ପ୍ରୟାଗରାଜ: ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ। କାନପୁର-ପ୍ରୟାଗରାଜ ହାଇଓ୍ଵେରେ ମିଳିଲା ୨୪ ବର୍ଷୀୟ ଜାତୀୟସ୍ତରୀୟ ମହିଳା ବକ୍ସରଙ୍କ ମୃତଦେହ। ମୃତକ ବକ୍ସର ହେଉଛନ୍ତି ମାନ୍ତସା। ସେ ଉନ୍ନାଓ ଜିଲ୍ଲାର ବାସିନ୍ଦା। ଝିଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଝିଅକୁ ବୟଫ୍ରେଣ୍ଡ ହତ୍ୟା କରିଥିବା ପରିବାର ଲୋକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ନଭେମ୍ବର ୫ ତାରିଖ ଦିନ ପ୍ରାୟ ୧୨ଟା ୩୦ରେ ମାନ୍ତସା ଭାଣିଜୀର ବିବାହ ପାଇଁ ବାହାଘର ସାମଗ୍ରୀ କିଣିବାକୁ ଲାଲ ବଙ୍ଗଳା ଯାଉଥିବା ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଦୀର୍ଘ ସମୟ ଘରକୁ ନ ଫେରିବାରୁ ପରିବାର ଲୋକ ମାନ୍ତସାଙ୍କୁ କଲ୍ କରିଥିଲେ ହେଁ ଫୋନ ସୁଇଚ୍ ଅଫ ରହିଥିଲା।

Also Read: ଚାଇନା ଗୁପ୍ତଚରଙ୍କ ସହ Nvidia CEOଙ୍କ ପ୍ରେମ ସଂପର୍କ, ପତ୍ନୀଙ୍କୁ ଧୋକା; ସାରା ଦୁନିଆରେ ଖେଳିଗଲା ଚାଞ୍ଚଲ୍ୟ

ପରବର୍ତ୍ତୀ ସମୟରେ ମହିଳା ବକ୍ସରଙ୍କ ମୃତଦେହ ଘରଠୁ ପ୍ରାୟ ୪୦ରୁ ୫୦ କିଲୋମିଟର ଦୂର କାନପୁର-ପ୍ରୟାଗରାଜ ହାଇଓ୍ଵେରେ ଉଦ୍ଧାର ହୋଇଥିଲା। ହାଇଓ୍ଵେର ଯେଉଁ ସ୍ଥାନରୁ ମୃତଦେହ ମିଳିଥିଲା ତାହା ମହାରାଜ ଥାନା ଅନ୍ତର୍ଗତ। ପ୍ରଥମେ ମୃତକଙ୍କ ଚିହ୍ନଟ ହୋଇ ପାରି ନ ଥିଲା। ପରେ ପରିବାର ଲୋକଙ୍କୁ ସୂଚନା ଦେବା ପରେ ମାନ୍ତସାଙ୍କ ଚିହ୍ନଟ ହୋଇ ପାରିଥିଲା।

ତାଙ୍କ ମାଆ ସଞ୍ଜନାଙ୍କ ଅନୁଯାୟୀ, ମାନ୍ତସାଙ୍କ ମୋବାଇଲ ଫୋନ, ସ୍କାର୍ଫ ଓ ଜ୍ୟାକେଟ୍ ଏବେ ବି ନିଖୋଜ ଅଛି। ତାଙ୍କୁ ମହାରାଜପୁର ଥାନା ହିଁ ଝିଅର ମୃତ୍ୟୁ ଖବର ଦେଇଥିଲେ। ଏହି ଖବର ଶୁଣିବା ପୂର୍ବରୁ ହିଁ ସେମାନେ ସ୍ଥାନୀୟ ଗଙ୍ଗାଘାଟ ଥାନାରେ ଝିଅ ନିଖୋଜ ଥିବା ଏଫଆଇଆର ଦେଇଥିଲେ।

Also Read: ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ ରନ୍, ବୁଲେଟ୍କୁ ୫୦ ମିଟର ଘୋଷାଡ଼ି ନେଲା କାର୍

ସଞ୍ଜନା କହିଛନ୍ତି, ମାନ୍ତସା ଜଣେ ଜାତୀୟସ୍ତରର ବକ୍ସର ଏବଂ ସ୍ଵର୍ଣ୍ଣପଦକ ବିଜେତା ଥିଲା। ସେ ବକ୍ସିଂକୁ ନିଜର କ୍ୟାରିୟର ଭାବେ ବାଛି ନେଇଥିଲା ଏବଂ ସେହି ଦିଗରେ ଆଗକୁ ବଢୁଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଝିଅର ମୃତ୍ୟୁ ପଛରେ ତା ସାଙ୍ଗର ହାତ ରହିଛି। ତୁରନ୍ତ ଦୋଷୀକୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ମାନ୍ତସା ପରିବାରର ସବୁଠୁ ସାନ ଝିଅ ଥିଲେ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ବିଭିନ୍ନ ଦିଗରୁ ମାମଲାର ତଦନ୍ତ ଚଳାଇଛି। ତାଙ୍କ ମୋବାଇଲ ଫୋନର କଲ୍ ଡିଟେଲ୍ସ ଯାଞ୍ଚ କରି ହତ୍ୟା ପଛରେ କାହାର ସଂପୃକ୍ତି ରହିଛି ତାର ସନ୍ଧାନ ଚଳାଇଛି ପୋଲିସ। ପରିବାର ଲୋକେ ଆଣିଥିବା ଅଭିଯୋଗ ଆଧାରରେ ମଧ୍ୟ ପୋଲିସ ତଦନ୍ତ କରୁଛି।