ଭୁବନେଶ୍ୱର ୦୯।୧୧ : ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ଗଞ୍ଜାମରେ ବନ୍ୟା ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ। ଜଳ ପରିଚାଳନାରେ ବିରାଟ ତ୍ରୁଟି ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଏଭଳି ବଡ଼ ବନ୍ୟା ସ୍ଥିତି ଉପୁଜିଥିବା ଅଭିଯୋଗ କରିଛି କଂଗ୍ରେସ। ଏହା ପ୍ରାକୃତିକ ବନ୍ୟା ନୁହେଁ, ବରଂ ମଣିଷକୃତ ବନ୍ୟା ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ। ଏଥିସହ ବନ୍ୟା କ୍ଷୟକ୍ଷତି ଭରଣା ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କ ନିକଟରେ ତିନୋଟି ଦାବି ରଖିଛି କଂଗ୍ରେସ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଜଳ ସମ୍ପଦ ବିଭାଗର ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏକ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଗଞ୍ଜାମ ଜିଲ୍ଲାରେ ହୋଇଥିବା ବନ୍ୟା ପ୍ରାକୃତିକ ନୁହେଁ, ବରଂ ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଅରବିନ୍ଦ ଦାସ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୨୩ ତାରିଖରୁ ପାଣିପାଗ ବିଭାଗ ବାରମ୍ବାର ସୂଚନା ଦେଇଥିଲା। ତଥାପି ୨୮ ତାରିଖ ପର୍ଯ୍ୟନ୍ତ ନଦୀବନ୍ଧର ଗେଟ୍ କାହିଁକି ଖୋଲାଗଲା ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏପରିକି ୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବା କଥା ଥିବା ବେଳେ ଜଳଭଣ୍ଡାର ଗେଟ୍ ଖୋଲିବା ପରେ ୧ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଥିବା ଦାବି କରିଛନ୍ତି ଅରବିନ୍ଦ। ଯାହା ଫଳରେ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହୋଇଥିବା ସେ ଅଭିଯୋଗ କରିଛନ୍ତି।

Also Read:-Beggar: ଦିନକୁ ୧୦ ଘଣ୍ଟାର ପରିଶ୍ରମ, ଭିକ ମାଗି ହୋଇଗଲେ କୋଟିପତି ; ମୁମ୍ଵାଇରେ କିଣିଲେ ଆଲିଶାନ ଘର

ସେହିପରି ବାତ୍ୟା ନ ସରୁଣୁ ମୁଖ୍ୟମନ୍ତ୍ରୀ 'ଜିରୋ କାଜୁଆଲଟି' ଘୋଷଣା କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଦୁଇ ଚାଷୀଙ୍କ ଆତ୍ମହତ୍ୟା ଓ ମାଟି ତଳେ ପୋତି ହୋଇ ଜୀବନ ହରାଇଥିବା ଲୋକଙ୍କ ମୃତ୍ୟୁକୁ କେମିତି ଜିରୋ କାଜୁଆଲଟି କୁହାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ ଦାସ। ଏଥିସହ ବର୍ତ୍ତମାନର ସରକାର ପୂର୍ବ ସରକାର ସହ ତୁଳନା କରିବା ପରିବର୍ତ୍ତେ ଅଭିଜ୍ଞ ଅଧିକାରୀଙ୍କ ପରାମର୍ଶ ନେବା ଉଚିତ ବୋଲି ମତ ଦେଇଛି କଂଗ୍ରେସ।

କଂଗ୍ରେସର ୩ ଦାବି:

୧. ବନ୍ୟାରେ ଚାଷ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୨୫୬୨ କୋଟି ଟଙ୍କା ମାଗିଥିବାବେଳେ କେନ୍ଦ୍ରକୁ ୫ ହଜାର କୋଟି ଟଙ୍କାର ସହାୟତା ମାଗନ୍ତୁ।

୨. ବନ୍ୟା ବିପର୍ଯ୍ୟୟ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ।

୩. କ୍ଷତିଗ୍ରସ୍ତ ଆନିକଟ୍ଗୁଡ଼ିକର ତୁରନ୍ତ ମରାମତି କରାଯାଉ।