ନୂଆଦିଲ୍ଲୀ: ସଂପ୍ରତି ବହୁତ ବଡ଼ ବିବାଦରେ ଫସିଛନ୍ତି ଦୁନିଆର ସବୁଠୁ ବଡ଼ ଚିପ୍ ନିର୍ମାତାକାରୀ କମ୍ପାନି Nvidiaର ସିଇଓ। ତାଙ୍କର ଗୋଟିଏ ଖୁଲାସାରେ ଆମେରିକାରୁ ନେଇ ଚୀନ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ଖେଳି ଯାଇଛି। ଖୁଲାସା ପରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଏବଂ କମ୍ପାନିର ସିଇଓ ଖୋଦ୍ ନିଜେ ଆଗକୁ ଆସି କ୍ଷମା ପ୍ରାର୍ଥନା କରିଛନ୍ତି। ହେଲେ ପୂରା ମାମଲା କଣ ? କାହିଁକି ଆମେରିକାର ଏତେ ବଡ଼ କମ୍ପାନିର ସିଇଓଙ୍କୁ ପୂରା ଦୁନିଆ ଆଗରେ ଲଜ୍ଜିତ ହେବାକୁ ପଡ଼ିଛି ? ଚାଲନ୍ତୁ ଜାଣିବା...

ଏହି ସବୁ ବିବାଦର ଆରମ୍ଭ Nvidiaର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO) ଜେନସେନ ହୁଆଙ୍ଗଙ୍କ ଏକ ଚାଇନା ଗୁପ୍ତଚର ସହ ପ୍ରେମ ସଂପର୍କକୁ ନେଇ ହୋଇଛି। ଗତ ଅକ୍ଟୋବର ୨୮ରେ ନ୍ୟୁୟର୍କ ଟାଇମ୍ସ ନିଜର ରିପୋର୍ଟରେ ଦାବି କରିଛି ଯେ, ଜେନସେନଙ୍କ ଚୀନର ଜଣେ ବ୍ୟବସାୟୀ ମହିଳା ଏଲିସ ହୁଆଙ୍ଗଙ୍କ ସହିତ ଘନିଷ୍ଠ ସମ୍ବନ୍ଧ ଥିଲା। କଥିତ ରୂପେ ଉକ୍ତ ମହିଳା ଚୀନ ପାଇଁ ଗୁଇନ୍ଦାଗିରି କରୁଥିଲେ ଏବଂ Nvidia କମ୍ପାନିର ଗୋପନୀୟ ସୂଚନା ଚୀନ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ପୂରା ଦୁନିଆରେ ଚହଳ ପଡ଼ି ଯାଇଛି। କମ୍ପାନି ତଦନ୍ତ କମିଟି ଗଠନ କରି ସାରିଛି। ଏବେ ଜେନସେନ ଖୋଦ୍ ଆଗକୁ ଆସି ବଡ଼ ଖୁଲାସା କରିଛନ୍ତି।

Nvidia ସିଇଓଙ୍କ ବଡ଼ ସ୍ଵୀକାରୋକ୍ତି

ଏବେ ଜେନସେନ ହୁଆଙ୍ଗ ନିଜେ ଆଗକୁ ଆସି ଏହି ମାମଲାରେ ବଡ଼ ଖୁଲାସା କରିଛନ୍ତି। ସେ ନିଜ କମ୍ପାନିର ସମସ୍ତ କର୍ମଚାରୀଙ୍କୁ ଏକ ଇମେଲ ପଠାଇଛନ୍ତି। ଏହି ଇମେଲରେ ସେ କେବଳ ଚୀନ ମହିଳାଙ୍କ ସହ ସଂପର୍କ କଥାକୁ ସ୍ଵୀକାର କରି ନାହାନ୍ତି ବରଂ ଏହା ମଧ୍ୟ ମାନିଛନ୍ତି ଯେ, ସେ ନିଜ ପତ୍ନୀଙ୍କ ସହ ବିଶ୍ଵାସଘାତ କରିଛନ୍ତି। ଜେନସେନ କହିଛନ୍ତି, ସେ ନିଜର ଏହି କର୍ମ ପାଇଁ ନିଜକୁ ସଂପୂର୍ଣ୍ଣ ଦାୟୀ କରୁଛନ୍ତି। ମୁଁ ନିଜ ପତ୍ନୀ ପ୍ରତି ଅନ୍ୟାୟ କରିଛି। ମୋର ଏମିତି କାର୍ଯ୍ୟ ପାଇଁ ପତ୍ନୀ ଏବଂ ପିଲାଙ୍କୁ ଆଘାତ ଲାଗିଛି। ମୁଁ ଯେଉଁ କର୍ମ କରିଛି ତାହା ପାଇଁ କୌଣସି ବାହାନା ଚଳିବ ନାହିଁ। ସେ ଏହା ମଧ୍ୟ ଲେଖିଛନ୍ତି, ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ।

