ନୂଆଦିଲ୍ଲୀ: ଦୀପାବଳିର ଖୁସି ଭିତରେ ଭାରତର କ୍ରୀଡା ଜଗତରେ ବଡ଼ ସଫଳତା। ଚେସରେ ଇତିହାସ ରଚିଲେ ମଧ୍ୟପ୍ରଦେଶର ଖେଳାଳି ଅନୁଜ ଶ୍ରୀବାସ୍ତବ। ଫିଲିପାଇନ୍ସରେ ଆୟୋଜିତ ସପ୍ତମ ଆସିଆନ୍ ପ୍ଲସ୍ ଇଣ୍ଡିଭିଜୁଆଲ୍ ଓପନ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ରେ ଟାଇଟଲ୍ ଜିତି ଅନୁଜ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ସହ ଭାରତ ପାଇଛି ନିଜର ୧୦୦ତମ ଗ୍ରାଣ୍ଡମାଷ୍ଟର। ଫିଲିପାଇନ୍ସରେ ଟାଇଟଲ୍ ଜିତିବା ପରେ ଅନୁଜ ବେଶ୍ ଖୁସି ଅଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗ୍ରାଣ୍ଡମାଷ୍ଟର ହେବା ତାଙ୍କର ଏକ ବଡ଼ ଲକ୍ଷ୍ୟ ଥିଲା।

ମଧ୍ୟପ୍ରଦେଶର କଟନୀ ସହରର ବାସିନ୍ଦା ଅନୁଜ ଶ୍ରୀବାସ୍ତବ। ତାଙ୍କ ବାପା ରେଳବାଇର ଏକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ। ଅନୁଜଙ୍କ କହିବା ଅନୁସାରେ, ମାତ୍ର ୬ ବର୍ଷ ବୟସରୁ ସେ ଚେସ୍ ଖେଳିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଏହି ଖେଳ ପ୍ରତି ତାଙ୍କ ଆଗ୍ରହ ବଢ଼ିଥିଲା ଏବଂ ଗ୍ରାଣ୍ଡମାଷ୍ଟର ହେବାର ସ୍ୱପ୍ନ ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା।

ଚେସ୍ ବ୍ୟତୀତ କ୍ରିକେଟ୍ ଓ ବ୍ୟାଡମିଣ୍ଟନ୍‌ ପ୍ରତି ମଧ୍ୟ ଅନୁଜଙ୍କର ରହିଛି ବିଶେଷ ଆଗ୍ରହ। ସେ ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କର ବଡ଼ ପ୍ରଶଂସକ। ବିଶେଷକରି ଚାପପୂର୍ଣ୍ଣ ପରିସ୍ଥିତିରେ ବିରାଟ ଯେଉଁଭଳି ନିଜକୁ ସମ୍ଭାଳି ଖେଳନ୍ତି, ତାହା ତାଙ୍କୁ ବେଶ୍ ପ୍ରଭାବିତ କରେ। ସେହିପରି ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କ ଖେଳ ମଧ୍ୟ ତାଙ୍କୁ ପସନ୍ଦ।

also read- ଭାରତର ଗସ୍ତ ନାହିଁ...ଇଂଲଣ୍ଡ ହରାଇବ ବଡ଼ ରାଜସ୍ୱ ! ୨୦୨୭ରେ ୬୨୭ କୋଟି ଟଙ୍କା କ୍ଷତି ହେବା ଆଶଙ୍କା

ଭାରତୀୟ ଚେସ୍‌ର ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଦେଶକୁ ପ୍ରଥମ ଗ୍ରାଣ୍ଡମାଷ୍ଟର ଭେଟି ଦେଇଥିଲେ ବିଶ୍ୱନାଥନ ଆନନ୍ଦ। ତାଙ୍କ ପରେ ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଏବେ ୧୦୦ତମ ଗ୍ରାଣ୍ଡମାଷ୍ଟର ଭାବେ ଅନୁଜଙ୍କ ନାଁ ଯୋଡ଼ି ହୋଇଛି ଏହି ଗୌରବମୟ ତାଲିକାରେ।