ଭୁବନେଶ୍ୱର: ଗାଡ଼ିରେ ବ୍ଲାକ୍ ଫିଲ୍ମ ଲଗାଇ ଚଳାଉଥିଲେ ସାବଧାନ । ଏଣିକି ନିୟମ ଉଲ୍ଲଂଘନକାରୀ ଗାଡ଼ି ମାଲିକଙ୍କ ବିରୋଧରେ କଡ଼ା ହେବ କାର୍ଯ୍ୟାନୁଷ୍ଠାନ। ବ୍ଲାକ୍ ଫିଲ୍ମ ଲଗାଯାଇଥିବା ଗାଡ଼ି ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ ଓ ଆରଟିଓ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଉଭୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ।

ଭୁବନେଶ୍ୱର ୟୁପିଡିର ୧୦ଟି ସ୍ଥାନରେ ଏହି ସ୍ପେଶାଲ୍ ଡ୍ରାଇଭ୍ କରାଯାଇଥିଲା। ଏହି ଅଭିଯାନରେ ଏମ୍ଭିଆଇ ଓ ବିଭିନ୍ନ ଥାନାର ଆଇଆଇସି ସାମିଲ ହୋଇ ଗାଡ଼ିଗୁଡ଼ିକର କାଗଜପତ୍ର ଓ ବ୍ଲାକ୍ ଫିଲ୍ମ ଯାଞ୍ଚ କରିଥିଲେ। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ମାଲିକଙ୍କୁ ଆରଟିଓ ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି କରାଯାଇଛି।

କେବଳ ଚାଲାଣ କାଟି ଛାଡ଼ି ଦିଆଯାଇନାହିଁ, ଗାଡ଼ି ମାଲିକଙ୍କୁ ୭ ଦିନିଆ ନୋଟିସ୍ ମଧ୍ୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଗାଡ଼ିରୁ ବ୍ଲାକ୍ ଫିଲ୍ମ ହଟାଇବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗାଡ଼ିକୁ ଆରଟିଓ କାର୍ଯ୍ୟାଳୟରେ ଉପସ୍ଥାପନ କରିବା ସହ ଏନେଇ ଲିଖିତ ଜବାବ ଦାଖଲ କରିବାକୁ ପଡ଼ିବ।

Also Read: ବରଗଡ଼ ଚାଉଳରେ ମିଳିଲା କୀଟନାଶକ ଅବଶେଷ: ଗବେଷଣାରୁ ମିଳିଲା ଚିନ୍ତାଜନକ ତଥ୍ୟ

ନିର୍ଦ୍ଦେଶକୁ ଅବମାନନା କଲେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ନିଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏପରିକି ନିଲମ୍ବିତ ଆରସିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେଲେ ଗାଡ଼ିରୁ ବ୍ଲାକ୍ ଫିଲ୍ମ ହଟାଯାଇଥିବାର ପ୍ରମାଣ ଦେବାକୁ ପଡ଼ିବ। ମୋଟର ଯାନ ଆଇନ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏହି ବ୍ଲାକ୍ ଫିଲ୍ମ ବିରୋଧୀ ଧରପଗଡ଼ ଅଭିଯାନ ଚାଲିଛି।