ବାରିପଦା ୯।୧୧: ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ସଫା ଠାରୁ ଆରମ୍ଭ କରି ବାସନ ସଫା କରାଇବା ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ସ୍କୁଲ ଗେଟ୍‌ରେ ତାଲା ପକାଇ ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବାରିପଦା ସହର ଉପକଣ୍ଠ ଚିପଟଅସ୍ତିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଅଭିଭାବକଙ୍କ ଅଭିଯୋଗ ମୁତାବକ, ଗତ ଶନିବାର ଦିନ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିଛି ଛାତ୍ରଙ୍କୁ ଟଏଲେଟ୍ ସଫା କରିବାରେ ନିୟୋଜିତ କରିଥିଲେ । ପିଲାମାନେ ଘରକୁ ଯାଇ ଏହି ଘଟଣା ନିଜ ଅଭିଭାବକଙ୍କୁ କହିଥିଲେ । ଯାହାକୁ ନେଇ ଆଜି କିଛି ଅଭିଭାବକ ସ୍କୁଲ ଗେଟ୍‌ରେ ତାଲା ପକାଇବା ସହ ସ୍କୁଲ ପରିସରରେ ଉତ୍ତେଜନା ସୃଷ୍ଟି କରିବା ସହ ଉକ୍ତ ସ୍କୁଲରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି । ତେବେ ଖାଲି ଟଏଲେଟ୍ ନୁହେଁ, କେତେବେଳେ କେତେବେଳେ ବାସନ ମଜା କରାଇବା ତ ପୁଣି କେତେବେଳେ ସ୍କୁଲ ପରିସରରେ ବ୍ଲିଚିଂ ପକାଇବା ଭଳି ବିଭିନ୍ନ କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

​​​​​​​​​​​​​​

Also Read:- ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟର ଧକ୍କା ; ଦୁଇ ମୃତ, ଜଣେ ଗୁରୁତର

ଅନ୍ୟପଟେ ଏହି ଘଟଣାକୁ ଖଣ୍ଡନ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମିଛ କହୁଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ତେବେ ଘଟଣାର ଦୀର୍ଘ ସମୟ ପରେ ମଧ୍ୟ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗେଟ୍ ଖୋଲିଥିଲେ । ଉକ୍ତ ଘଟଣାରେ ତୁରନ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ସ୍କୁଲରେ ପୁଣି ତାଲା ପଡିବ ବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଆକାଶ ସିଂ।