ନୂଆଦିଲ୍ଲୀ: ସୁପ୍ରିମକୋର୍ଟଟ ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ବିରୋଧ କରିବା ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍ ଏକାଡେମୀ ଅଫ୍ ଲିଗାଲ୍ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ (NALSAR)ର ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି। ଏହି ବ୍ୟାଚର ଆଇନ ସ୍ନାତକ ଛାତ୍ରଛାତ୍ରୀଙ୍କ ନାଁ ଓକିଲ ଭାବେ ପଞ୍ଜୀକରଣ ନ କରିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI) ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ରାଜ୍ୟ ବାର୍ କାଉନସିଲ୍ NALSARର ୨୦୨୬ ବ୍ୟାଚର କୌଣସି ଛାତ୍ରଙ୍କୁ ଆଡଭୋକେଟ୍ ଭାବେ ପଞ୍ଜୀକରଣ କରିବେ ନାହିଁ ବୋଲି BCI ନିର୍ଦ୍ଦେଶ ଦେଇଛି।

ବିସିଆଇର ଆଦେଶରେ କୁହାଯାଇଛି “ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ NALSAR ୟୁନିଭର୍ସିଟି ଅଫ୍ ଲ’ର ୨୦୨୬ରେ ଆଇନ ଡିଗ୍ରୀ ହାସଲ କରିଥିବା କୌଣସି ଛାତ୍ରଙ୍କୁ କୌଣସି ରାଜ୍ୟ ବାର୍ କାଉନସିଲ୍ ଆଡଭୋକେଟ୍ ଭାବେ ପଞ୍ଜୀକରଣ କରିବେ ନାହିଁ।”

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ନେଇ ବିବାଦ

NALSARର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତଙ୍କୁ ଆମନ୍ତ୍ରଣ କରାଯିବା ପରେ ବିବାଦ ଉପୁଜିଥିଲା। ଏହି ବ୍ୟାଚ୍ର କିଛି ଛାତ୍ରଛାତ୍ରୀ CJIଙ୍କୁ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି କରାଯିବାକୁ ବିରୋଧ କରିଥିବା ଜଣାପଡ଼ିଥିଲା। ଏହି ଛାତ୍ରାଛତ୍ରୀମାନେ ଏହାକୁ ବିରୋଧ କରି କଲେଜ୍ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ପୁନଃ ବିଚାର କରିବାକୁ ଆବେଦନ ପତ୍ର ମଧ୍ୟ ଲେଖିଥିଲେ। ଏହି ଘଟଣାକୁ ନେଇ ବିସିଆଇ ଏବେ ନାଲସାର କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଛି। ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଘଟଣା ସମ୍ପର୍କିତ ତଥ୍ୟ ଓ ରିପୋର୍ଟ ଦେବାକୁ କୁହାଯାଇଛି।

Also Read- ନେତାଜୀଙ୍କୁ ଅପମାନ କରିବାରୁ ବିଜେପି ସାଂସଦଙ୍କ ଠାରୁ ସମ୍ମାନ ପ୍ରତ୍ୟାହାର କରିନେଲେ ପଶ୍ଚିମବଙ୍ଗ ସରକାର

ତଦନ୍ତ ପରେ ନିଷ୍ପତ୍ତି ବଦଳିପାରେ

BCI କାର୍ଯ୍ୟକାରୀ କମିଟିର ସଦସ୍ୟ ଆଡଭୋକେଟ୍ ଭି.ପି. ଶର୍ମା କହିଛନ୍ତି ଯେ କମିଟିର ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ତେବେ NALSARରୁ ରିପୋର୍ଟ ମିଳିବା ଓ ତଦନ୍ତ ପରେ ଯଦି କୌଣସି ଶୃଙ୍ଖଳାଭଙ୍ଗ ହୋଇନଥିବା ଜଣାପଡ଼େ, ତେବେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ଶର୍ମା ସ୍ପଷ୍ଟ କରିଛନ୍ତି। ବିସିଆଇର ନିଷ୍ପତ୍ତିକୁ ନେଇ କେହି ଚ୍ୟାଲେଞ୍ଜ କରିବାକୁ ଚାହିଲେ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି ମଧ୍ୟ ସେ କହିଛନ୍ତି।

୨୦୨୬ ବ୍ୟାଚର ଭବିଷ୍ୟତ ନେଇ ଚିନ୍ତା

ବିସିଆଇର ଏହି ନିର୍ଦ୍ଦେଶ ଯୋଗୁ NALSARର ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ଓକିଲ ଭାବେ ପେସାରେ ପ୍ରବେଶ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ରାଜ୍ୟ ବାର୍ କାଉନସିଲ୍ରେ ନାମ ପଞ୍ଜୀକରଣ ଆଇନଜୀବୀ ଭାବେ ପ୍ରାକ୍ଟିସ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ ଏହାର ପ୍ରଭାବ ଚାକିରି ଓ ପ୍ଲେସମେଣ୍ଟ ଉପରେ ମଧ୍ୟ ପଡ଼ିପାରେ।

ତେବେ ବିସିଆଇ ସ୍ପଷ୍ଟ କରିଛି ଯେ ଏହା ଏକ ଅନ୍ତିମ ନିଷ୍ପତ୍ତି ନୁହେଁ। NALSARର ରିପୋର୍ଟ ଓ ତଦନ୍ତର ଫଳାଫଳ ଆଧାରରେ ଆଗାମୀ ଦିନରେ ନାମ ପଞ୍ଜୀକରଣ ଉପରେ ଲଗାଯାଇଥିବା ରୋକ ହଟାଯାଇପାରେ।