ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ପ୍ରଥମ ସିଭିଲାଇଜେସନ ଡାଇଲଗ ଫୋରମରେ ଅଂଶଗ୍ରହଣ କରିବାକୁ ଦିଲ୍ଲୀ ଆସିଥିବା ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମାସୁଦ ମାଲିକ ସିନ୍ଧୁ ଜଳ ଚୁକ୍ତିନାମା ନେଇ ପ୍ରତିକ୍ରିୟା ଦେଇଛନ୍ତି। ଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାବ ଦେଇ ସେ କହିଛନ୍ତି ଯେବେ ଆପଣ ଏହି ବିଷୟରେ ଆଲୋଚନା କରିବାକୁ ଡାକିବେ, ତେବେ ଆମେ ନିଶ୍ଚୟ ଆଲୋଚନା କରିବୁ।

ରବିବାର ମିଡିଆକୁ ପ୍ରତିକ୍ରିୟା ଦେଇ ମଲ୍ଲିକ କହିଛନ୍ତି " ଯେତେବେଳେ ଆପଣ ମୋତେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ନିମନ୍ତ୍ରଣ କରିବେ, ଆମେ ନିଶ୍ଚିତ ଭାବରେ ଏହା ଉପରେ ଆଲୋଚନା କରିବୁ। କିନ୍ତୁ ବର୍ତ୍ତମାନ ଆପଣ ମୋତେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ନିମନ୍ତ୍ରଣ କରି ନାହାଁନ୍ତି।” ତେବେ ଏହି ପ୍ରସଙ୍ଗର ଆଲୋଚନାକୁ ନେଇ ସେ ପରାମର୍ଶ ଦେଇ କହିଛନ୍ତି ଯେ ଚର୍ଚ୍ଚାର ଆରମ୍ଭ କମ ଜଟିଳ ପ୍ରସଙ୍ଗରେ ହେବା ଉଚିତ। ତେବେ ଅଧିକ ସମ୍ବେଦନଶୀଳ କିମ୍ବା ବିବାଦୀୟ ପ୍ରସଙ୍ଗ ପରେ ଆଲୋଚନା କରିବା ଉଚିତ।

ଆତଙ୍କବାଦକୁ ନେଇ କ'ଣ କହିଲେ ମଲ୍ଲିକ ?

ମିଡିଆକୁ ପ୍ରତିକ୍ରିୟା ଦେଇ ଆତଙ୍କବାଦ ପ୍ରସଙ୍ଗରେ ବି ମତ ରଖିଛନ୍ତି ପାକିସ୍ତାନ ମନ୍ତ୍ରୀ। ଶ୍ରୀ ମଲ୍ଲିକ କହିଛନ୍ତି, ଯେ ଆତଙ୍କବାଦ ଉପରେ କୌଣସି ଚର୍ଚ୍ଚା କିମ୍ବା ପାରସ୍ପରିକ ଅଭିଯୋଗ ଅପେକ୍ଷା ତଥ୍ୟ ପ୍ରମାଣ ଓ ସ୍ୱଚ୍ଛ ଦୃଷ୍ଟିକୋଣ ଉପରେ ଆଧାରିତ ହେବା ଉଚିତ। ପରସ୍ପରକୁ ଦୋଷ ଦେବା ପରିବର୍ତ୍ତେ ସବୁ ଘଟଣା ପ୍ରମାଣ ଉପରେ ଆଧାରିତ ହେବା ଦରକାର ବୋଲି ମଲ୍ଲିକ ଗୁରୁତ୍ୱାରୋପ କରିଛନ୍ତି।

ତାଙ୍କ କହିବା ଅନୁସାରେ ଆତଙ୍କବାଦ ଶେଷ ହେଲେ ପାକିସ୍ତାନ ପାଇଁ ଏହା ବଡ଼ ଫାଇଦା ହେବ। କାରଣ ଗତ ୧୮ ରୁ ୨୪ ମାସ ମଧ୍ୟରେ ପାକିସ୍ତାନରେ ଏଥିପାଇଁ ହଜାର ହଜାର ଜୀବନ ଯାଇସାରିଲାଣି। ଏନେଇ ସେ କହିଛନ୍ତି “ ଯଦି ଆପଣ ଏହାକୁ ନ ଉସକାଇ ଏହାର ସ୍ଥାୟୀ ସମାଧାନ ଚାହୁଁଛନ୍ତି ତେବେ ଆମକୁ ଏମିତି ଆଗକୁ ବଢ଼ିବାକୁ ହେବ।”

Also Read- ଦୁଇ ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ: ରେଳ ସଂଯୋଗ, ଶକ୍ତି ଓ ବାଣିଜ୍ୟ ନେଇ ହୋଇପାରେ ଆଲୋଚନା

ଆତଙ୍କବାଦ ନେଇ ଭାରତର ଅଭିଯୋଗ ବିଷୟରେ ମଲିକ କହିଛନ୍ତି “ମୁଁ ଆଣପଙ୍କୁ ଏକ ଠୋସ୍ ଏବଂ ସ୍ପଷ୍ଟ ଜବାବ ଦେଉଛି, ଯେତେବେଳେ ବି ଆଲୋଚନା ହେବ, ଏହା ପ୍ରମାଣ ଉପରେ ଆଧାରିତ ହେବ। ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ଏହିପରି ଆଲୋଚନା ନିଶ୍ଚୟ ହେବ। ଆମେ ଅନେକ ଥର ଏବଂ ବିଭିନ୍ନ ମଞ୍ଚରେ କହିଛୁ ଯେ ସମସ୍ତ ପ୍ରମାଣକୁ ଦ୍ୱିପାକ୍ଷିକ ଭାବରେ ଉପସ୍ଥାପନ କରାଯାଇପାରିବ। ଏହା ବହୁପକ୍ଷୀୟ ଭାବରେ ବି ସମାଧାନ ହୋଇପାରିବ ବୋଲି ଆମେ ପରାମର୍ଶ ଦେଇଛୁ। ତୁମେ ତୁମର ପ୍ରମାଣ ଆଣ, ଏବଂ ଆମେ ଆମର ପ୍ରମାଣ ଆଣିବୁ।”

ଭାରତ ସହ ସମ୍ପର୍କ ସୁଧାରିବା ଉପରେ ଗୁରୁତ୍ୱ

ଏସସିଓ ମଞ୍ଚରେ ଭାଷଣ ଦେଇ ଭାରତ ସହିତ ସମ୍ପର୍କ ସୁଧାର ଉପରେ ଗୁରୁତ୍ୱ ଦେଇଥିଲେ ମୁସାଦିକ ମଲିକ। ଭବିଷ୍ୟତରେ ସାଂସ୍କୃତିକ ଆଲୋଚନା ମାଧ୍ୟମରେ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିପାରେ। ବହୁପାକ୍ଷିକ ସମ୍ପର୍କ ବିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତି ଆଣିବା ଟିକେ କଷ୍ଟକର ହେବ। ଆଲୋଚନା ଏବଂ ସାଂସ୍କୃତିକ ଆଦାନପ୍ରଦାନ ଦୁଇ ଦେଶ ମଧ୍ୟରେ ଥିବା ଦୂରତାକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମଲ୍ଲିକ ସୂଚନା ଦେଇଥିଲେ।