି । ବିଭିନ୍ନ ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହେବା ସହ ଚାଷୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ବନ୍ୟା ପରବର୍ତ୍ତୀ ସ୍ଥିତି, କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ସୋମବାର ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ୮ଟା ୧୫ରେ ବାସଭବନରୁ ବାହାରିବେ । ୮ଟା ୩୦ରୁ ହେଲିକେପଟର ଯୋଗେ ଆସି ୯ଟା ୧୫ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚିବେ । ସେଠାରୁ ବାହାରି ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପହଞ୍ଚି କ୍ଷତିଗ୍ରସ୍ତ ଫସଲ ଦେଖିବେ । ପରେ ସେଠାରୁ ବାହାରି ଛତ୍ରପୁର ବ୍ଲକ ବଉଳଗାଁ ପହଞ୍ଚିବେ । ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ । ବିଶେଷକରି ଜଳମଗ୍ନ ହୋଇଥିବା ଚାଷଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ଫସଲ ନଷ୍ଟ, କୃଷି କ୍ଷୟକ୍ଷତି ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ସିଧାସଳଖ ଆଲୋଚନା କରିବେ ।

ଏହାପରେ ମୁଖ୍ୟମନ୍ତ୍ରୀ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ, ପ୍ରଭାବିତ ଲୋକଙ୍କୁ ରିଲିଫ୍ ପ୍ରଦାନ, ଚାଷୀଙ୍କ ଫସଲ କ୍ଷତି ଏବଂ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ । ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେବେ ।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଏସ୍ପି ହରିଶ ବିଶି, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଗସ୍ତସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଓ ଆନୁଷଙ୍ଗିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।