କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଅପମାନିତ କରିବା ବିଜେପି ନେତାଙ୍କୁ ମହଙ୍ଗା ପଡ଼ିଛି। ଖୋଦ୍ ନିଜ ଦଳର ସରକାର ବିଜେପି ନେତାଙ୍କ ଠାରୁ ସମ୍ମାନ ପ୍ରତ୍ୟାହାର କରି ନେଇଛି। ଘଟଣା ଘଟିଛି ପଶ୍ଚିମବଙ୍ଗରେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପି ସାଂସଦ ନାଗେନ୍ଦ୍ର ରାୟଙ୍କୁ ପଶ୍ଚିମବଙ୍ଗ ସରକାର କଡ଼ା ଜବାବ ଦେଇଛନ୍ତି। ନାଗେନ୍ଦ୍ର, ଯିଏ ‘ଅନନ୍ତ ମହାରାଜ’ ଭାବେ ପରିଚିତ, ତାଙ୍କୁ ପ୍ରଦାନ କରାଯାଇଥିବା ପଶ୍ଚିମବଙ୍ଗର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ବଙ୍ଗ ବିଭୂଷଣ’ ପ୍ରତ୍ୟାହାର କରି ନିଆଯାଇଛି। ଗୁରୁବାର ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, କିଛି ନୂଆ ତଥ୍ୟ ଓ ପରିସ୍ଥିତି ଉତ୍ପନ୍ନ ହୋଇଥିବାରୁ ନାଗେନ୍ଦ୍ର ରାୟଙ୍କ ଦ୍ୱାରା ଏହି ସମ୍ମାନକୁ ଜାରି ରଖିବା ନେଇ ପ୍ରଶ୍ନ ଉଠିଛି। ତେଣୁ ତାଙ୍କୁ ୨୧ ଫେବ୍ରୁଆରୀ ୨୦୨୬ରେ ପ୍ରଦାନ କରାଯାଇଥିବା ‘ବଙ୍ଗ ବିଭୂଷଣ’କୁ ତୁରନ୍ତ ପ୍ରଭାବରୁ ପ୍ରତ୍ୟାହାର ଓ ବାତିଲ କରାଯାଉଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନେଇ ଅନନ୍ତ ମହାରାଜଙ୍କ ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଦେଖାଦେଇଥିଲା। ସେ ନେତାଜୀଙ୍କୁ ‘ଯୁଦ୍ଧ ଅପରାଧୀ’ ବୋଲି ଅଭିହିତ କରିବା ସହ ତାଙ୍କ ନେତୃତ୍ୱ ଏବଂ ଆଜାଦ ହିନ୍ଦ ଫୌଜର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଏହା ପରେ ନେତାଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଇନ ସାଂସଦ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଲାଗୁ ହେବ ବୋଲି କୁହାଯାଇଥିଲା।
Also Read- ଭାରତର ଜାଗାକୁ ନିଜର ବୋଲି ତୁଚ୍ଛାରେ ଦାବି କରୁଛି ନେପାଳ: ହେଲେ ପାଉନି ୨୧୦ ବର୍ଷ ତଳର ସୁଗୌଲି ଚୁକ୍ତିର ଦସ୍ତାବିଜ୍

ନାଗେନ୍ଦ୍ର ରାୟ ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରୁ ଆସିଥିବା ଜଣେ ବିଜେପି ସାଂସଦ ଏବଂ ରାଜବଂଶୀ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା। ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ତତ୍କାଳୀନ ତୃଣମୂଳ କଂଗ୍ରେସ ସରକାରଙ୍କ ସମୟରେ ତାଙ୍କୁ ‘ବଙ୍ଗ ବିଭୂଷଣ’ ସମ୍ମାନ ପ୍ରଦାନ କରାଯାଇଥିଲା।

‘ବଙ୍ଗ ବିଭୂଷଣ’ ପଶ୍ଚିମବଙ୍ଗ ସରକାରଙ୍କ ଏକ ପ୍ରମୁଖ ସମ୍ମାନ। ରାଜ୍ୟ ଓ ଏହାର ଲୋକଙ୍କ ପାଇଁ ବିଶିଷ୍ଟ ଏବଂ ଅସାଧାରଣ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ। ସରକାରଙ୍କ ମତରେ, ଏହି ସମ୍ମାନ ସହିତ ଉଚ୍ଚ ମର୍ଯ୍ୟାଦା ଓ ପ୍ରତିଷ୍ଠା ଜଡିତ ରହିଛି।

ସରକାର ନିଜ ବିବୃତିରେ ନାଗେନ୍ଦ୍ର ରାୟଙ୍କ କୌଣସି ନିର୍ଦ୍ଦିଷ୍ଟ ମନ୍ତବ୍ୟ କିମ୍ବା ଅପରାଧକୁ ଉଲ୍ଲେଖ କରିନଥିଲେ ମଧ୍ୟ, ‘ସମ୍ମାନର ମର୍ଯ୍ୟାଦା, ପ୍ରତିଷ୍ଠା ଓ ଉଦ୍ଦେଶ୍ୟ’ ସହ ତାଙ୍କ ପାଖରେ ଏହି ସମ୍ମାନ ରହିବା ସମନ୍ୱୟପୂର୍ଣ୍ଣ ନୁହେଁ ବୋଲି କହିଛନ୍ତି।