ସ୍ଵତନ୍ତ୍ର ତଦନ୍ତ ଆରମ୍ଭ କଲା Nvidia

ଏହା ମଧ୍ୟରେ ରବିବାର ଜାରି ବୟାନରେ Nvidia କହିଛି ଯେ, କମ୍ପାନିର ସଂସ୍ଥାପକ ତଥା ସିଇଓ ହୁଆଙ୍ଗଙ୍କୁ ବିଦେଶୀ ଗୁଇନ୍ଦା ଏଜେନ୍ସି ଟାର୍ଗେଟ୍ କରିବା ଖବର ସାମ୍ନାକୁ ଆସିବା ପରେ କମ୍ପାନି ସ୍ଵତନ୍ତ୍ର ଭାବେ ଯାଞ୍ଚ ଆରମ୍ଭ କରି ଦେଇଛି। କମ୍ପାନି ଏହା ମଧ୍ୟ କହିଛି ଯେ, ଲାଗୁନି ଯେ ରାଷ୍ଟ୍ରୀୟ ସୁରକ୍ଷା କିମ୍ବା କମ୍ପାନିର ଗୋପନୀୟତାରେ କୌଣସି ପ୍ରକାରର ସାଲିସ୍ କରାଯାଇଥିବ। ଆମେରିକାର ରାଷ୍ଟ୍ରୀୟ ଓ ଆର୍ଥିକ ସୁରକ୍ଷା କମ୍ପାନିର ପ୍ରାଥମିକତା। Nvidia ଏବଂ ଏହାର ସେୟାର ହୋଲର୍ଡରଙ୍କ ହିତଠୁ ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷା ବହୁତ ବଡ଼।

ହୁଆଙ୍ଗଙ୍କୁ ଆମେରିକୀୟ ସାଂସଦଙ୍କ ତଲବ

ଏହି ଘଟଣାରେ ଆମେରିକୀୟ ସଂସଦ ମଧ୍ୟ ଅଭିଯୋଗ ଉପରେ ଯାଞ୍ଚ ଆରମ୍ଭ କରି ଦେଇଛି। ସିଇଓ ହୁଆଙ୍ଗଙ୍କୁ ସଂସଦରେ ହାଜର ହେବାକୁ କୁହାଯାଇଛି। ଆମେରିକା ପ୍ରତିନିଧି ସଭାର ତିନି ରିପବ୍ଲିକନ କମିଟିର ପ୍ରମୁଖ Nvidia ସିଇଓଙ୍କୁ ଚଳିତ ମାସ ଶେଷ ସୁଦ୍ଧା ହାଜର ହେବାକୁ ଦାବି କରିଛନ୍ତି।

କଣ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଏହି ମାମଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏତେ ବଡ଼ ଅଭିଯୋଗ ଉପରେ ଖୋଦ୍ ସିଇଓଙ୍କ ସ୍ଵୀକାରୋକ୍ତି ପରେ ବି ଟ୍ରମ୍ପ ହୁଆଙ୍ଗଙ୍କୁ ଜଣେ ଭଲ ମଣିଷ ବୋଲି କହିଛନ୍ତି। ଟ୍ରମ୍ପ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି, ମୁଁ କେବଳ ଏତିକି ଜାଣିଛି ଯେ ସେ ଜଣେ ଉତ୍ତମ ବ୍ୟକ୍ତି। ହୁଏତ ହୁଆଙ୍ଗ ନିଜର ଦୋଷ ସ୍ଵୀକାର କରି ନ ଥିଲେ ଆପଣମାନେ କେହି ଘଟଣା ବିଷୟରେ ଜାଣି ପାରି ନ ଥାନ୍ତେ। ହୁଆଙ୍ଗ ଦେଶ ପାଇଁ ଅଦ୍ଭୁତ କାମ କରିଛନ୍ତି ଏବଂ ସେ ଚାହାନ୍ତି ଜେନସେନ ନିଜ ପଦ ବଜାୟ ରଖନ୍ତୁ।

୪.୫ ଟ୍ରିଲିୟନ ଡଲାରର କମ୍ପାନି Nvidia

ଉଲ୍ଲେଖନୀୟ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତକାରୀ ଦୁନିଆର ଅଗ୍ରଣୀ କମ୍ପାନି Nvidiaର ମାର୍କେଟ୍ ଭେଲ୍ୟୁ ପାଖାପାଖି ୪.୫ ଟ୍ରିଲିୟନ ଡଲାର। ଏହା ଦୁନିଆର ସବୁଠୁ ଭେଲ୍ୟୁଏବଲ କମ୍ପାନି ମଧ୍ୟରୁ ଅନ୍ୟତମ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଯୁକ୍ତିବିଦ୍ୟା ପାଇଁ ଜରୁରୀ ହାର୍ଡଓ୍ବେର ତିଆରି କରିବାରେ ଏହି କମ୍ପାନିର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ହୁଆଙ୍ଗ ପ୍ରାୟ ୩୦ ବର୍ଷ ହେବ କମ୍ପାନିର ନେତୃତ୍ଵ କରୁଛନ୍ତି। ଏବେ ତାଙ୍କ ଉପରେ ଲାଗିଥିବା ସଙ୍ଗୀନ ଅଭିଯୋଗ ପୂରା ଦୁନିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।